୭ ଦିନରେ ବିଜେପି କରିବ ୫ ହଜାର ବୈଠକ

ବିଜେପିର ବିଜୟ ସଂକଳ୍ପ ଯୋଜନା

ଭୁବନେଶ୍ବର : କେନ୍ଦ୍ରରେ ଆଉ ଥରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ଏବଂ ଓଡ଼ିଶାରେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବାର ସଂକଳ୍ପ ନେଇଛି ବିଜେପି। ଏଥି ପାଇଁ ଦଳ ପକ୍ଷରୁ ବିଜୟ ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ଆଜି ଭୁବନେଶ୍ବରରେ ଆୟୋଜିତ ଏକ ବୈଠକରେ ଏହି ଅଭିଯାନର କାର୍ଯ୍ୟଖସଡ଼ା ଆଜି ଚୂଡ଼ାନ୍ତ ହୋଇଛି। ଆସନ୍ତା ୧୦ ତାରିଖ ଠାରୁ ୭ ଦିନ ଧରି ରାଜ୍ୟର ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ୫ ହଜାର ବିଜୟ ସଂକଳ୍ପ ବୈଠକ ଆ‌ୟୋଜନ କରାଯିବ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ୫ ବର୍ଷ ଶାସନ କାଳରେ ଭାରତକୁ ଏକ ବିଶ୍ବ ଶକ୍ତିର ମାନ୍ୟତା ଦେବାରେ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିରେ ସଫଳତା ମଧ୍ୟ ମିଳିଛି। ଆଜି ସମଗ୍ର ବିଶ୍ବ ସାମ୍ନାରେ ଆମେ ଏକ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛୁ। ଦେଶର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଘରେ ଘରେ ସ୍ବଚ୍ଛ ଇନ୍ଧନ ଉଜ୍ଜ୍ବଳା ଯୋଜନା, ସ୍ବଚ୍ଛ ଭାରତ ଯୋଜନାରେ ଶୌଚାଳୟ, କୃଷକ ସମ୍ମାନ ନିଧି ଯୋଜନା, ଶ୍ରମିକମାନଙ୍କ ପାଇଁ ମନଧନ ଯୋଜନା, ପ୍ରତିଟି ଘରେ ବିଜୁଳି ପହଞ୍ଚିବା ପାଇଁ ସୌଭାଗ୍ୟ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା ଆଦି ଅନେକ ଯୋଜନା ପ୍ରଧାନମନ୍ତ୍ରୀ ଆରମ୍ଭ କରି ପାଞ୍ଚ ବର୍ଷ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ଫଳରେ ଗରିବ ଲୋକଙ୍କ ଘରେ ବିକାଶ ପହଞ୍ଚିଛି। ସେହିପରି ଯେଉଁ ଭଳି ଭାବେ ଶତ୍ରୁ ରାଷ୍ଟ୍ର ଭିତରେ ପଶି ଆକ୍ରମଣ କରି ଆତଙ୍କବାଦୀଙ୍କୁ ନିପାତ କରାଯାଇଛି, ତାହା ଭାରତର ଶକ୍ତିକୁ ସମଗ୍ର ବିଶ୍ବରେ ପ୍ରତିଷ୍ଠିତ କରିଛି।

ବିଜେପି ପକ୍ଷରୁ ଆହୁରି କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟାପକ ଅର୍ଥ ବରାଦ କରିଛନ୍ତି। କିନ୍ତୁ ଏଠ‌େର ସ୍ଥାଣୁ ସରକାର ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଏ ପର୍ଯ୍ୟନ୍ତ ବିନିଯୋଗ କରିପାରୁ ନାହାନ୍ତି। ରାଜ୍ୟରେ ଦୁର୍ନୀତି ମାଡ଼ି ଗଲାଣି। ଯୁବକ, ମହିଳା, ଚାଷୀ ସମସ୍ତଙ୍କୁ ଏ ସରକାର ପ୍ରତାରଣା କରିଛନ୍ତି। ତେଣୁ ବିଜେଡି ସରକାର ଶାସନ ଗାଦିରୁ ବିଦା ହେବାର ସମୟ ଆସିଛି। ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଗଠନ ହେଲେ ଓଡ଼ିଶାରେ ଡବଲ ଇଞ୍ଜିନରେ ବିକାଶ ହେବ। ଆଜିର ବିଜୟ ସଂକଳ୍ପ ଯୋଜନା ବୈଠକରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ସମସ୍ତ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ଓ ଜିଲ୍ଲାର ପଦାଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର