ବାଣ କାରଖାନାରେ ବିସ୍ଫୋରଣ: ୨ ଗୁରୁତର

ବରୀ,୧୦|୧୦(ଇମିସ): ବେଆଇନ୍‌ ବାଣ କାରଖାନାରେ ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଦୁଇଜଣଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ପରେ ସଂକଟାପନ୍ନ ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ଘଟିଛି ବରୀ ବ୍ଲକ ମାଳଦ ସଂଖ୍ୟାଲଘୁ ବସ୍ତିରେ ସକାଳ ପ୍ରାୟ ସାଢ଼େ ୫ଟାରେ।ବରୀ ବ୍ଲକ କିମ୍ଭିରିଆପାଳ ପଞ୍ଚାୟତର ମାଳଦ ସଂଖ୍ୟାଲଘୁ ବସ୍ତିରେ ମଙ୍ଗଳବାର ସକାଳେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶବ୍ଦରେ ସାରା ବସ୍ତି ଥରି ଉଠିଥିଲା। ଏଥିରେ ସେକ୍‌ ମତୁଆଲିର ଏବଂ ନିକଟରେ ଠିଆହୋଇଥିବା ତାଙ୍କ ପିଉସି ପୁଅ ଭାଇ ସେକ୍‌ ସଲିମ୍‌ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କର ଦେହ ଅନେକାଂଶରେ ପୋଡ଼ିଯାଇଥିବା ଜଣାପଡ଼ିଛି। ଖବର ପାଇ ବରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମତୁଆଲିର ଘର ଖାନତଲାସ କରିଥିଲା। ଘରେ ୪ ବସ୍ତା ବଡ଼ ଗଡ଼ମା(ବୋମା), ପେଟି ପେଟି ସାନ ଗଡ଼ମା, ୪ ହଜାରରୁ ଅଧିକ ତାଳଫଟକା ସହିତ ବ୍ୟାପକ ପରିମାଣର ଅନ୍ୟାନ୍ୟ ବାଣ ବାହାରିଥିବା ଜଣାପଡ଼ିଛି। ଏହା ସହିତ ବାଣଭିଡିବା ପାଇଁ ଏକ ବାଲତିରେ(ପ୍ରାୟ ୧୦ କେଜି) ଭର୍ତ୍ତିହୋଇ ବାରୁଦ(ବିସ୍ଫୋରକ ଦ୍ରବ୍ୟ), ରୂପେଲି ରୁଖ, ରଂଜକ ପରି ବିସ୍ଫୋରକ କଞ୍ଚାମାଲ ଗଚ୍ଛିତ ଥିବାର ଜବତ କରାଯାଇଛି। ମତୁଆଲିର ବ୍ୟାପକ ପରିମାଣର ବିସ୍ଫୋରକ ଦ୍ରବ୍ୟ ଗଚ୍ଛିତ ରଖି ଛୋଟ ଛୋଟ ବ୍ୟବସାୟୀଙ୍କୁ ବିକ୍ରି ମଧ୍ୟ କରିଥାଏ। ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଓ ବିସ୍ଫୋରକ ଦ୍ରବ୍ୟ ପୁଲିସ ଜବତ କରି ମାମଲା ରଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର