ଡାଆଣୀ ସନ୍ଦେହରେ ବାସନ୍ଦ : ପିଣ୍ଡାରେ ପଡ଼ିରହିଲା ଶବ

ଜଳେଶ୍ବର : ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ସାମାଜିକ ନିର୍ଯାତନା ଦେବା ଭଳି ଅଭାବନୀୟ ଘଟଣା ଆଜି ବି ସଭ୍ୟ ସମାଜରେ ଦେଖିବାକୁ ମିଳୁଛି। ଜଳେଶ୍ବର ଭଳି ଶିକ୍ଷା ସ‌େଚତନ ଅଞ୍ଚଳରେ ଡାଆଣୀ ସ‌େନ୍ଦହରେ ବାସନ୍ଦ ଥିବା ଏକ ପରିବାରର ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ଶବ ସତ୍କାର କରିବାକୁ ଗାଁରୁ କେହି ନ ଆସିବାରୁ ଗତକାଲିଠାରୁ ଶବ ପିଣ୍ଡାରେ ପଡ଼ି ରହିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ତେବେ ଆଜି ସମ୍ବାଦ ପୋର୍ଟାଲରେ ଏ ଖବର ପ୍ରସାରିତ ହେବା ପରେ ଜଳେଶ୍ବର ବିଜୁ ଯୁବ ବାହିନୀ ଶବକୁ ସତ୍କାର ପାଇଁ ଆଗେଇ ଆସିଛି। ଘଟଣାଟି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଜଳେଶ୍ବର ବ୍ଲକ ଅଧୀନସ୍ଥ ନାମ୍ପୋ ପଞ୍ଚାୟତ ୨ ନମ୍ବର ୱାର୍ଡ ଦେଉଳବାଡ଼ ଗାଁର ମେଘରା ବେଶ୍ରାଙ୍କ ପରିବାରକୁ ଡାଆଣୀ ସନ୍ଦେହରେ ୮ ବର୍ଷ ଧରି ସାହି ଲୋକେ ବାସନ୍ଦ କରିଥଇଲେ। ୮୩ ବର୍ଷୀୟ ବୃଦ୍ଧ ମେଘରା ନୂଆବର୍ଷ ଦିନ ଘରେ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ୩ ତାରିଖରେ ଚିକିତ୍ସା ପାଇଁ ଜଳେଶ୍ବର ନେଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପୁଣି ବାଲେଶ୍ବର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ‌େମଘରାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ଠାରୁ ପରିବାର ମେଘରାଙ୍କ ଶବ ଧରି ଘରକୁ ଫେରିଥିଲେ ବି ଶବ ସତ୍କାର କରାଯାଇ ପାରିନଥିଲା। ଦୁଇ ଦିନ ଧରି ପିଣ୍ଡାରେ ଶବ ପଡ଼ିଥିବା ବେଳେ ପରିବାର ଲୋକେ ସତ୍କାର ପାଇଁ ସାହିଭାଇଙ୍କ ସହଯୋଗ ପାଇପାରି ନଥିଲେ। ୮ ବର୍ଷ ତଳୁ ମେଘରାଙ୍କ ବଡ଼ପୁଅ ରାଜୁଙ୍କ ପତ୍ନୀ ଚମ୍ପା ଡାଆଣୀ ବୋଲି ସନ୍ଦେହ କରି ସାହିଭାଇ ମେଘରାଙ୍କ ପରିବାରକୁ ଏକଘରକିଆ କରିଥିଲେ। ସେଥିପାଇଁ କେହି ସାହିଭାଇ ସହଯୋଗ କରିବାକୁ କିମ୍ବା ଶବ ସତ୍କାର କରିବାକୁ ଆସିନଥିଲେ। ଅନ୍ୟପକ୍ଷରେ ମେଘରାଙ୍କ ସାନପୁଅ ଲମ୍ବୋଦର ନିଜ ପତ୍ନୀ ହତ୍ୟା ଅଭିଯୋଗରେ ଏବେ ଜେଲ୍‌ରେ ଅଛି। ମେଘରାଙ୍କ ମୃତ୍ୟୁ ପରେ ଘରେ ଏକମାତ୍ର ପୁରୁଷ କହିଲେ ପୁଅ ରାଜୁ। ବାପାଙ୍କ ଶବ ସତ୍କାର ପାଇଁ ସାହିଭାଇଙ୍କୁ ନେହୁରା ହୋଇଥିଲେ ରାଜୁ। ହେଲେ ଗାଁ ବୈଠକରେ ଦଣ୍ଡ ନ ଦେବା ଯାଏଁ ଶବ ସତ୍କାର କରିବାକୁ ଯିବେନି ବୋଲି ସେମାନେ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ।

ଖବରପାଇ ସମାଜସେବୀ ସେକ୍‌ ଅବ୍‌ଦୁଲ ସାଦ୍ଦିକ, ଦୀପ୍ତିମାନ ଆଚାର୍ଯ୍ୟ, ବିଦୁଭୂଷଣ ଦାସ ପ୍ରମୁଖ ସେଠାରେ ପହଞ୍ଚି ସାହିଭାଇଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇନଥିଲେ। ତେବେ ଏ ସମ୍ପର୍କରେ ଆଜି ସକାଳେ ସମ୍ବାଦ ପୋର୍ଟାଲରେ ଖବର ପ୍ରକାଶିତ ହେବା ପରେ ଜଳେଶ୍ବର ବିଜୁ ଯୁବ ବାହିନୀ ଏଥିପାଇଁ ଆଗେଇ ଆସିଥିଲା। ବିଜୁ ଯୁବ ବାହିନୀର ସଦସ୍ୟମାନେ ଅପରାହ୍ନରେ ଶବକୁ ଶ୍ମଶାନକୁ ନେଇ ସତ୍କାର କରିଥିଲେ। ଏହି ସତ୍କାର କାର୍ଯ୍ୟରେ ଯୁବ ବାହିନୀର ବ୍ଲକ ସଂଯୋଜକ କାଳିଚରଣ ଦାସ, ଦୀପକ ଦେ, ପ୍ରମୋଦ ଦାସ, ମାନସ ରଞ୍ଜନ ଧଳ, ସରପଞ୍ଚ ସଂଜୟ ସିଟ, ସଞ୍ଜୟ ଦେ, ଅରବିନ୍ଦ ସାହୁ, ବିମଳ ପ୍ରମାଣିକ, ଅକ୍ଷୟ ଜେନା, ଜଗନ୍ନାଥ ଗୋଚ୍ଛାୟତ, ମୁନା ପାତ୍ର, ନିର୍ମଳ ଭୂୟାଁ ଓ ଏସ୍‌କେ ସାଦ୍ଦିକ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର