‘ରଙ୍ଗବତୀ’ର ମାଟିକୁ ମହକାଇବ ‘କଳାବତୀ’ : ଚଳିତ ବର୍ଷ ୭୦ ଏକର ଜମିରେ ଚାଷ ହୋଇଛି ‘କଳାବତୀ’ ଧାନ, ଔଷଧୀୟ ଗୁଣ ପାଇଁ ବଜାରରେ ଚାହିଦା ବଢ଼ୁଛି

ସରକାରଙ୍କ ପକ୍ଷରୁ କିନ୍ତୁ ପ୍ରୋତ୍ସାହନ ମିଳୁନି

ସମ୍ବଲପୁର, (ଗାର୍ଗୀ ଶତପଥୀ): ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଏଥର ପ୍ରାୟ ୬୦ରୁ୭୦ ଏକର ଜମିରେ ହୋଇଛି ‘କଳାବତୀ’ ଧାନ। ଏହି ଧାନର ଚାଉଳ କର୍କଟ, ହୃଦରୋଗ, ଯକୃତରୋଗ, ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ବୋଲି ଜଣାପଡ଼ିବା ପରେ ଏହି ଧାନର ଚାଉଳର ଚାହିଦା ବଢ଼ି ଯାଇଛି। ସାଧାରଣ ଚାଉଳ ଅପେକ୍ଷା କଳାବତୀ ଚାଉଳ ୩୦ ଗୁଣ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ବାହାର ବଜାରରେ ମଧ୍ୟ ଏହି ଧାନରୁ ପ୍ରସ୍ତୁତ ଚାଉଳର ବେଶ୍‌ ଚାହିଦା ରହିଛି। ତେଣୁ ଏହାର ଚାଷ ଉପରେ କିଛି ବର୍ଷ ହେଲା ଚାଷୀମାନେ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। କିନ୍ତୁ ଏହି ସ୍ବତନ୍ତ୍ର ପ୍ରକାରର ଧାନ ଚାଷକୁ ଯେଉଁ ପରିମାଣର ପ୍ରୋତ୍ସାହନ ମିଳିବା କଥା ସେପରି ମିଳୁନାହିଁ ବୋଲି କିଛି ଚାଷୀ ଅଭିଯୋଗ କରିଛନ୍ତି।

ସମ୍ବଲପୁର ହାତୀବାରି ଅଞ୍ଚଳରେ କଳାବତୀ ଧାନ ଚାଷ କରିଥିବା ସୁନୀଲ ପ୍ରଧାନ କହିଛନ୍ତି, ୨୦୧୮ ମସିହାରେ ପ୍ରାୟ ୭ ଏକର ଜମିରେ ସେ ଏହି ବିହନ ବୁଣିଥିଲେ। ଏକର ପ୍ରତି ୧୨ ବସ୍ତା ଧାନ ଉତ୍ପାଦନ କରି କେଜି ପ୍ରତି ୫୦୦ ଟଙ୍କାରେ ବିକ୍ରି କରିଥିଲେ। ସାଧାରଣ ଧାନରେ ଉତ୍ପାଦିତ ଚାଉଳ ମୂଲ୍ୟ କେଜି ପ୍ରତି ୧୭ରୁ୧୮ ଟଙ୍କା। କଳାବତୀର ମୂଲ୍ୟ ତାଠାରୁ ପ୍ରାୟ ୩୦ ଗୁଣ ଅଧିକ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟଗତ କାରଣରୁ ନିର୍ଦିଷ୍ଟ ବର୍ଗରେ ତାର ଚାହିଦା ରହିଛି। ବରଗଡ଼ ଜିଲ୍ଲାରେ ଜୈବିକ ଚାଷ କରି ପ୍ରସିଦ୍ଧି ଲାଭ କରିଥିବା ଚାଷୀ ସୁଦାମ ସାହୁ ପ୍ରଥମ କରି ୨୦୧୬ ମସିହାରେ ନୟାଗଡ଼, ପଶ୍ଚିମବଙ୍ଗ, ଛତିଶଗଡ଼ରୁ କଳାବତୀ ବିହନ ଆଣି ଏହି ଚାଷ ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କ ପାଖରେ ୧୨ ପ୍ରକାର ବିହନ ରହିଛି। ପ୍ରଥମେ ସେ କଳାବତୀର ଔଷଧୀୟ ଗୁଣ ନେଇ ଅବଗତ ନଥିଲେ। ୨୦୧୭ ମସିହାରେ ଏମ୍ସର ଡାକ୍ତର ଟିମ୍‌ ତାଙ୍କ କ୍ଷେତକୁ ଆସି ଏହି ବିହନ ଏବଂ ଚାଉଳର ଗୁରୁତ୍ବ ବିଷୟରେ ବୁଝାଇଥିଲେ। ଅନ୍ୟ ଚାଉଳ ଅପେକ୍ଷା କଳାବତୀରେ ଶର୍କରା ପ୍ରତିଶତ କମ୍‌, ଲୌହ, କ୍ୟାଲସିୟମ ଅଧିକ ରହିଛି। ପାରମ୍ପରିକ ଭାବେ ଚାଷ ହେଉଥିବାରୁ ଥରେ କଳାବତୀ ବିହନ ଚାଷ କଲେ ପରବର୍ତ୍ତୀ ସମୟରେ ବିହନ ପାଇଁ ଚାଷୀକୁ ପରନିର୍ଭରଶୀଳ ହେବାକୁ ପଡ଼େ ନାହିଁ। କଳାବତୀ ଚାଉଳର ମୂଲ୍ୟ ମଣିପୁର ସମେତ ବାହାର ରାଜ୍ୟରେ ବହୁତ ଅଧିକ ଥିବା ବି କହିଥିଲେ। ଏହାପରେ ସୁଦାମ ନିଜେ ଚାଷ କରି ରାଜସ୍ଥାନ, ହରିୟାଣା, ଗୁଜରାଟକୁ ଚାଉଳ ରପ୍ତାନି କରି ଭଲ ଆୟ କରିଛନ୍ତି। ୧ ଏକରରୁ ଏହି ଚାଷ ଆରମ୍ଭ କରିଥିଲେ। ବର୍ତ୍ତମାନ ୧୨ରୁ୧୩ ଏକର ଜମିରେ ଏହି ଧାନ ଚାଷ କରୁଛନ୍ତି।

ଚଳିତ ବର୍ଷ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଆଦି ବିଭିନ୍ନ ସ୍ଥାନରେ କଳାବତୀ ବ୍ୟାପ୍ତ ହେବାରେ ଲାଗିଛି। ତଥାପି ଏହି ଚାଉଳ ମୂଲ୍ୟ ସାଧାରଣ ଖାଉଟିଙ୍କ ପାଇଁ ଆକାଶଛୁଆଁ ହୋଇଛି। କେବଳ ନିର୍ଦ୍ଦି‌ଷ୍ଟ ବର୍ଗ ଏହାକୁ ଏବେ କିଣି ପାରୁଛନ୍ତି। ଅଧିକ ପରିମାଣରେ ଏହାର ଚାଷ ହୋଇପାରିଲେ ଓ କୃଷି ବିଭାଗ ଏହା ଉପରେ ପ୍ରୋତ୍ସାହନ ଓ ସହଯୋଗ ଦେଲେ ସାଧାରଣ ଲୋକେ ବି କଳାବତୀର ସୁଗୁଣରୁ ସୁଫଳ ପାଇପାରିବେ ବୋଲି ମତ ପ୍ରକାଶ ପାଉଛି।

ତେବେ ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ ଖଗେନ୍ଦ୍ର ଜେନା କହିଛନ୍ତି, କଳାବତୀ ନେଇ ସରକାରୀ ପ୍ରୋତ୍ସାହନର ବ୍ୟବସ୍ଥା ନାହିଁ। ପରମ୍ପରାଗତ କୃଷି ବିକାଶ ଯୋଜନାରେ କୁଚିଣ୍ଡା, ନାକ୍ଟିଦେଉଲ, ଯୁଯୁମୁରା, ଜମନକିରାରେ କିଛି ସାମାଜିକ ସଙ୍ଗଠନ ପକ୍ଷରୁ ପାରମ୍ପରିକ ଫସଲ କରାଯାଉଛି। ଏଥିରେ କଳାବତୀକୁ ପ୍ରୋତ୍ସାହନ ଦିଆଯାଇ ପାରିବ।

ସମ୍ବନ୍ଧିତ ଖବର