ହେମଗିର ଜଙ୍ଗଲରେ କଳାବାଘ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ହେମଗିର ଜଙ୍ଗଲ ରେଞ୍ଜ ଅନ୍ତର୍ଗତ ଦାଘୋରା ସେକ୍ସନ ଗର୍ଜନବାହାଲ ସଂରକ୍ଷିତ ଜଙ୍ଗଲରେ ବିରଳ କଳା ବାଘ ବିଚରଣ କରୁଥିବା ଦୃଶ୍ୟ କ୍ଲୋଜ୍‌ ସର୍କିଟ୍‌ (ସିସି) କ୍ୟାମେରାରେ କଏଦ୍‌ ହୋଇଛି। ସୁତରାଂ ଓଡ଼ିଶା ଜଙ୍ଗଲରେ କଲରାପତରିଆ ପ୍ରଜାତିର ଏହି ବିରଳ କଳା ବାଘ ଥିବାର ପ୍ରଥମ ପ୍ରମାଣ ମିଳିଛି।

ଦକ୍ଷିଣ-ଏସିଆ ଓ ଆଫ୍ରିକାର ବିଷୁବମଣ୍ଡଳୀୟ ଜଙ୍ଗଲରେ ସାଧରଣତଃ କଳା ବାଘ ଦୃଶ୍ୟମାନ ହୋଇଥାନ୍ତି। ଭାରତରେ କେରଳ, କର୍ଣ୍ଣାଟକ, ଛତିଶଗଡ଼, ମହାରାଷ୍ଟ୍ର, ଗୋଆ, ତାମିଲନାଡ଼ୁ, ଆସାମ ଓ ଅରୁଣାଚଳ ପ୍ରଦେଶର କେତେକ ଘଞ୍ଚ ଜଙ୍ଗଲରେ ନଗଣ୍ୟ ସଂଖ୍ୟକ କଳା ବାଘ ଅଛନ୍ତି। ଓଡ଼ିଶା ଜଙ୍ଗଲରେ କଳା ବାଘ ଥିବା ପ୍ରମାଣ ମିଳିବା

ପରେ ଆମ ରାଜ୍ୟ ଏହି ତାଲାକରେ ସ୍ଥାନ ପାଇଛି। ଏହି ଖବର ବନ୍ୟ ପ୍ରାଣୀପ୍ରେମୀଙ୍କୁ ଆମୋଦିତ କରିଛି। ସୂଚନାଯୋଗ୍ୟ, ୧୯୯୨ ମସିହାରେ ଶିମିଳିପାଳ ଓ ଫୁଲବାଣୀ ଜଙ୍ଗଲରେ କଳା ବାଘ ଉପସ୍ଥିତି ସମ୍ପର୍କରେ ବନ ବିଭାଗକୁ ସୂଚନା ମିଳିଥିଲା। ମାତ୍ର ସେତେବେଳେ କଳା ବାଘର ଫଟୋଚିତ୍ର କିମ୍ବା ଏହାର ଉପସ୍ଥିତିକୁ ଦୃଢ଼ କରିବା ଭଳି ଠୋସ୍‌ ପ୍ରମାଣ ମିଳି ନଥିଲା। ହେମଗିରଠାରୁ ପ୍ରାୟ ୩୦୦ କିଲୋମିଟର ଦୂର ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲା ଅନ୍ତର୍ଗତ ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରେ ଗୋଟିଏ ବିରଳ କଳା ବାଘ ବିଚରଣ କରୁଥିବା ସିସି କ୍ୟାମେରା ଚିତ୍ରରୁ ଗତ ଏପ୍ରିଲ୍‌ ୨୩ରେ ସ୍ପଷ୍ଟ ହୋଇଥିଲା। ପ୍ରାୟ ୨୪ ବର୍ଷ ପୂର୍ବରୁ ସେହି ଜଙ୍ଗଲରେ କଳା ବାଘ ଦୃଶ୍ୟମାନ ହୋଇଥିବା କେତେକ ସୂତ୍ରରୁ ଜଣାପଡ଼ିଥିଲେ ମଧ୍ୟ ତାହାର ବିଜ୍ଞନସମ୍ମତ ପ୍ରମାଣ ମିଳି ନଥିଲା।

ସୁନ୍ଦରଗଡ଼ ବନଖଣ୍ଡ ଅଧୀନସ୍ଥ ଗର୍ଜନବାହାଲ ସଂରକ୍ଷିତ ଜଙ୍ଗଲ ସମେତ ବିଭିନ୍ନ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ଗତିବିଧିରେ ନଜର ରଖିବାକୁ ବନଖଣ୍ଡ ଅଧିକାରୀ ଡ. ଅରୁଣ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ୨୦୧୫ ଡିସେମ୍ବରରେ ସିସି କ୍ୟାମେରା ଖଞ୍ଜାଯାଇଥିଲା। ପ୍ରାୟ ୫୯୪୭ ହେକ୍ଟର ପରିମିତ ହେମଗିର ରେଞ୍ଜ୍‌ ଓ ଗୋପାଳପୁର ରେଞ୍ଜ୍‌ (୪୦.୯୦.୬୫ ହେକ୍ଟର) ପରିବ୍ୟାପ୍ତ ଗର୍ଜନବାହାଲ ସଂରକ୍ଷିତ ଜଙ୍ଗଲରେ କଳାବାଘ ବିଚରଣ କରୁଥିବା ସିସି କ୍ୟାମେରା ଚିତ୍ରରୁ ସ୍ପଷ୍ଟ ହୋଇଛି। ପ୍ରତ୍ୟେକ ଦୁଇ ମାସରେ ସିସି କ୍ୟାମେରାରେ ରେକର୍ଡ଼ ଚିତ୍ରକୁ ଯାଞ୍ଚ କରାଯାଇଥାଏ। ଚଳିତ ମେ’ ପ୍ରଥମ ସପ୍ତାହରେ ଭୁବନେଶ୍ୱର ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) କାର୍ଯ୍ୟାଳୟର ଦୁଇଜଣ ଗବେଷକ ଭକ୍ତ ରଥ ଓ ନିମାଇଁ ପଟେଲ ଗର୍ଜନବାହାଲ ଜଙ୍ଗଲରେ ଖଞ୍ଜାଯାଇଥିବା କ୍ୟାମେରାକୁ ଯାଞ୍ଚ କରିଥିଲେ। ଗୋଟିଏ କଳା ବାଘର ଯିବା-ଆସିବା ଦୃଶ୍ୟ କ୍ୟାମେରାରେ ଥିବା ସେମାନେ ଦେଖିବାକୁ ପାଇଥିଲେ। ମାତ୍ର ଏହା ବିରଳ ପ୍ରଜାତିର କଳାବାଘ କି ନୁହେଁ ତାହା ସ୍ପଷ୍ଟ ହୋଇପାରିନଥିଲା। ପରବର୍ତ୍ତୀ ସମୟରେ ଟିକିନିଖି ଯାଞ୍ଚ କରାଯିବାରୁ ତାହା କଳା ବାଘ ବୋଲି ସ୍ପଷ୍ଟ ହୋଇଥିଲା। ଏ ସଂପର୍କରେ ଆଜି ପିସିସିଏଫ୍‌ ଡା. ସନ୍ଦୀପ ତ୍ରିପାଠୀ ଗଣମାଧ୍ୟମକୁ ସବିଶେଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର