୭ରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ଓ ବେକାର ଯୁବକ, ଯୁବତୀଙ୍କୁ ରୋଜଗାର ଯୋଗାଇ ଦେବା ଦାବିରେ ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ ଜୋର୍‌ଦାର୍ କରିବ। ଆସନ୍ତା ୭ ତାରିଖରେ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ କରାଯିବ। ଏଥିରେ ବହୁ ସଂଖ୍ୟାରେ ଯୁବକ, ଯୁବତୀଙ୍କୁ ସାମିଲ କରିବାକୁ ଦଳ ଯୋଜନା କରିଛି। ଆନ୍ଦୋଳନକାରୀମାନେ ଶୋଭାଯାତ୍ରାରେ ଯାଇ ବିଧାନସଭା ଘେରାଉ କରିବା ସହ ରାଜ୍ୟ ସରକାରଙ୍କୁ ସେମାନଙ୍କ ସାର୍ଟିଫିକେଟ୍‌ ଫେରାଇବେ ବୋଲି ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଲେ, ଗତ ୧୯ ବର୍ଷ ଭିତରେ ରାଜ୍ୟରେ‌ ବେକାରୀ ସମସ୍ୟା ବୃଦ୍ଧି ପାଇଛି। ଓଡ଼ିଶାର ଯୁବକ, ଯୁବତୀମାନଙ୍କୁ ନିଯୁକ୍ତି ନ ଦେଇ ନିଯୁକ୍ତି ମେଳା ନାଁରେ ରାଜ୍ୟ‌ ସରକାର ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ରାଜ୍ୟର ବିକାଶକୁ ନେଇ ଡିଣ୍ଡିମ ପିଟୁଥିଲା ବେଳେ ଅନ୍ୟ ପଟେ ଯୁବକମାନେ କାମ ନ ପାଇ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଯୁବପିଢ଼ିଙ୍କୁ ନିଯୁକ୍ତି ଦେବାରେ ରାଜ୍ୟ ସରକାର ବାଧକ ସାଜିଛନ୍ତି। ଯୁବ ସମାଜକୁ ରାଜ୍ୟ ସରକାର ଧୋକ୍କା ଦେଇ ଚାଲିଛନ୍ତି। ଏହାର ପ୍ରତିବାଦରେ ୭ ତାରିଖରେ ବିଧାନସଭା ଘେରାଉ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ ଦାସ ଓ ରାଜ୍ୟ ସମ୍ପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର