ସରକାରୀ ଅଧିକାରୀଙ୍କ ବିରୋଧରେ ଫେରାଦ ହେଲା ବିଜେପି

ଭୁବନେଶ୍ବର : ରାଜ୍ୟର କିଛି ବରିଷ୍ଠ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର୍‌ ବିଜେଡିକୁ ନିର୍ବାଚନରେ ଜିତାଇବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଦଳ ଫେରାଦ ହୋଇଛି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍, କ୍ରିଷନ୍ କୁମାର, ହେମନ୍ତ ଶର୍ମା, ପ୍ରେମଚାନ୍ଦ ଚୌଧୁରୀ, ପି କେ ମହାପାତ୍ର, ଆଇପିଏସ୍‌ ଆଶିଷ ସିଂହ ଓ ଅମିତାଭ ଠାକୁର ପ୍ରମୁଖ ସମସ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର୍ ଓ ଆସିଷ୍ଟାଣ୍ଟ୍‌ ରିଟର୍ଣ୍ଣିଂ ଅଫିସର୍‌ଙ୍କୁ ବିଜେଡି ପାଇଁ କାମ କରିବାକୁ ଭୟ ଦେଖାଉଛନ୍ତି। ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନାରେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ବାଧକ ସାଜୁଛନ୍ତି। ବିଜେଡିର ନିର୍ବାଚନୀ ଖର୍ଚ୍ଚ ପାଇଁ ଏହି ଅଧିକାରୀମାନେ ଚାନ୍ଦା ଆଦାୟ କରୁଛନ୍ତି।

ବିଜେପି ପକ୍ଷରୁ ଆହୁରି କୁହାଯାଇଛି, ଛେଣ୍ଡିପଦାର ବିଜେଡି ବିଧାୟକଙ୍କ କହିବା ଅନୁଯାୟୀ ଜିଲ୍ଲାପାଳ ଓ ସରକାରୀ ଅଧିକାରୀମାନେ ବିଜେଡି ପାଇଁ ଟିକେଟ୍‌ ଦେଉଛନ୍ତି। ଯେଉଁମାନେ ବିଜେଡି ଛାଡ଼ି ଅନ୍ୟ ଦଳରେ ସାମିଲ ହେବେ, ସେମାନଙ୍କୁ ମିଥ୍ୟା ମାମଲାରେ ଫସାଇ ଜେଲ୍‌ ପଠାଇବାକୁ ଆଇପିଏସ୍ ଆଶିଷ ସିଂହ ଧମକ ଦେଉଛନ୍ତି। ଅନ୍ୟ ପଟେ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଭୁଲ ଥିଲେ ବି ରିଟର୍ଣ୍ଣିଂ ଅଫିସର୍, ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଭୟ ଦେଖାଇ ତାହାକୁ ନାକଚ ନ କରିବା ପାଇଁ ଧମକ ଦିଆଯାଉଛି। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏପରି ଭ୍ରଷ୍ଟ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ନିମନ୍ତେ ବିଜେପି ପ୍ରତିନିଧି ଦଳ ଦାବି କରିଛନ୍ତି। ସମୀର ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳରେ ଲେଖାଶ୍ରୀ ସାମନ୍ତସିଂହାର, ଅଶୋକ ତ୍ରିପାଠୀ, ଜୟନ୍ତ ଜେନା ଓ ଜୀବନ ସାହୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର