ଦୁଇ ପରିବାର ଗାଁ ଛାଡ଼ିଲେ

୬ ପରିବାର ନିର୍ଯାତିତ

ପୁରୁଷୋମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଶାସନପଲ୍ଲୀ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ସାରା ଗାଁ ଏକ୍‌ଜୁଟ ହେଲେ, ଗଲା ମାସରେ ବାହାରୁ ଗୁଣିଆ ଡାକି ଖଟ ବୁଲାଇବା ଯୋଜନା କରିଥିଲେ। ହେଲେ ପୁଲିସ ଜାଣି ତାଗିଦ୍‌ କରିବାରୁ ଗାଁରେ ଗଠିତ କମିଟି ଖଟବୁଲା ସ୍ଥଗିତ ରଖିଥିଲା। ତେବେ ଗତ ୯ ତାରିଖରେ ଗାଁର ସବୁ ପ୍ରବେଶ ପଥ ବନ୍ଦ କରି, ଗ୍ରାମବାସୀଙ୍କ ସମସ୍ତ ମୋବାଇଲ୍‌ ସୁଇଚ୍‌ ଅଫ୍‌ କରି ସିଲ୍‌ କଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖଟ ବୁଲାଇଲେ। ଖଟ ୮ ପରିବାରଙ୍କୁ ଚିହ୍ନଟ କଲା। ଭୟରେ ଦୁଇ ପରିବାର ଗାଁ ଛାଡ଼ି ପଳାଇଲେ। ହେଲେ ଆଉ ୬ ପରିବାରକୁ ଅଟକ ରଖି ମାନସିକ ଓ ଶାରୀରିକ ନିର୍ଯାତନା ଦିଆ ଯାଉଥିବା ଘଟଣା ସାମ୍ନାକୁ ଆସିଛି।

ପ୍ରାଣ ଭୟରେ ଏହି ପରିବାର ଦିନ କାଟୁଥିବା ବେଳେ ସେମାନଙ୍କୁ ଘର ଓ ଚାଷ ଜମିର ପଟ୍ଟା ଦେବାକୁ ଗ୍ରାମ୍ୟ କମିଟି ପକ୍ଷରୁ ଧମକଚମକ ଦିଆଯାଇଛି। ଖାଲି ଏତିକି ନୁହେଁ, ୧୦ ଟଙ୍କିଆ ଖାଲି ଷ୍ଟାମ୍ପ ପେପର୍‌ରେ ଜମି, ଘର ପଟ୍ଟା  ହସ୍ତାନ୍ତର କଲା ଭଳି ସତ୍ୟପାଠ ଓ ଦସ୍ତଖତ କରି ଦେବାକୁ ଗୁଣିଆ ଧରା କମିଟି ତାଗିଦ୍‌ କରିଥିବା ଜଣାଯାଇଛି। ନଚେତ୍‌ ପରିଣାମ ଭୟାବହ ବୋଲି ଚେତାବନୀ ମିଳିଛି। ଫଳରେ ଆତଙ୍କିତ ଭାବେ ଭାସ୍କର ସାହୁ, ବି.ପିତାମ୍ବର ପାତ୍ର, ଏ.ମାଗୁଣି ପାତ୍ର, ଖଲି ସାହୁ, କେ.ଆଦିକନ୍ଧ ପାତ୍ର, ବି.ଆଡ଼ିଆଡ଼ା ପାତ୍ର ଗାଁ ଭିତରେ ରହିଛନ୍ତି। ଧମକ ମିଳିଥିବାରୁ ସେମାନେ ଅଭିଯୋଗ ବି କରି ପାରୁ ନାହାନ୍ତି। ଗତ ୫ ଦିନ ଧରି ଗ୍ରାମରେ ଏଭଳି ଅଚଳାବସ୍ଥା ଜାରି ରହିଥିଲା। ହେଲେ ପୁଲିସ ପହଞ୍ଚି ଗୁଣିଧରା କମିଟି ସଦସ୍ୟଙ୍କୁ ଡାକି ଆଲୋଚନା କଲା। କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି। ଏବେ ଏହି ୬ ପରିବାରଙ୍କ ଉପରେ ଅକଥନୀୟ ନିର୍ଯାତନା ଦିଆ ଯାଉଥିବା ଅଭିଯୋଗ ହୋଇଛି। ନିର୍ଯାତିତଙ୍କୁ ମୁକୁଳାଇବା ଦିଗରେ ପୁଲିସ ପ୍ରଶାସନ ପକ୍ଷରୁ ବର୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ।

ମିଳିଥିବା ସୂଚନାନୁସାରେ, ଶାସନପଲ୍ଲୀ ଗ୍ରାମରେ ଗତ ଦୁଇ ବର୍ଷ ହେଲା ୧୫ରୁ ୨୦ଜଣଙ୍କ ସନ୍ଦେହଜନକ ଭାବେ ଅକାଳ ମୃତ୍ୟୁ ହୋଇ ଆସୁଥିଲା। ଫଳରେ ଏହାକୁ ଗୁଣିଗାରେଡି ବୋଲି ଗ୍ରାମବାସୀ ସନ୍ଦେହ କରିଥିଲେ। ଏଥିପାଇଁ ୧୮୦ ପରିବାର ଏକାଠି ହୋଇ ଖଟ ବିଦ୍ୟା ପ୍ରୟୋଗ ମାଧ୍ୟମରେ ରହସ୍ୟ ଉନ୍ମୋଚନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଗୁଣିଆ ଯାଞ୍ଚ କମିଟି ଓ ଗ୍ରାମ୍ୟ କମିଟି ଗଠନ କରାଯାଇଥିଲା। ଖଟବିଦ୍ୟା ଗୁଣିଆଙ୍କୁ ଗ୍ରାମକୁ ଡାକିବା ପାଇଁ ଯୋଜନା ହୋଇଥିଲା।

ଚଳିତମାସ ପ୍ରଥମ ସପ୍ତାହରେ ଏକ ବୈଠକ ଡାକି ୭ଶହ ଟଙ୍କା ଲେଖାଏଁ ଚାନ୍ଦା ସଂଗ୍ରହ କରାଯାଇଥିଲା। ହେଲେ ଠିକଣା ସମୟରେ ପୁଲିସ ପହଞ୍ଚି ଗ୍ରାମବାସୀ ଓ ଗୁଣିଆ ଯାଞ୍ଚ କମିଟିଙ୍କୁ ଖଟବିଦ୍ୟା ପ୍ରୟୋଗ ନକରିବାକୁ ତାଗିଦ୍‌ କରିଥିଲା। ପୁଲିସ କଥାରେ ସଭିଏଁ ରାଜି ହେଲେ। ହେଲେ ଗତ ୯ ତାରିଖରେ ପୁଲିସ ତାଗିଦ୍‌କୁ ଅମାନ୍ୟ କରି ଗ୍ରାମବାସୀ ବାହାରୁ ଖଟ ବିଦ୍ୟା ଗୁଣିଆଙ୍କୁ ଡାକି ଥିଲେ। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗାଁରେ ଖଟ ବିଦ୍ୟା ବୁଲିଥିଲା। ଗ୍ରାମବାସୀ ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିବା ସହ ମୋବାଇଲ୍‌ ବନ୍ଦ କରି ଦେଇଥିଲେ। କୌଣସି ବ୍ୟକ୍ତିଙ୍କୁ ଛଡ଼ା ଯାଇ ନଥିଲା। ଏଥିରେ ୮ଜଣ ପରିବାର ବି.ଗୁରୁମୂର୍ତି ପାତ୍ର ଓ ପ୍ରକାଶ ସାହୁ, ଭାସ୍କର ସାହୁ, ବି.ପିତାମ୍ବର ପାତ୍ର, ଏ.ମାଗୁଣି ପାତ୍ର, ଖଲି ସାହୁ, କେ.ଆଦିକନ୍ଧ ପାତ୍ର, ବି.ଆଡ଼ିଆଡ଼ା  ସନ୍ଦେହ ଘେରକୁ ଆସିଥିଲେ।

ଖଟବିଦ୍ୟା ବୁଲିବା ପରେ ସନ୍ଧ୍ୟାରେ ଏକ ବୈଠକ ଡାକି ୮ଜଣ ପରିବାରକୁ କିଭଳି ଦଣ୍ଡ ଦିଆଯିବ ଏନେଇ ଆଲୋଚନା ହୋଇଥିଲା। ଏହାପରେ ୮ଟି ପରିବାରର ଘରେ ପଶି ଗ୍ରାମବାସୀ ଜିନିଷପତ୍ର ଫୋପାଡ଼ିବା ସହ ଭଙ୍ଗାରୁଜା କରିଥିଲେ। ଏହାସହ କିଛି ସଦସ୍ୟଙ୍କୁ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ। ଗ୍ରାମବାସୀଙ୍କ ଏଭଳି ଅତ୍ୟାଚାରରେ ଅତିଷ୍ଠ ହୋଇ ବି.ଗୁରୁମୂର୍ତି ପାତ୍ର ଓ ପ୍ରକାଶ ସାହୁ ପ୍ରାଣ ଭୟରେ ଗାଁ ଛାଡ଼ି ପଳାଇଥିଲେ। ପରେ ବାକି ୬ପରିବାରକୁ କୋଠ ଘରେ ଚାବି ପକାଇ ରଖି ଦେଇଥିଲେ। ପୁଲିସ ପୁଣି ପହଞ୍ଚି ଉକ୍ତ ୬ ପରିବାରକୁ ମୁକୁଳାଇ ଗ୍ରାମବାସୀ ଓ ଗୁଣିଆ କମିଟିକୁ ତାଗିଦ୍‌ କରିଥିଲା।  ପୁଣି ଗତ ମଙ୍ଗଳବାର ଦିନ ଏହି ୬ ପରିବାରକୁ ଗ୍ରାମ୍ୟ କମିଟିର ବୈଠକକୁ ଡକାଯାଇ ତାଗିଦ୍‌ କରାଯାଇଛି। ଘର ଓ ଜମିର ପଟ୍ଟା ନଦେଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଛି। ଫଳରେ ଠିକଣା ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କୌଣସି ଅଘଟଣକୁ ଏଡ଼ାଇ ଦିଆଯାଇପାରିବନି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର