ରାଜ୍ୟ ବିଜେପି ପକ୍ଷରୁ ଜଳ ସଂରକ୍ଷଣ ଓ ପ୍ଲ‌ାଷ୍ଟିକ୍ ବର୍ଜନ ପାଇଁ ସଂକଳ୍ପ

ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସେବା ସପ୍ତାହ ଆରମ୍ଭ, ‘ସେବା ସପ୍ତାହ’ ମାଧ୍ୟମରେ ଦେଶର ପୁନଃନିର୍ମାଣ ହେବ : ଧ‌ର୍ମେନ୍ଦ୍ର

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଆସନ୍ତା ‌୧୭ରେ। ଏହି ଅବସରରେ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ‘‌‌େସବା ସପ୍ତାହ’ ଭାବେ ପାଳନ କରାଯାଉଛି। ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶାରେ ମଧ୍ୟ ସେବା ସପ୍ତାହ ଆରମ୍ଭ ହୋଇଛି। ଆଜି ଭରତପୁରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ପରୀକ୍ଷା ଶିବିର ସହ ପ୍ରଧାନମନ୍ତ୍ରୀଙ୍କ ଜୀବନ ଧାରା ଓ ଉପଲବ୍ଧି ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା‌। ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିଲା। ସମସ୍ତଙ୍କୁ ଜଳ ସଂରକ୍ଷଣ ଓ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍ ବର୍ଜନ ଉପରେ କେନ୍ଦ୍ର ମନ୍ତ୍ରୀ ଶପଥ ପାଠ କରାଇଥିଲେ।

ଶ୍ରୀ ପ୍ରଧାନ କହିଥିଲେ, ଜଳ ସଂରକ୍ଷଣ ଓ ସିଙ୍ଗଲ୍‌ ୟୁଜ୍ ପ୍ଲାଷ୍ଟିକ୍‌ର ବର୍ଜନ କରିବା ସହ ଏହାର ଜନସଚେତନତା ମୋଦୀଙ୍କ ଜନ୍ମଦିନର ସର୍ବଶ୍ରେଷ୍ଠ ଉପହାର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦେଶକୁ ପୁନଃନିର୍ମାଣ କରିବାର ଲକ୍ଷ୍ୟ ‘ସେବା ସପ୍ତାହ’ ମାଧ୍ୟମରେ ସାକାର ହୋଇପାରିବ। ଏଥି ପାଇଁ ୧୨୫ କୋଟି ଲୋକଙ୍କୁ ନିଜେ ଦାୟିତ୍ବ ନେଇ ପାଦେ ଆଗକୁ ବଢ଼ିବା ପାଇଁ ପଡ଼ିବ। ସେବା ସପ୍ତାହ କେବଳ ଖବର ହୋଇ ନ ରହୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ପାଉଥିବା ସମସ୍ତ ଲୋକ ତାଙ୍କ ନାଁକୁ ସାକ୍ଷୀ ରଖି ଏହି ସାତ ଦିନରେ ସେବା କରିବା ପାଇଁ ସେ ଆହ୍ବାନ ଦେଇଥ‌ିଲେ। ପଣ୍ଡିତ ଗୋପବନ୍ଧୁ ଦାସ ନିଜ ପୁଅର ଜୀବନକୁ ଛାଡ଼ି ବନ୍ୟା, ବାତ୍ୟାରେ ଲୋକଙ୍କୁ ଚୁଡ଼ା, ଚାଉଳ ବାଣ୍ଟିବା ପାଇଁ ଚାଲି ଯାଇଥିଲେ। ଏହା ଓଡ଼ିଆ ସଂସ୍କୃତି ଓ ସଭ୍ୟତା ଏବଂ ଏହି ପରମ୍ପରାର ସମସ୍ତେ ଦାୟଦ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ସେବା ସପ୍ତାହକୁ ଭବ୍ୟ ସାମାଜିକ ଉତ୍ସବ ଭାବେ ପାଳନ କରିବାକୁ କେନ୍ଦ୍ର ମନ୍ତ୍ରୀ ନିବେଦନ କରିଥିଲେ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନାରେ ଓଡ଼ିଶାବାସୀଙ୍କୁ ସେବା ଯୋଗାଇ ଆସୁଛନ୍ତି। ସେବା ସପ୍ତାହ ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇ ଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ର ପରିବେଶ ଉପରେ କୁପ୍ରଭାବ ସମ୍ପର୍କରେ କହିବା ସହ ତାହାର ବର୍ଜନ ପାଇଁ ଆହ୍ବାନ ‌େଦଇଥିଲେ। ସାଂସଦ ଅଶ୍ବିନୀ ବୈଷ୍ଣବ କହିଥିଲେ, ସମାଜର ଶେଷ ଚରଣରେ ଥିବା ଲୋକଙ୍କୁ ସେବା ‌ଯୋଗାଇବା ବିଜେପିର ମୂଳ ଧର୍ମ। ମୋଦୀ ଯେପରି ରାଜନୀତିକୁ ସେବାର ବ୍ରତ ଭାବେ ଗ୍ରହଣ କରିଛନ୍ତି, ସେମିତି ବିଜେପିର ସମସ୍ତ କର୍ମକର୍ତ୍ତା ଲୋକଙ୍କୁ ସେବା ଯୋଗାଇବେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ବିଜେପି ନେତୃବୃନ୍ଦ ପ୍ରତି ଘରକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କୁ ସେବା ଯୋଗାଇଦେବେ। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ୩୬୫ ଦିନ ଲୋକସେବା କରାଯିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ।

ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ସପ୍ତାହ ରାଜ୍ୟ ସହ ସଂଯୋଜକ ମହେଶ ମହାନ୍ତି, ରାଜ୍ୟ ଉପସଭାପତି ସମୀର ମହାନ୍ତି, ସମ୍ପାଦକ ଦିଲ୍ଲୀପ ମଲ୍ଲିକ, ବରିଷ୍ଠ ନେତା ଐର ଖାରବେଳ ସ୍ବାଇଁ, ପ୍ରଦୀପ ପୁରୋହିତ ଓ ଗୋଲକ ମହାପାତ୍ରଙ୍କ ସମେତ ଜିଲ୍ଲା ଓ ରାଜ୍ୟର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର