ବାଜିରେ ଲାଗିଛି କୃଷ୍ଣସାରଙ୍କ ଜୀବନ : ବର୍ଷକରେ ମଲେଣି ୪୦

ଭଂଜନଗର : ବିରଳ କୃଷ୍ଣସାର ମୃଗ ବଂଶ ପାଇଁ ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପରିଚୟ ରଖେ। ହେଲେ କୃଷ୍ଣସାରଙ୍କ ଜୀବନ ଏବେ ବାଜିରେ ଲାଗିଛି। କୌଣସି ନା କୌଣସି କାରଣରୁ ପ୍ରତିଦିନ ଏହି ବିରଳ ପ୍ରାଣୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଦୁର୍ଘଟଣାଜନିତ ହେଉ ଅଥବା ଖାଦ୍ୟାଭାବ ଓ କୌଣସି ରୋଗ। ଆକଳନ କଲେ କୃଷ୍ଣସାରଙ୍କ ପ୍ରମୁଖ ବିଚରଣସ୍ଥଳ ଆସିକା, ବୁଗୁଡା, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ ଓ ଭଂଜନଗର ବନାଞ୍ଚଳରେ କୃଷ୍ଣସାର ମୃଗ ଦୁର୍ଘଟଣା ଏବଂ ଶିକାରୀଙ୍କ ହାତରେ ପ୍ରାଣ ହରାଉଛନ୍ତି। ହିସାବରୁ ଜଣାଯାଇଛି, ବର୍ଷକ ଭିତରେ ୪୦ କୃଷ୍ଣସାରଙ୍କ ମୃତଦେହ ମିଳିଛି। ବିଶେଷକରି ଆସିକା ବନାଞ୍ଚଳରେ ଗତ ଏକ ସପ୍ତାହ ମଧ୍ୟରେ ୬ରୁ ଅଧିକ କୃଷ୍ଣସାର ମୃଗଙ୍କ ମୃତ୍ୟୁ ଏହାର ଜ୍ୱଳନ୍ତ ଉଦାହରଣ। ହେଲେ କୃଷ୍ଣସାରଙ୍କ ସୁରକ୍ଷା ଏବଂ ଶିକାର ଉପରେ ଅଙ୍କୁଶ ଜାରି କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ, ବିଭାଗୀୟ ଅଧିକାରୀ ମାନେ ସେଭଳି ତତ୍ପରତା ଦେଖାଉ ନଥିବା ପରିବେଶବିତ୍‌ ପଶୁପ୍ରେମୀ ମାନେ ଅଭିଯୋଗ କରିଛନ୍ତି।

ଜିଲ୍ଲାର ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ହେଉଛି କୃଷ୍ଣସାରଙ୍କ ପ୍ରମୁଖ ବିଚରଣ ସ୍ଥଳ। ବର୍ତମାନ ଉଭୟ ବନଖଣ୍ଡରେ ୫ହଜାର ୮ଶହରୁ ଅଧିକ ମୃଗ ରହିଥିବା ବେଳେ ସେମାନଙ୍କ ସଂଖ୍ୟା ବି ସେହି ଅନୁପାତରେ ବଢୁଛି। କିନ୍ତୁ ଏମାନଙ୍କର ସୁରକ୍ଷା, ଦେଖାରଖା ଓ ତଦାରଖ ଆଦି ଦିଗରେ ବନ ବିଭାଗ ଦୃଷ୍ଟି ଦେଉନି। ପୂର୍ବରୁ କିଛି ଅଂଚଳବାସୀ ସେମାନଙ୍କ ସୁରକ୍ଷା ଦାୟିତ୍ୱ ନିଜ ହାତକୁ ନେଉଥିଲେ ହେଁ, ବର୍ତମାନ ତାହା ପରିଲକ୍ଷିତ ହେଉନି। ଫଳରେ ସାଂପ୍ରତିକ ସ୍ଥିତିରେ ବିରଳ ପ୍ରାଣୀ କୃଷ୍ଣସାରଙ୍କୁ ପଡ଼ିଛି ବିପଦ। ବଂଶବୃଦ୍ଧି ଓ ଖାଦ୍ୟଭାବ କାରଣରୁ ରାସ୍ତାପାର ହୋଇ ବିଚରଣ କରିବା ଏହି ବିରଳ କୃଷ୍ଣସାରଙ୍କ ପାଇଁ ମହଙ୍ଗା ହୋଇଛି। ଖାଦ୍ୟ ଅନେ୍ଵଷଣରେ ବେଳେବେଳେ ଜନବସତି ମୁହାଁ ହୋଇ କୁକୁର ଆକ୍ରମଣର ଶିକାର ହେଉଛନ୍ତି ତ, ଆଉ କେତେବେଳେ ରାସ୍ତା ଅତିକ୍ରମ କଲାବେଳେ ଦ୍ରୁତ ଗତିରେ ଯାଉଥିବା ଯାନବାହାନ ଧକ୍କାରେ ପ୍ରାଣ ହରାଉଥିବାର ନଜିର୍‌ ରହିଛି। ଗତ ଏକ ବର୍ଷ ମଧ୍ୟରେ ୪୦ରୁ ଅଧିକ କୃଷ୍ଣସାର କେବଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ ମାନେ ମିଛସତ ରିପୋର୍ଟ ପ୍ରସ୍ତୁତ କରିବାର ନଜିର୍‌ ରହିଛି। ଫଳରେ ସେମାନଙ୍କୁ ସୁରକ୍ଷା ଓ ଭିତ୍ତିଭୂମି ବିକାଶର ସମୟ ଆସିଛି ବୋଲି ବୁଦ୍ଧିଜୀବୀ, ପଶୁପ୍ରେମୀ ଓ ପରିବେଶବିତ୍‌ ମାନେ ମତବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟର ସର୍ବାଧିକ କୃଷ୍ଣସାର ମୃଗ ଘୁମୁସର ବନାଞ୍ଚଳରେ ରହୁଥିବାରୁ ସରକାର ସେମାନଙ୍କ ସୁରକ୍ଷା ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର