‘ବ୍ଲାକ୍‌ରୋଜ୍‌’ ବୁଡ଼ି ବିବାଦ : ବନ୍ଦର ଅଫିସ୍‌ରେ ସିବିଆଇ ଖୋଳତାଡ଼

ଜଗତସିଂହପୁର : ସମୁଦ୍ରରେ ବ୍ଲାକ୍‌ରୋଜ ବୁଡ଼ିବା ଘଟଣାରେ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି। ସିବିଆଇର ଜଣେ ବରିଷ୍ଠ ଅଧିକାରୀ ତିନି ଦିନ ହେଲା ବନ୍ଦର କାର୍ଯ୍ୟାଳୟକୁ ଯାଇ ବ୍ଲାକ୍‌ରୋଜ ବାବଦରେ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି। ଏ ସମସ୍ତ ପ୍ର୍ରକ୍ରିୟା ଖୁବ୍‌ ଗୋପନରେ କରାଯାଉଛି। ଏ ସଂପର୍କରେ ଉଭୟ ସିବିଆଇ ଓ ବନ୍ଦର କର୍ତ୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି। ବନ୍ଦର ଅଧ୍ୟକ୍ଷ ଓ ସଚିବ ବର୍ତ୍ତମାନ ବିଶାଖାପାଟଣା ଗସ୍ତରେ ଥିବାରୁ ଏ ସଂକ୍ରାନ୍ତରେ କେହିି ସ୍ପଷ୍ଟ ଉତ୍ତର ଦେଉ ନାହାନ୍ତି।

ବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଆସିବା ପରେ ତୁରନ୍ତ ଜଣେ ବରିଷ୍ଠ ଅଧିକାରୀ ପାରାଦୀପରେ ପହଞ୍ଚିଥିଲେ। ଏଠାରେ ବନ୍ଦର ନ୍ୟାସ କାର୍ଯ୍ୟାଳୟରେ ପହଞ୍ଚି ବ୍ଲାକ୍‌ରୋଜ୍‌ ବାବଦରେ ଖୋଳତାଡ଼ ଆରମ୍ଭ କରିଥିଲେ। କେଉଁ ଦିନ ଏହି ଜାହାଜ ସମୁଦ୍ର ମଧ୍ୟକୁ ପ୍ରବେଶ କରିଥିଲା, କେଉଁ କମ୍ପାନିର ପଣ୍ୟ ଜାହାଜରେ କାରବାର କରୁଥିଲା, ଏହି ଘଟଣା ଘଟିବା ଦିନ ଜାହାଜରେ କେଉଁମାନେ ଉପସ୍ଥିତ ଥିଲେ, ସେ ସଂପର୍କରେ ତଥ୍ୟ ସଂଗ୍ରହ କରୁଛି ସିବିଆଇ। ଏହି ଘଟଣାରେ ସିଙ୍ଗାପୁର କୋର୍ଟ, କୋଲକାତା ହାଇକୋର୍ଟ ଓ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି। ତଥାପି ଏହି ଘଟଣା ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ପ୍ରକୃତ ତଥ୍ୟ ଯୋଗାଡ଼ କରିବାକୁ ସକ୍ଷମ ହୋଇନାହାନ୍ତି। ସେଦିନ ଜାହାଜର ମୁଖ୍ୟ ଯନ୍ତ୍ରୀ ଆଲେକଜାଣ୍ଡାର ଇଲ୍ୟୁସ ଚଙ୍କୋଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ନାବିକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ସେହି ୨୬ ଜଣଙ୍କର ମଧ୍ୟ ବର୍ତ୍ତମାନ ପତ୍ତା ନାହିଁ। କ୍ରାଇମ୍‌ବ୍ରାଞ୍ଚ ଏହି ୨୬ ଜଣଙ୍କୁ ପଚରାଉଚରା କରିଛି କି ନାହିଁ, ତାହାର ମଧ୍ୟ କୌଣସି ସୂଚନା ନାହିଁ। ବ୍ଲାକ୍‌ରୋଜ ପାଇଁ ବନ୍ଦର ପ୍ରଶାସନ ୧୭ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କଲାଣି। ତଥାପି ଏହି ଜାହାଜରେ କେଉଁ କମ୍ପାନିର ପଣ୍ୟ ଯାଉଥିଲା, ତାହା ବର୍ତ୍ତମାନ ସ୍ପଷ୍ଟ ହେଉ ନାହିଁ। ବ୍ଲାକ୍‌ରୋଜ୍‌ ବୁଡ଼ି ଘଟଣାକୁ ନଅ ବର୍ଷ ବିତିଲାଣି। ଏହି ନଅ ବର୍ଷ ମଧ୍ୟରେ ଜାହାଜ ବୁଡ଼ିକୁ ନେଇ ଅସମାହିତ ପ୍ରଶ୍ନ ଉଙ୍କି ମାରିଛି।

ସମ୍ବନ୍ଧିତ ଖବର