ଉଚ୍ଚଶିକ୍ଷା ଓ ସ୍କୁଲ ଶିକ୍ଷା କ୍ଷେତ୍ରରେ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା ବିଜେପି

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି ରାଜ୍ୟରେ ଗରିବ ଓଡ଼ିଆ ଘରର ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଆ ସ୍କୁଲରେ ପଢ଼ିନଥିବାରୁ ତାଙ୍କର ଓଡ଼ିଆ ସ୍କୁଲରେ ପାଠ ପଢ଼ୁଥିବା ପିଲାଙ୍କ ପ୍ରତି ଦରଦ ନାହିଁ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଅଭିଯୋଗ ଆଣିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, କୋଟିଏ ମୁର୍ଖଙ୍କ ମୁଖିଆ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଏବେ ୧କୋଟି ୨ଲକ୍ଷ ନିରକ୍ଷର ଅଛନ୍ତି। ରାଜ୍ୟ ସାକ୍ଷରତା ମିସନର ମୁଖ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ଏହି ମିସନ ଗଠନ ହେବାର ୧୮ବର୍ଷ ପରେ ବି ଥରଟେ ବସିଲାନି। ଏବେ ରାଜ୍ୟରେ ୭% ସରକାରୀ ବିଦ୍ୟାଳୟ ଜଣେ ଶିକ୍ଷକରେ ଚାଲୁଛି। ୬୬% ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୦ଜଣ ଛାତ୍ର ପାଇଁ ଜଣେରୁ କମ୍‌ ଶିକ୍ଷକ ଅଛନ୍ତି। ଦିନ ଦିନ ଧରି ଶିକ୍ଷକମାନେ ଲୋୟର ପିଏମ୍‌ଜିରେ ବସୁଥିଲେ ହେଁ ସରକାରଙ୍କର ସେଥିପ୍ରତି ଧ୍ୟାନ ନାହିଁ। ବିଜୁ ଯୁବ ବାହିନୀ ପାଇଁ ୪୦୦କୋଟି ଖର୍ଚ୍ଚ କରୁଛନ୍ତି ହେଲେ ଶିକ୍ଷକଙ୍କ ଦରମା ପାଇଁ ଟଙ୍କା ନାହିଁ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ହୋଇଥିବା ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ୍‌ରେ ପ୍ରଥମ ୧୦୦ ସ୍ଥାନରେ ବି ଉତ୍କଳ ବିଶ୍ବବିଦ୍ୟାଳୟ ସ୍ଥାନ ପାଉନି। ସବୁ ବିଶ୍ବବିଦ୍ୟାଳୟରେ ବହୁ ପଦବି ଖାଲି ପଡ଼ିଛି। ଏଥିରୁ ରାଜ୍ୟର ଉଚ୍ଚଶିକ୍ଷା ଓ ସ୍କୁଲ ଶିକ୍ଷାର ସ୍ଥିତି ଜଣାପଡ଼ୁଛି ବୋଲି ବିଜେପି କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଭାସ୍କର ମଢ଼େଇ, ଶଙ୍କର ଓରାମ, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର