ବିସ୍ଫୋରଣରେ ବାପା ମୃତ, ପୁଅ ଗୁରୁତର

ବାଣ ଭିଡ଼ିବାବେଳେ ଗୋପରେ ଅଘଟଣ

ଗୋପ: ଗୋପ ବ୍ଲକ୍‌ ଅନ୍ତର୍ଗତ ଦେସ୍ଥଳି ପଂଚାୟତର ଓଟର ନିକଟ ପିଙ୍ଗଳ ଗ୍ରାମରେ ଆଜି ବାଣ ବିସ୍ଫୋରଣରେ ଜଣେ ପ୍ରାଣ ହରାଇଛନ୍ତି। ଅନ୍ୟଜଣେ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ଆଜି ସକାଳେ ଘରେ ବାଣ ଭିଡ଼ା ଚାଲିଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ୮ଟାରେ ପିଙ୍ଗଳ ଗ୍ରାମର ରଞ୍ଜିତ ବିଶ୍ୱାଳ(୫୮) ଏବଂ ତାଙ୍କ ପୁଅ ବାପି ବିଶ୍ୱାଳ(୨୫) ନିଜ ଘରେ ବାଣ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ହଠାତ୍‌ ଏକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ରଞ୍ଜିତଙ୍କର ସେହିଠାରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। ପୁତ୍ର ବାପି ମଧ୍ୟ ଏଥିରେ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣରେ ବାପିଙ୍କ ହାତ କଟି ଯାଇଥିବାବେଳେ ସେ ଜୀବନ ବିକଳରେ ଛାତ ଉପରୁ ଡେଇଁ ପଡ଼ିଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ରଞ୍ଜିତ ଓ ବାପିଙ୍କୁ ଉଦ୍ଧାର କରି ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ତେବେ ସେଠାରେ ଡାକ୍ତର ରଞ୍ଜିତଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ବାପିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତି କରାଯାଇଥିଲା। ତେବେ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବିସ୍ଫୋରଣର ଭୟାବହତା ସଂପର୍କରେ ଜଣେ ଗ୍ରାମବାସୀ କହିଛନ୍ତି ଯେ ପ୍ରଚଣ୍ଡ ଶବ୍ଦ ଶୁଣି ପ୍ରଥମେ କେହି କିଛି ବୁଝି ପାରି ନଥିଲେ। ପ୍ରଥମେ ସମସ୍ତେ ଏଣେତେଣେ ଧାଇଁବା ଦେଖାଯାଇଥିଲା। ଏହା ସହିତ ପାଖରେ ରଖାଯାଇଥିବା ଅନ୍ୟ ବାଣଗୁଡ଼ିିକ ମଧ୍ୟ ବିସ୍ଫୋରଣ ହେବାରୁ ଦୁଇ ମହଲା ଘରଟି ସଂପୂର୍ଣ୍ଣର୍ ଭାବେ ଭାଙ୍ଗିଯାଇଛି। ଉପର ଘରର ଆଜବେଷ୍ଟସ୍‌ ଉଡ଼ିଯାଇଥିବାବେଳେ ଘରଗୁଡ଼ିକର ଅବଶିଷ୍ଟ ଅଂଶ ଝୁଲି ରହିଥିଲା । ଖବର ପାଇ ଗୋପ ଦମକଳ କେନ୍ଦ୍ରର ଅଧିକାରୀ ସୁକାନ୍ତ ଜେନାଙ୍କ ସମେତ ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚିି ଅନ୍ୟ ଅଫୁଟା ବାଣଗୁଡ଼ିକୁ ପାଣି ପକାଇ ନଷ୍ଟ କରିଥିଲେ। ଫଳରେ ଅନେକ ଧନଜୀବନ ନଷ୍ଟ ହେବାରୁ ବଞ୍ଚିିଯାଇଥିଲା । ଗୋପ ବ୍ଲକ୍‌ ଅଞ୍ଚଳରେ ବ୍ୟାପକ ବେଆଇନ ବାଣ ବ୍ୟବସାୟ ଚାଲିଥିବାବେଳେ ଏହାକୁ ଗୁରୁତର ଭାବେ ପ୍ରଶାସନ ନ ନେବାରୁ ଏଭଳି ଅଭାବନୀୟ କାଣ୍ଡ ଘଟୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର