ଜିଲ୍ଲା ପରିଷଦ ସଭ୍ୟଙ୍କୁ ବିଜେଡି ପ୍ରଭାବିତ କରୁଛି: ବିଜେପି

ସିଇଓଙ୍କ ନିକଟରେ ଫେରାଦି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ କଲା ପରେ ଶାସକ ଦଳର ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଜୟ ରଞ୍ଜନ ସିଂହ ବରିହା ବରଗଡ଼ର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେପିର ଜିଲ୍ଲା ପରିଷଦର ସଦସ୍ୟମାନଙ୍କୁ ଜୋର୍‌ ଜବରଦସ୍ତ ପ୍ରଲୋଭିତ କରାଇବାକୁ ଉଦ୍ୟମ କରୁଛନ୍ତି। ପ୍ରତି ଜିଲ୍ଲା ପରିଷଦ ସଦସ୍ୟଙ୍କୁ ୬ ଲକ୍ଷ ଟଙ୍କା ଲାଞ୍ଚ ଦେଇ ବିଜେଡିରେ ସାମିଲ କରାଇବାକୁ ସେମାନେ ଧମକ ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଆଜି ଏ ନେଇ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛନ୍ତି।

ପ୍ରତିନିଧି ଦଳର ନେତୃତ୍ବ ନେଇଥିବା ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ବରଗଡ଼ ଜିଲ୍ଲାରେ ବିଜେଡି ଦ୍ବାରା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରାଯାଇଛି। ଏହାର ସମସ୍ତ ତଥ୍ୟ ପ୍ରମାଣ ସିଇଓଙ୍କୁ ଦିଆଯାଇଛି। ନିର୍ବାଚନ ହାରିବା ଭୟରେ ବିଜେଡି ପାଗଳ ହୋଇ ବିଜେପିର ନିର୍ବାଚିତ ପ୍ରତିନିଧିମାନଙ୍କୁ ନିଜ ଦଳକୁ ନେବା ପାଇଁ ସରକାରୀ କଳକୁ ଲଗାଇ ବାହୁବଳ ପ୍ରୟୋଗ କରୁଛି। ବିଜେଡିର ଦୁଇ ନେତା ଲାଞ୍ଚ ଯାଚି ବିଜେପିରୁ ଇସ୍ତଫା ଦେବା ପାଇଁ ଇସ୍ତଫା ପତ୍ରରେ ସ୍ବାକ୍ଷର କରିବାକୁ ବାଧ୍ୟ କରୁଛନ୍ତି। ବିଜେପିର ଦୁଇ ଜଣ ଜିଲ୍ଲା ପରିଷଦ ସଦସ୍ୟା ସୁଷମା ଭୋଇ ଓ ସସ୍ମିତା ଦସନ ସେମାନଙ୍କ କବଳରୁ ଖସି ଆସିଲା ପରେ ଏହି ଘଟଣା ପଦାକୁ ଆସିଛି। ଶ୍ରୀମତୀ ଭୋଇ ଓ ତାଙ୍କ ପରିବାର ଏବେ ଆତଙ୍କିତ ଅବସ୍ଥାରେ ରହିଥିବାରୁ ସେମାନଙ୍କୁ ଓ ଅନ୍ୟ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରିବାକୁ ସହ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ଲେଖାଶ୍ରୀ ସାମନ୍ତସିଂହାର, ସୁରଥ ବିଶ୍ବାଳ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର