ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ମାମଲା : ୯ ଆସାମୀଙ୍କ ଫାଶୀ ଦଣ୍ଡାଦେଶର ଶୁଣାଣି

କଟକ : ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣଙ୍କୁ ଫାଶୀ ଦଣ୍ଡ ସଂପର୍କିତ ମାମଲାର ଆଜି ହାଇକୋର୍ଟରେ ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି। ଯୁକ୍ତି ଉପସ୍ଥାପନ ଅଧା ରହିଥିବା ବେଳେ ମଙ୍ଗଳବାର ମଧ୍ୟ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯିବ।

ଗୁଣପୁର ଅତିରିକ୍ତ ଦୌରା ଜଜ୍‌ ଅଦାଲତଙ୍କ ୨୦୧୮, ଏପ୍ରିଲ ୧୩ର ଏ ସଂକ୍ରାନ୍ତୀୟ ରାୟ ଅନୁମୋଦନ ସଂପର୍କିତ ମାମଲା ହାଇକୋର୍ଟରେ ଦାୟର ହୋଇଥିବାବେଳେ ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ କରି ଆସାମୀଙ୍କ ପକ୍ଷରୁ ଅପିଲ ମଧ୍ୟ ରୁଜୁ ହୋଇଛି। ଉଭୟ ମାମଲାର ଏକତ୍ର ଶୁଣାଣି ଚାଲିଛି। ୨୦୧୬, ସେପ୍ଟେମ୍ବର ୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଗୁଣିଗାରେଡ଼ି ସଂନ୍ଦେହରେ ଅସୀମ ଶବର, ପତ୍ନୀ ଆମ୍ବ ଶବର ଓ ବଡ ଝିଅ ଆଶମଣି ଶବରଙ୍କୁ ପିଟି ପଟି କେତେକ ବ୍ୟକ୍ତି ଅଧାମରା କରି ଦେଇଥିଲେ। ଆସାମୀମାନେ ଜୀବନ ଥାଉ ଥାଉ ବାପା-ମା’ ଓ ଝିଅ ୩ ଜଣଙ୍କୁ ଗାଁ ଶ୍ମଶାନରେ ପୋତି ଦେଇଥିଲେ। ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି ଗୁଣପୁର ଅତିରିକ୍ତ ଦୌରା ଜଜ୍‌ ଅଦାଲତରେ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର