ଅନ୍ଧବିଶ୍ବାସ ନେଲା ଗର୍ଭବତୀଙ୍କ ଜୀବନ

ଭଞ୍ଜନଗର : ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଡାକ୍ତରଙ୍କ ପାଖରେ ଉଚିତ ଚିକିତ୍ସା ନକରାଇବାରୁ ୩ ମାସର ଗର୍ଭବତୀଙ୍କ ଶୋଚନୀୟ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତକ ମହିଳା ଜଣକ ହେଲେ, ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମ ବାସିନ୍ଦା ସନ୍ତୋଷ ପାତ୍ରଙ୍କ ସ୍ତ୍ରୀ ଶାନ୍ତି ପାତ୍ର (୨୨)। ଗତକାଲି ରାତିରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଶାନ୍ତିଙ୍କ ମୃତ୍ୟୁ ହୋଇଛି। ଶାନ୍ତିଙ୍କ ଗର୍ଭନ‌ଷ୍ଟ (ଏକ୍ଟୋପିକ ପ୍ରେଗେନ୍ସି ରାପଚର) ଯୋଗୁଁ ରକ୍ତସ୍ରାବ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବେଲଗୁଣ୍ଠା ଗୋଲା ସାହିର ମୂଳବାସିନ୍ଦା ଶାନ୍ତି କୁଲାଡ଼ ଗ୍ରାମର ସନ୍ତୋଷଙ୍କୁ ବହୁ ବର୍ଷ ତଳେ ବିବାହ କରିଥିଲେ। କିନ୍ତୁ ସେମାନଙ୍କ କୌଣସି ସନ୍ତାନସନ୍ତତି ଜନ୍ମ ହୋଇ ନଥିଲା। ଶେଷରେ କିଛି ଲୋକଙ୍କ ପରାମର୍ଶ କ୍ରମେ ସେମାନେ ଆୟୁର୍ବେଦିକ ଚିକିତ୍ସାର ସହାୟତା ଲୋଡ଼ି ଥିଲେ। ସେଠାରୁ ଔଷଧ ଖାଇବା ପରେ ଶାନ୍ତି ଗର୍ଭଧାରଣ କରିବା ସହ ଥରୁଟିଏ ଅଲଟ୍ରାସାଉଣ୍ଡ ବି କରିଥିଲେ। କିନ୍ତୁ ସନ୍ତାନ ପ୍ରସବ ପର୍ଯ୍ୟନ୍ତ କୌଣସି ଡାକ୍ତରଙ୍କ ପରାମର୍ଶ ନନେବାକୁ ସଂପୃକ୍ତ ଆୟୁର୍ବେଦିକ ଚିକିତ୍ସକ ଜଣକ ତାଙ୍କୁ ବାରଣ କରିଥିଲେ। ଶାନ୍ତି ଆୟୁର୍ବେଦିକ ଔଷଧ ଗ୍ରହଣ କରିବା ଆରମ୍ଭ କରିଥିଲେ। ଖାଲି ଏତିକି ନୁହେଁ, ଶାନ୍ତିଙ୍କ ବିଷୟରେ ପରିବାର ଲୋକେ ଅଙ୍ଗନବାଡି କର୍ମୀ ଓ ଆଶାଦିଦିଙ୍କୁ ବି ଜଣାଇ ନଥିଲେ। ଅଙ୍ଗନବାଡି କେନ୍ଦ୍ରରେ ତାଙ୍କର ପଞ୍ଜୀକରଣ ବି ହୋଇ ନଥିଲା। ତେବ‌େ ଗତକାଲି ରାତିରେ ହଠାତ୍ ଶାନ୍ତିଙ୍କୁ ଗର୍ଭଯନ୍ତ୍ରଣା ଆରମ୍ଭ ହେବାରୁ ତାଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଗୁରୁତର ଅବସ୍ଥାରେ ଭୋର ସାଢ଼େ ୫ଟାରେ ଭଞ୍ଜନଗର ଉପଖଣ୍ତ ଚିକିତ୍ସାଳୟକୁ ପଠାଯାଇଥିଲା। ତଥାପି ଶାନ୍ତିଙ୍କ ଅବସ୍ଥା ଧୀରେ ଧୀରେ ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ନେଇ ଯିବାକୁ ଡାକ୍ତର କହିଥିଲେ। ତେବେ ବ୍ରହ୍ମପୁର ମେଡିକାଲ ନେବା ପୂର୍ବରୁ ସକାଳ ସାଢ଼େ ୬ଟାରେ ଶାନ୍ତିଙ୍କ ମୃତ୍ୟୁ ହୋଇଥିଲା। ଗର୍ଭଧାରଣ ପରେ ଛୁଆର ସ୍ଥିତି ଜାଣିବା, ଔଷଧ ଖାଇବାକୁ ଡାକ୍ତରଙ୍କ ଉଚିତ୍ ପରାମର୍ଶ ନନେଇ ଅନ୍ଧବିଶ୍ବାସକୁ ଜାବୁଡ଼ି ଧରିବାରୁ ଶାନ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଶିଶୁ ବିଶେଷଜ୍ଞ ଭଗବାନ ସାହୁ କହିଛନ୍ତି, ଶାନ୍ତିଙ୍କ କୌଣସି ପିଲା ଛୁଆ ନଥିବା ବେଳେ ସେ ଆୟୁର୍ବେଦିକ ଔଷଧ ଖାଇ ଗର୍ଭଧାରଣ କରିଥିଲେ। ତାଙ୍କ ପାଖରୁ କୌଣସି ଡାକ୍ତରଙ୍କ ରିପୋର୍ଟ ମିଳି ନାହିଁ। ଏହାସହ ତାଙ୍କ ଗର୍ଭ ଏକ୍ଟୋପିକ୍ (ଉନ୍ନତ ଅବସ୍ଥାରେ ନରହିବା) ଅବସ୍ଥାରେ ରହିଥିଲା। ଗତକାଲି ‌ଗର୍ଭନ‌ଷ୍ଟ (ଏକ୍ଟୋପିକ ପ୍ରେଗେନ୍ସି ରାପଚର) ଯୋଗଁ ରକ୍ତସ୍ରାବ ହୋଇଥିଲା। ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବି‌ଶେଷଜ୍ଞ ପି.ଶ୍ରୀଲେଖା ତାଙ୍କର ଜରୁରୀକାଳିନ ଚିକିତ୍ସା କରିଥିଲେ। କିନ୍ତୁ ଶାନ୍ତିଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ବହୁ ଆଗରୁ ଡାକ୍ତରଙ୍କ ପରାମର୍ଶ ନେଇ ଥିଲେ ଏଭଳି ସମସ୍ୟା ଉପୁଜି ନଥାନ୍ତା ବୋଲି ସୂଚନା ମିଳିଛି। ଆଉ ସଚେତନତା ଅଭାବରୁ ଏଭଳି ଘଟିଥିବା କୁହାଯାଉଛି। କାରଣ ଜନନୀ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ତୃଣମୂଳସ୍ତରରେ ବିଶେଷକରି ଗ୍ରାମାଞ୍ଚଳରେ ମହିଳା ସଚେତନ ହୋଇପାରୁନାହାନ୍ତି। ବହୁ ସ୍ଥାନରେ ଅନ୍ଧବିଶ୍ବାସ ଏବେ ବି ଜମି ରହିଛି। ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ଗୁଣିଗାରେଡିର ସହାୟତା ନିଆଯାଉଥିବାର ନଜିର୍ ରହିଛି। ଗତ ସପ୍ତାହ‌ରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଜଣେ ମହିଳା ଏଠାକୁ ସନ୍ତାନ ପ୍ରସବ ପାଇଁ ଆସିଥିବା ବେଳ‌େ ପରୀକ୍ଷାରୁ ଗର୍ଭରେ ଜମଜ ସନ୍ତାନ ଥିବା ଜଣାପଡ଼ିଥିଲା। ସେ ମୂଳରୁ ଅଲଟ୍ରାସାଉଣ୍ଡ ପରୀକ୍ଷା କରି ନଥିଲେ। ଗୋଟିଏ ଛୁଆକୁ ଜନ୍ମ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର