ଗାଇସିଲାଟ୍/ପଦ୍ମପୁର : ଗାଁ ଗାଁକୁ ଫୋର୍-ଜି ସେବା ପହଂଚି ସାରିଛି। ଲୋକେ ବାହାର ଦୁନିଆ ସହିତ ଇଣ୍ଟରନେଟ୍ ମାଧ୍ୟମରେ ଯୋଡ଼ି ହେଲେଣି। କିନ୍ତୁ ବରଗଡ଼ ଜିଲ୍ଲାରେ ଅନ୍ଧବିଶ୍ବାସ ବର୍ତମାନ ସୁଦ୍ଧା ବଂଚିଛି। ଯାହାର ଝଲକ ଗାଇସିଲାଟ୍ ଏବଂ ପଦ୍ମପୁରରେ ବ୍ଲକରେ ଦେଖିବାକୁ ମିଳିଛି। ଶନିବାର ରାତି ପ୍ରାୟ ୧୨ଟା ବେଳେ ଗାଇସିଲାଟ୍ ବ୍ଲକ ଚଂଗରିଆ ଗାଁରେ ଘଟିଥିଲା ଅଘଟଣ। ସପ୍ତଶିଳା ଭୁଏ (୪୦) ଝିଅ ସଂଗୀତା ସହ ଘର ଚଟାଣରେ ଶୋଇଥିଲେ। ସ୍ବାମୀ ଅମୃତ ଭୁଏ ମଧ୍ୟ ଘରେ ଉପସ୍ଥିତ ଥିଲେ। ସପ୍ତଶିଳାଙ୍କ ଡାହାଣ ହାତକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଗାଇସିଲାଟ୍ରେ ଆମ୍ବୁଲାନ୍ସ ନଥିବାରୁ ଘରଲୋକେ ଝଡ଼ାଫୁଙ୍କା କରିବା ଆରମ୍ଭ କରି ଦେଇଥିଲେ। ପରେ ପଦ୍ମପୁରକୁ ଫୋନ୍ କରିବା ପରେ ରାତି ଅଢ଼େଇଟା ବେଳେ ଆମ୍ବୁଲାନ୍ସ ପହଂଚିଥିଲା। ସପ୍ତଶିଳା ପଦ୍ମପୁର ଡାକ୍ତରଖାନା ପହଂଚିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଡାକ୍ତରଖାନା ପରିସରରେ ବି ଶବକୁ ବଂଚାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ସେଠାରେ ଗୁଣିଆ ପହଂଚି ମନ୍ତ୍ରତନ୍ତ୍ର ପାଠ କରିବା ଆରମ୍ଭ କରିଥିଲେ। ଶହଶହ ଲୋକ ଏହି ଦୃଶ୍ୟ ଦେଖୁଥିଲେ। ପରେ ଡାକ୍ତରମାନେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ହେଲେ କିଛି ସମୟ ପୂର୍ବରୁ ଡାକିଥିଲେ ସେ ସପ୍ତଶିଳାଙ୍କୁ ବଂଚାଇ ପାରିଥାନ୍ତେ ବୋଲି ଗୁଣିଆ ଜଣକ ଦମ୍ଭୋକ୍ତି ପ୍ରକାଶ କରିଥିବା ଶୁଣିବାକୁ ମିଳିଥିଲା। ଆଧୁନିକ ଯୁଗରେ ବି ଅନ୍ଧବିଶ୍ବାସ ବଂଚିଛି ବୋଲି ଏହି ଘଟଣା ପରେ ସବୁଠି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସପ୍ତଶିଳାଙ୍କ ଏକମାତ୍ର ପୁଅ ତାମିଲନାଡ଼ୁକୁ ଦାଦନ ଖଟି ଯାଇଥିବାରୁ ସେ ମା’ର ଅନ୍ତ୍ୟେଷ୍ଟି କ୍ରିୟାରେ ବି ସାମିଲ ହୋଇପାରିନଥିଲା।