ମହାରଥୀଙ୍କ ଇସ୍ତଫା ଦାବିରେ ବିଜେପିର ନବୀନ ନିବାସ ଘେରାଉ

ପୁଲିସ୍-ବି‌େଜପି ମହିଳା କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର: ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ବିଜେପି ତା’ର ଆନ୍ଦୋଳନକୁ ଜୋର୍‌ଦାର୍‌ କରିଛି। ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କଲା ପରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରା‌ଉ କରାଯାଇଥିଲା। ରାମମନ୍ଦିର ଛକରୁ ଶୋଭାଯାତ୍ରା ବାହାରି ନବୀନ ନିବାସ ଅଭିମୁଖେ ଯାଉଥିଲା ବେଳେ ରାଜମହଲ ଛକରେ ପୁଲିସ୍ ଅଟକାଇଥିଲା। ସେଠାରେ ପୁଲିସ୍-ମହିଳା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବହୁ କର୍ମୀଙ୍କୁ ପୁଲିସ୍ ଗିରଫ କରି ନେଇଥିଲା। ବିଜେପି ମହିଳା ମୋର୍ଚ୍ଚାର ନବୀନ ନିବାସ ଘେରାଉ ଡାକରା ଦିଆଯାଇଥିବାରୁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ତେବେ ପୁଲିସକୁ ଚକ୍‌ମା ଦେଇ ୪ ମହିଳା କର୍ମୀ ନବୀନ ନିବାସ ସାମ୍ନାରେ ପହଞ୍ଚି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ସେମାନଙ୍କୁ ପୁଲିସ୍‌ ଟାଣି ଟାଣି ନେଇଯାଇଥିଲା। ଏଥିପାଇଁ ସେଠାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା।

ମହିଳାଙ୍କୁ ପୁରୁଷ ପୁଲିସ୍ ଦୁର୍ବ୍ୟବହାର କରିଛନ୍ତି: ବିଜେପି
୪ ମହିଳା କର୍ମୀ ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କଲେ

ଆଜି ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ମହିଳା ପୁଲିସ୍‌ ବିକ୍ଷୋଭ ସ୍ଥଳରେ ଥିଲେ ମଧ୍ୟ ପୁରୁଷ ପୁଲିସ୍ ବିକ୍ଷୋଭକାରୀମାନଙ୍କ ଉପରେ ଅତର୍କିତ ଆକ୍ରମଣ କରି ଅଶାଳୀନ ବ୍ୟବହାର କରିଥିଲେ। ସେମାନେ ମହିଳାଙ୍କ ହାତ ଧରି ଉଠାଇବା ସହ ଟଣାଓଟରା କରିଥିଲେ। ଏହା ସମ୍ପୂର୍ଣ୍ଣ ଆଇନ୍ ବି‌ରୋଧୀ ଓ ଏହା ଦ୍ବାରା ମହିଳାଙ୍କ ସମ୍ମାନ ହାନି ହୋଇଛି। ଏହି ଘଟଣା ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ଆଭିମୁଖ୍ୟକୁ ଧରା ପକାଇ ଦେଉଛି। ଶ୍ରୀମତୀ ପରିଡ଼ା ଆହୁରି କହିଛନ୍ତି, ରାଜ୍ୟର ପ୍ରତି ମହିଳାଙ୍କ ଦୁଇ ଦୁଇ ଜଣ ସ୍ବାମୀ ବୋଲି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀ କେମିତି ଜାଣିଲେ? ଜଣେ ମନ୍ତ୍ରୀ ହୋଇ ଏପରି ମନ୍ତବ୍ୟ ଦେବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ। ଏହା ରାଜ୍ୟର ମହିଳାମାନଙ୍କୁ ବହୁତ କଷ୍ଟ ଦେଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଆହୁରି ଦୁର୍ଭାଗ୍ୟଜନକ। ମନ୍ତ୍ରୀଙ୍କୁ ବହିଷ୍କାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଏହି ଶୋଭଯାତ୍ରାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର