୯ବର୍ଷ ପରେ ମନେପଡ଼ିଲା : ସିବିଆଇ ପଞ୍ଝାରେ ‘ବ୍ଲାକ୍‌ରୋଜ୍‌’; ତନାଘନା ଆରମ୍ଭ, ଓଡ଼ିଶାରେ କମ୍ପନ

ଭୁବନେଶ୍ୱର/ ଜଗତସିଂହପୁର : ୨୦୦୯ ମସିହାରେ ପାରାଦୀପ ବନ୍ଦର ନିକଟରେ ବୁଡିଯାଇଥିଲା ଏମ୍‌ ଭି ବ୍ଲାକ୍‌ରୋଜ୍‌ ଜାହାଜ। ଏହାର ପାଖାପାଖି ୯ବର୍ଷ ପରେ ଏହି ଜାହାଜ ବୁଡି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ସିବିଆଇ। କେନ୍ଦ୍ର ଜାହାଜ ମନ୍ତ୍ରାଳୟ ଗତ ଜୁନ୍‌ ୨୦ ତାରିଖରେ ସିବିଆଇକୁ ଏହି ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଥିଲେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସିବିଆଇ ଅଧିକାରୀମାନେ ଏହି ଘଟଣା ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ଏହାକୁ ନେଇ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହେଲାଣି। ବ୍ଲାକରୋଜ୍‌ ପ୍ରସଙ୍ଗରେ ଅପରାଧିକ ଦିଗ ସହିତ ରାଜନେିତକ ଦିଗକୁ ମଧ୍ୟ ସିବିଆଇ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି।

ଗୋଟିଏ ପଟେ ଚିଟ୍‌ଫଣ୍ଡ ଠକେଇ ଘଟଣାରେ ସିବିଆଇ ପୁଣିଥରେ ତନାଘନା ଆରମ୍ଭ କରିଥିବା ବେଳେ ବ୍ଲାକରୋଜ୍‌ ଘଟଣାର ଅନୁସନ୍ଧାନ ନିଷ୍ପତ୍ତି ଓଡ଼ିଶା ରାଜନୀତି ଉପରେ ବଡ଼ ଧରଣର ପ୍ରଭାବ ପକାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଗୁଆ ନିର୍ବାଚନ ସୂଚନା ମିଳୁଥିବା ପରିପ୍ରେକ୍ଷୀରେ ସିବିଆଇର ଏହି କାର୍ଯ୍ୟାନୁଷ୍ଠାନ ରାଜନୈତିକ ନେତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କଲାଣି। ବିଶେଷକରି ବ୍ଲାକରୋଜ୍‌ ଘଟଣାରେ ସିବିଆଇ କାହାକୁ ଡାକିବ, କେଉଁ ଦିଗରୁ ତଦନ୍ତ ଆରମ୍ଭ କରିବ, ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୦୯ ସେପ୍ଟେଟର ୯ ତାରିଖରେ ଆବଶ୍ୟକତାଠାରୁ ଅଧିକ ପରିମାଣରେ ପଣ୍ୟ ନେଇ ଯାଉଥିବା ବ୍ଲାକ୍‌ରୋଜ୍‌ ସମୁଦ୍ରରେ ବୁଡ଼ି ଯାଇଥିଲା। ପ୍ରବଳ ବର୍ଷା ସତ୍ତେ୍ଵ ଅତ୍ୟନ୍ତ ବେଆଇନ ଭାବେ ଜାହାଜରେ ପଣ୍ୟ ଲୋଡିଂ କରାଯାଇଥିବା ନେଇ ଅଭିଯୋଗ ଉଠିିଥିଲା। କେବଳ ସେତିକି ନୁହେଁ, ଜାହାଜଟି ଜାଲ୍‌ ନଥିପତ୍ରରେ କାରବାର କରୁଥିବା ବେଳେ ଏହାର ବୀମା, ଫିଟ୍‌ନେସ୍‌ ସବୁକିଛି ନକଲି ଥିବା ନେଇ ସୂଚନା ମିଳିଥିଲା।

ଏହି ଘଟଣାରେ ପ୍ରଥମେ ସିଙ୍ଗାପୁରରେ ରହୁଥିବା ଜାହାଜର ମାଲିକ, କାରବାର ବୁଝୁଥିବା ମ୍ୟାନେଜମେଣ୍ଟ୍‌ କମ୍ପାନି ଓ ଆଞ୍ଚଳିକ ଏଜେଣ୍ଟଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ପରେ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିବା ପାଇଁ ଏହି ମାମଲାକୁ କ୍ରାଇମ୍‌ବ୍ରାଞ୍ଚକୁୁ ହସ୍ତାନ୍ତର କରାଯାଇଥିଲା। ତଥାପି ଜାହାଜ ମାଲିକ ଓ ଏହାର ଏଜେଣ୍ଟ୍‌ମାନଙ୍କ ପାଖରେ ପୁଲିସ ପହଞ୍ଚି ପାରିନଥିଲା।
ଆଇନ ଆଖିରେ ଏବେ ବି ସମସ୍ତେ ଫେରାର ଥିବା ଦର୍ଶାଯାଇଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ଏହି ଜାହାଜରୁ ତେଲ ବାହାର କରିବା ଓ ଅନ୍ୟାନ୍ୟ ବାବଦରେ ପାରାଦୀପ ବନ୍ଦର ନ୍ୟାସ ପକ୍ଷରୁ ୧୭ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା। ଏକଥା ବି ପ୍ରଶ୍ନ ଉଠିଥିଲା ଏହି ଟଙ୍କାକୁ କିଏ ଭରଣା କରିବ? ଶାସକ ବିଜେଡିରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ତୁ ତୁ ମେ ମେ ହୋଇଥିଲା।

ଏମିିତି ଏକ ପରିସ୍ଥିତିରେ ମାମଲାଟି ଗତବର୍ଷ ଭିନ୍ନ ମୋଡ଼ ନେଇଥିଲା। ଏହି ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବିରେ ପାରାଦୀପ ବନ୍ଦରର ଦୁଇ ଟ୍ରଷ୍ଟି ପ୍ରତାପ ମିଶ୍ର ଓ ଭୁବନମୋହନ ଜେନା ଗତବର୍ଷ ଜୁଲାଇ ୨୯ ଓ ପରେ ସେପ୍‌ଟେମ୍ବର ୯ ତାରିଖରେ ଦୁଇଟି ଚିଠି ଲେଖିଥିଲେ। ମାତ୍ର ଏ ନେଇ ବନ୍ଦର କର୍ତ୍ତୃପକ୍ଷ କୌଣସି ପ୍ରକାର ପଦକ୍ଷେପ ନେଇନଥିଲେ। ପରେ ଗଣମାଧ୍ୟମରେ ବୁଡ଼ି ଯାଇଥିବା ଏହି ଜାହାଜ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଗତ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ଟ୍ରଷ୍ଟ ବୋର୍ଡ ବୈଠକରେ ପୁଣି ଥରେ ଏହି ପ୍ରସଙ୍ଗ ଉଠିଥିଲା। ଦୁଇ ଟ୍ରଷ୍ଟି ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମାମଲାର ସିବିଆଇ ତଦନ୍ତ ଦାବିରେ ଅଟଳ ରହିଥିଲେ।

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ସିବିଆଇକୁ ଗତ ୨୦ ତାରିଖରେ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ପାରାଦୀପ ପୋର୍ଟ ଟ୍ପଷ୍ଟ ବୋର୍ଡ ଟ୍ରଷ୍ଟିଙ୍କ ଅଭିଯୋଗକୁ ତର୍ଜମା କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରାଳୟକୁ ସୁପାରିସ କରିଥିଲେ। ଏହାକୁ ମନ୍ତ୍ରାଳୟ ଗ୍ରହଣ କରିଛି। ଏହି ଜାହାଜ ବୁଡି ଘଟଣାର ସିବିଆଇ ତଦନ୍ତ କରାଇବା ଲାଗି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଦୁଇ ଟ୍ରଷ୍ଟିଙ୍କ ମୂଳ ଅଭିଯୋଗକୁ ମଧ୍ୟ ସିବିଆଇ ତଦନ୍ତ ପାଇଁ ମନ୍ତ୍ରାଳୟକୁ ପଠାଯାଇଛି।

ଅବସରପ୍ରାପ୍ତ ଆଇଏଏସ୍‌ଙ୍କୁ ଜେରା, ପୁଣି ହାଜର ହେଲେ ପ୍ରଶାନ୍ତ ଦାସ

ଭୁବନେଶ୍ୱର : ସିସୋର ଠକେଇ ମାମଲାରେ ସିବିଆଇ ତନାଘନା ଆରମ୍ଭ କରିଛି। ଆଜି ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଓ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସଂଗ୍ରାମ କେଶରୀ ରାୟ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଉଭୟଙ୍କୁ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ସିବିଆଇ ଜେରା କରିଥିଲା। ସିସୋର ଠକେଇ ନେଇ ସିବିଆଇ ଖୋଳତାଡ଼ ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ଉଭୟଙ୍କୁ ଜେରା କରାଯାଇଥିବା କୁହାଯାଉଛି।

ତେବେ ଏଭଳି ଅଭିଯୋଗକୁ ପ୍ରଶାନ୍ତ ଖଣ୍ଡନ କରିଛନ୍ତି। ଗଣମାଧ୍ୟମକୁ କହିଛନ୍ତି, ତାଙ୍କର ବିଦେଶ ଯିବାର ଅଛି। ତେଣୁ ସେ ସିବିଆଇଠାରୁ ଅନୁମତି ନେବାକୁ ଆସିଥିଲେ। ସିବିଆଇ ଏ ସଂକ୍ରାନ୍ତ କେତେକ କାଗଜପତ୍ର ଦାଖଲ କରିବାକୁ କହିଥିବାରୁ ସେହି କାଗଜପତ୍ର ଦାଖଲ କରିବାକୁ ଆସିଥିଲେ।

ଅନ୍ୟପକ୍ଷରେ ପର୍ଯ୍ୟଟନ ବିଭାଗ ସହିତ ସିସୋରର ସମ୍ପର୍କ ନେଇ ଆଇଏଏସ୍‌ ଅଧିକାରୀ ପରାଗ ଗୁପ୍ତା ଓ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସଂଗ୍ରାମ କେଶରୀ ରାୟଙ୍କୁ ଆଜି ହାଜର ହେବାକୁ ସିବିଆଇ ସମନ୍‌ କରିଥିଲା। ଆଜି ସଂଧ୍ୟା ପ୍ରାୟ ୫ଟାବେଳେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଶ୍ରୀ ରାୟ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେ ଓଟିଡିସି ମହାପ୍ରବନ୍ଧକ ଥିଲେ। ଏହି ସମୟରେ ସେ ସିସୋରକୁ ଅହେତୁକ ଅନୁକମ୍ପା ଦେଖାଇଥିବା ସିବିଆଇ ତଦନ୍ତବେଳେ ଜାଣିବାକୁ ପାଇଛି। ରାତି ୮ଟା ପର୍ଯ୍ୟନ୍ତ ତାଙ୍କୁ ଜେରା କରାଯାଇଥିଲା। ଶ୍ରୀ ରାୟ କେତେକ କାଗଜପତ୍ର ମଧ୍ୟ ସିବିଆଇର ତଦନ୍ତକାରୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। କିନ୍ତୁ ସେ ଦେଖାଇଥିବା କାଗଜପତ୍ରରେ ସିବିଆଇ ଅସନ୍ତୋଷ ପ୍ରକଟ କରିଛି। ତେଣୁ ସେ ଆସନ୍ତାକାଲି ପୁଣି ଥରେ ହାଜର ହେବାକୁ ସିବିଆଇ ପକ୍ଷରୁ କୁହାଯାଇଛି।

ଏହା ପୂର୍ବରୁ ସିବିଆଇ ସିସୋର ଲିଙ୍କ୍‌ ନେଇ ଇପିକଲ୍‌ର ପୂର୍ବତନ ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ହୋତା ଓ ଅଧ୍ୟକ୍ଷ ବାଳକୃଷ୍ଣ କରଙ୍କ ଘରେ ଚଢ଼ଉ କରିବା ସହିତ ଜେରା କରିଥିଲା। ପରବର୍ତୀ ସମୟରେ ଶ୍ରୀ ହୋତାଙ୍କୁ ସିବିଆଇ ଗିରଫ କରିଥିଲା।

ତେବେ ଆଜି ପୁଣି ଥରେ ପ୍ରଶାନ୍ତ ଦାସ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ନେଇ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି। କିନ୍ତୁ ପ୍ରଶାନ୍ତ ଆଜି କହିଛନ୍ତି, ସମନ କରାଯାଇଥିବା ଦୁଇ ପ୍ରଶାସନିକ ଅଧିକାରୀଙ୍କୁ ସେ ଚିହ୍ନି ନାହାନ୍ତି।

ସମ୍ବନ୍ଧିତ ଖବର