ରୋଜଗାର ଦାବିରେ ବିଜେପି ଯୁବମୋର୍ଚ୍ଚାର ଶକ୍ତି ପ୍ରଦର୍ଶନ

ପୁଲିସ୍ ନାକେଦମ୍, ଲୋୟର ପିଏମ୍‌ଜି ରଣକ୍ଷେତ୍ର, ପୁଲିସ୍-ବି‌େକ୍ଷାଭକାରୀ ଧସ୍ତାଧସ୍ତିରେ ବହୁ ଆହତ

ଭୁବନେଶ୍ବର : ଯୁବମାରଣ ନୀତିର ପ୍ରତିବାଦ ଓ ବେକାର ଯୁବକ/ଯୁବତୀଙ୍କୁ ରୋଜଗାର ଯୋଗାଇବା ଦାବି ନେଇ ଆଜି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି ଯୁବ ମୋର୍ଚା। ରାଜଧାନୀର ତିନିପଟୁ ହଜାର ହଜାର ଯୁବକ/ଯୁବତୀ ବିଧାନସଭା ଘେରାଉ କରିଥିଲେ। ବିଶାଳ ଶୋଭାଯାତ୍ରାରେ ଆସି ଯୁବ ମୋର୍ଚ୍ଚାର କର୍ମୀମାନେ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ପୁଲିସ ସହିତ ପ୍ରବଳ ଧସ୍ତାଧସ୍ତି ‌ହୋଇଛି। ପୁଲିସ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

‘୧୯ବର୍ଷର ସରକାର, ଛଡ଼େଇ ନେଲା ରୋଜଗାର’ ନାରା ଦେଇ ଆଜି ବିଜେପି ଯୁବମୋର୍ଚା ବିକ୍ଷୋଭ ପ୍ରଦର୍ଶନ କରିଥିଲା। ସାଧାରଣ ଭାବେ ଗୋଟିଏ ଶୋଭାଯାତ୍ରା ଆୟୋଜନ ନ କରି ତିନି ପଟୁ ବିଧାନସଭା ଘେରିବାକୁ ଯୁବମୋର୍ଚ୍ଚା କର୍ମୀମାନେ ମାଡ଼ି ଆସିିଥିଲେ। ଦୁଇଟି ଶୋଭାଯାତ୍ରା ଦଳୀୟ କାର୍ଯ୍ୟାଳୟରୁ ବାହାରିଥିଲା। ଗୋଟିଏ ପ୍ରଦର୍ଶନୀ ପଡ଼ିଆ ଦେଇ କେଶରୀ ଟକିଜ୍ ଆଡ଼କୁ ଯାଇଥିଲା। ଆଉ ଗୋଟିଏ ଶୋଭାଯାତ୍ରା ମାଷ୍ଟର୍ କ୍ୟାଣ୍ଟିନ୍ ଦେଇ ଲୋୟର୍ ପିଏମ୍‌ଜି ଆଡ଼କୁ ଯାଇଥିଲା। ତୃତୀୟ ଶୋଭାଯାତ୍ରାଟି ୧୨୦ ବାଟାଲିୟନ୍ ପାଖ ଦେଇ ବିଧାନସଭା ଆଡ଼କୁ ଯାଇଥିଲା।
ଗୋଟିଏ ଶୋଭାଯାତ୍ରାକୁ ପୁଲିସ୍ ଲୋୟର୍ ପିଏମ୍‌ଜିରେ ଅଟକାଇଥିଲା ବେଳେ ଅନ୍ୟ ଦୁଇଟି ଶୋଭାଯାତ୍ରାକୁ କେଶରୀ ଟକିଜ୍ ଓ ଓଏମ୍‌ସି କାର୍ଯ୍ୟାଳୟ ନିକଟରେ ଅଟକାଇଥିଲା। ଲୋୟର୍ ପିଏମ୍‌ଜିରେ ସ୍ଥିତି ଅସମ୍ଭାଳ ହୋଇଥିଲେ। ଶୋଭାଯାତ୍ରା ବିଧାନସଭା ଆଡ଼କୁ ମାଡ଼ି ଚାଲିଥିବା ବେଳେ ଅସ୍ଥାୟୀ ବ୍ୟାରିକେଡ୍ ନିକଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ମାତ୍ର ବିକ୍ଷୋଭକାରୀ ବାରିକେଡ୍ ଭାଙ୍ଗି ଆଗକୁ ମାଡ଼ି ଚାଲିଥିଲେ। ଦ୍ବିତୀୟ ଅସ୍ଥାୟୀ ବ୍ୟାରିକେଡ୍ ନିକଟରେ ମଧ୍ୟ ପୁଲିସ ସେମାନଙ୍କୁ ଅଟକାଇଲା ବେଳେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀମାନେ ପୁଲିସ୍ ଉପରକୁ ଅଣ୍ଡା, ଟମାଟୋ, ପାଣି ପାଉଚ୍ ଓ ଟେକା ମାଡ଼ କରିଥିଲେ। ପୁଲିସ୍ ବି ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲା। କିଛି ସମୟ ପାଇଁ‌ ସେହି ସ୍ଥାନ ଏକପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଥିଲା। ପୁଲିସ୍‌କୁ ଚକ୍‌ମା ଦେଖାଇ କିଛି ବିକ୍ଷୋଭକାରୀ ତୃତୀୟ ଅସ୍ଥାୟୀ ବ୍ୟାରିକେଡ୍ ନିକଟରେ ପହଞ୍ଚି ଯାଇଥିଲେ। ସେଠାରେ ପୁଲିସ୍ ସବୁ ବଳ ଖଟାଇ ସେମାନଙ୍କୁ କାବୁ କରି ନେଇଥିଲା। ତେବେ ପୁଲିସ ମାଡ଼ରେ କିଛି ବିକ୍ଷୋଭକାରୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି।

ଶୋଭାଯାତ୍ରାର ନେତୃତ୍ବ ନେଇଥିବା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ଦେବାରେ ବାଧକ ସାଜୁଛନ୍ତି। ନିଯୁକ୍ତି ଓ ଆତ୍ମନିଯୁକ୍ତି ଦେବାରେ ସରକାର ବିଫଳ ହୋଇଛନ୍ତି। ସରକାର ନିଯୁକ୍ତିର ହତ୍ୟା କରିଥିବା ବେଳେ ବୁଢ଼ା ବାଘର କଙ୍କଣ ଭଳି ‘କାଳିଆ’ ଓ ବିଜୁ ଯୁବ ବାହିନୀର ଯୋଜନା କରି ରାଜ୍ୟ ଯୁବକମାନଙ୍କୁ ପ୍ରତାରଣା କରୁଛନ୍ତି।

ଏହି ବିକ୍ଷୋଭ ସମାବେଶରେ କେନ୍ଦ୍ରୀୟ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୌରଭ ଚୌଧୁରୀ, ଯୁବମୋର୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ ଦାଶ, ଯୁବ‌ମୋର୍ଚା ପୂର୍ବତନ ରାଜ୍ୟ ସଭାପତି ଉମାକାନ୍ତ ପଟ୍ଟନାୟକଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି ଓ ବିଭିନ୍ନ ଜିଲ୍ଲାରୁ କାର୍ଯ୍ୟକର୍ତା ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର