ଶିମିଳିପାଳରେ ୪ କଳା ମହାବଳ ବାଘ

ସାତକୋଶିଆରେ ଖୁବ୍‌ଶୀଘ୍ର ଛଡ଼ାଯିବ ମଧ୍ୟପ୍ରଦେଶର ବାଘ, ୨ ବର୍ଷରେ ଜଙ୍ଗଲରୁ ସ୍ଥାନାନ୍ତର ହୋଇଛନ୍ତି ୨୩୧ ପରିବାର

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲ ରେଞ୍ଜ ଅନ୍ତର୍ଗତ ଦାଘୋରା ସେକ୍ସନ ଗର୍ଜନବାହାଲ ସଂରକ୍ଷିତ ଜଙ୍ଗଲରେ ବିରଳ କଳା ବାଘ ଥିବା ଜଣାପଡ଼ିବା ପରେ ଏବେ ଆଉ ଏକ ତଥ୍ୟ ପଦାକୁ ଆସିଛି। ଶିମିଳିପାଳ ଅଭୟାରଣ୍ୟ ପରିସରରେ ୪ଟି ମେଲାନିଷ୍ଟିକ୍‌ ଟାଇଗର(କଳା ପଟିଥିବା ରୟାଲ ବେଙ୍ଗଲ ଟାଇଗର) ରହିଥିବା ନେଇ ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ଶିମିଳିପାଳ ଜଙ୍ଗଲରେ ଲଗାଯାଇଥିବା କ୍ୟାମେରାରେ ଏହି ପ୍ରଜାତିର ବାଘଗୁଡ଼ିକ କଏଦ ହୋଇଛନ୍ତି। ବିଶ୍ୱର ଅଳ୍ପ କେତେକ ସ୍ଥାନରେ ଏଭଳି ବାଘ ଦେଖିବାକୁ ମିଳେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ଏହି ପ୍ରଜାତିର ବାଘ ଅଛନ୍ତି। କଳା ବାଘ ପରେ ଏହି ପ୍ରଜାତିର ବାଘ ଚିହ୍ନଟ ହେବା ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।

ଶ୍ରୀ ମହାପାତ୍ର କହିଛନ୍ତି ଯେ ୫୦ ବର୍ଷ ତଳେ ବାଘ ଶିକାର ହେଉଥିଲା। ଶିକାର କରୁଥିବା ଶିକାରୀଙ୍କୁ ପୁରସ୍କାର ମଧ୍ୟ ଦିଆଯାଉଥିଲା। ଯିଏ ଯେତେ ବାଘ ଶିକାର କରୁଥିଲେ ସେ ସେତେ ଦକ୍ଷ ବୋଲି କୁହାଯାଉଥିଲା। ତେଣୁ ବାଘଙ୍କ ସଂଖ୍ୟା ବହୁତ କମ୍‌ ରହିଥିଲା। ଏବେ କିନ୍ତୁ ବାଘଙ୍କୁ ବଞ୍ଚାଇ ରଖିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ୧୯୭୨/୭୩ ପରଠାରୁ ‘ଟାଇଗର ପ୍ରୋଜେକ୍ଟ’ ଆରମ୍ଭ ହେବା ପରେ ବାଘଙ୍କ ସଂଖ୍ୟା ବଢ଼ିଛି। ବିଶ୍ୱର ମୋଟ ବାଘଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ କେବଳ ଭାରତରେ ରହିଛନ୍ତି। ଓଡ଼ିଶାର ଶିମିଳିପାଳରେ ବାଘ ରହିଥିବା ବେଳେ ସାତକୋଶିଆରେ ବାଘ ନାହାନ୍ତି। ସେଠାକୁ ମଧ୍ୟପ୍ରଦେଶର କାହ୍ନା ଏବଂ ଅନ୍ୟାନ୍ୟ ବ୍ୟାଘ୍ର ପ୍ରକଳ୍ପରୁ ବାଘ ଆଣିବା ଦିଗରେ ପଦକ୍ଷେପ ନିଆଯାଇଛି। ଖୁବ୍‌ଶୀଘ୍ର ଏହି ପ୍ରକ୍ରିୟା ଶେଷ ହେବ। ଫଳରେ ସାତକୋଶିଆରେ ବାଘଙ୍କ ସଂଖ୍ୟା ପୁଣିଥରେ ବୃଦ୍ଧି ପାଇବ। ଯେଉଁ ଜଙ୍ଗଲରେ ଯେତେ ଅଧିକ ବାଘ ରହିବେ ସେ ଜଙ୍ଗଲ ସେତେ ସମ୍ପୃଦ୍ଧ ହେବ। ହରିଣ, ସମ୍ବର ପରି ଅନ୍ୟାନ୍ୟ ଜୀବଜନ୍ତୁଙ୍କ ସଂଖ୍ୟା ମଧ୍ୟ ଜଙ୍ଗଲରେ ବୃଦ୍ଧି ପାଇବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଅଭୟାରଣ୍ୟରେ ବସବାସ କରୁଥିବା ଲୋକଙ୍କ ଥଇଥାନ ଦିଗରେ ପଦକ୍ଷେପ ନିଆଯାଇଛି। ଗତ ୨ ବର୍ଷ ମଧ୍ୟରେ ରାଜ୍ୟର ୩ଟି ପ୍ରମୁଖ ଅଭୟାରଣ୍ୟରେ ବାସ କରୁଥିବା ୫ଟି ଗ୍ରାମର ୨୩୧ଟି ପରିବାରକୁ ସ୍ଥାନାନ୍ତରିତ କରାଯାଇଛି। ସାତକୋଶିଆ ବ୍ୟାଘ୍ର୍ର ଅଭୟାରଣ୍ୟ ମଧ୍ୟରୁ ଦୁଇଟି ଗ୍ରାମର ୭୮ଟି ପରିବାର, ଶିମିଳିପାଳର ଗୋଟିଏ ଗ୍ରାମର ୭୯ଟି ପରିବାର ଓ ହୀରାକୁଦ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ୨ଟି ଗ୍ରାମର ୭୪ଟି ପରିବାରକୁ ସ୍ଥାନାନ୍ତରିତ କରାଯାଇ ନୂତନ ଭାବେ ବାସସ୍ଥାନ ଯୋଗାଇ ଦିଆଯାଇଛି।

ଏନେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ବର୍ଷକ ତଳେ ଶିମିଳିପାଳରୁ ଗୋଟିଏ ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏବେ ସେହି ଅଞ୍ଚଳରେ ହାତୀ, ହରିଣ, ସମ୍ବର ପରି ଜନ୍ତୁ ରହୁଛନ୍ତି। ଯେତେବେଳେ ସେଠାରେ ଗାଁ ରହିଥିଲା ସେତେବେଳେ ତାହାର ୧୦ କିମି ପରିସରରେ ଗୋଟିଏ ବି ଜୀବଜନ୍ତୁଙ୍କୁ ଦେଖିବାକୁ ମିଳୁ ନ ଥିଲା। ବର୍ଷକ ଭିତରେ ସେଠାକାର ଚିତ୍ର ବଦଳି ଯାଇଛି। ଚାଷ ଜମିଗୁଡ଼ିକ ଏବେ ଘାଷ ଜମିରେ ପରିଣତ ହୋଇଛି। ଆଗାମୀ ଦିନରେ ଏଦିଗରେ ଆହୁରି ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର