ମୃତକଙ୍କୁ ବଞ୍ଚାଇବାକୁ ଶ୍ମଶାନରେ ତନ୍ତ୍ରପାଠ, ଗ୍ରାମବାସୀଙ୍କ ବିରୋଧ, ତାନ୍ତ୍ରିକ ଛୁ’

କବିସୂର୍ଯ୍ୟନଗର : ବହୁ ସ‌ଚେତନ ପରେ ବି ବର୍ତମାନ ସମୟରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉଛନ୍ତି ଲୋକ। ଯାହାର ଏକ ନିଦର୍ଶନ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୁଡିଆଳି ଗ୍ରାମର କେନ୍ଦୁପାଟଣା ସାହିରେ। ମୃତ ହେବାର ୧୪ ଘଣ୍ଟା ପରେ ମୃତକକୁ ବଞ୍ଚାଇବାକୁ ପରିବାର ଲୋକେ ତାନ୍ତ୍ରିକର ଆଶ୍ରୟ ନେଇଥିବାବେଳେ ଗ୍ରାମବାସୀ ବିରୋଧ କରିଥିଲେ। ପରେ, ଗୁଣିଆ ସ୍ଥାନ ଛାଡି ଛୁ’ ମାରିଥିବା ଜଣାପଡିଛି।

ସୂଚନା ମୁତାବକ ଗୁରୁବାର ରାତି ୮ଟାରେ କେନ୍ଦୁ ପାଟଣା ସାହିର କୃଷ୍ଣଚନ୍ଦ୍ର ଜେନା ନାମକ ଜଣେ ଅଟୋ ଡ୍ରାଇଭରଙ୍କ ପେଟରେ ଯନ୍ତ୍ରଣା ହେବାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରାତି ୧୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ମୃତ୍ୟୁ ଖବର ସତ ନୁ‌ହେଁ ବୋଲି ଶେରଗଡ ନିକଟ ଇଞ୍ଜନପୁର ଗ୍ରାମରେ ଥିବା ଶ୍ବଶୁର ଘର ଲୋକ କହିଥିଲେ। ତାଙ୍କୁ କେହି ଗୁଣିଆ କରି ମାରିଦେଇଥିବା ଅଭିଯୋଗ କରି ତାଙ୍କ ଗାଁ ନିକଟରୁ ଏକ ଯୁବ ତାନ୍ତ୍ରିକକୁ ଡାକିଆଣି ଗୁଡିଆଳି ଗାଁ ଶ୍ମଶାନରେ ପହଞ୍ଚିଥିଲେ। ତାନ୍ତ୍ରିକ ଜଣକ ଶ୍ମଶାନରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପୂଜାପାଠ କରିଥିଲେ ମଧ୍ୟ ମୃତକ ଆଉ ଉଠିନଥିଲେ। ଏହାଦେଖି ଗ୍ରମାବାସୀ ଗୁଣିଆକୁ ସନ୍ଦେହରେ ଘେରିଥିଲେ। ତାନ୍ତ୍ରିକକୁ ଗ୍ରାମବାସୀ ନାଁ ଓ ଗାଁ ପଚାରିବା ସହ ଉତ୍ତମମଧ୍ୟମ ପାଇଁ ଉଦ୍ୟମ କରୁଥିବା ‌ବେଳେ ସେ ସେଠାରୁ ଚତୁରତାର ସହ ଖସିଯିବାରେ ସକ୍ଷମ ହୋଇଥିଲା। ଏହାପରେ ଶବ ସଂସ୍କାର ହୋଇଥିଲା। ହେଲେ ବସୁଠୁ ବଡ କଥା ହେଲା ଆମ ପୁଲିସ ସମିତି ଜରିଆରେ ପୁଲିସ ଅନ୍ଧବିଶ୍ବାସର ବଶବର୍ତ୍ତୀ ନହେବାକୁ ବାରମ୍ବାର ସଚେତନ କରୁଥିଲେ ମଧ୍ୟ ଲୋକେ ଏଭଳି ଘଟଣାରୁ କ୍ଷାନ୍ତ ନହେବା ପରିତାପର ବିଷୟ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର