ଅନ୍ଧବିଶ୍ୱାସର ଆଉ ଏକ ଝଲକ : ମୃତ ଶିଶୁକୁ ବଞ୍ଚାଇବାକୁ ଚାଲିଲା ୭ ଘଣ୍ଟା ପୂଜାର୍ଚ୍ଚନା

କେନ୍ଦ୍ରାପଡ଼ା : ପୁଣି ଦେଖିବାକୁ ମିଳିଲା ଅନ୍ଧବିଶ୍ୱାସର ଆଉ ଏକ ଝଲକ। ତାହା ବି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ରାଜଧାନୀରୁ କେଇ ଶହ କିଲୋମିଟର ଦୂର କେନ୍ଦ୍ରାପଡାର ମହାକାଳପଡା ଅଞ୍ଚଳରେ। ଯେଉଁଠି ଜଣେ ମୃତ ଶିଶୁକୁ ବଞ୍ଚାଇବା ପାଇଁ ଦୀର୍ଘ ୬ରୁ ୭ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଝଡାଫୁଙ୍କା ଓ ପୂଜାର୍ଚ୍ଚନା। ଆଉ ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଘଟଣା ଅନୁଯାୟୀ, ମହାକାଳପଡା ଥାନା ବଳିପାଳ ଗ୍ରାମର ଶ୍ରୀଧର ପ୍ରଧାନଙ୍କ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ସାତବର୍ଷର ପୁଅ ମାନସଙ୍କ ଦେହ ରାତି ଅଧରେ ହଠାତ୍‌ ଅସୁସ୍ଥ ହୋଇ ଯାଇଥିଲା। ଫଳରେ ତାଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଡାକ୍ତରଙ୍କ କଥାକୁ ସହଜରେ ଗ୍ରହଣ କରିପାରିନଥିଲେ ମୃତ ଶିଶୁଙ୍କ ବାପା।

ରାମପାଲ ବାବାଙ୍କ ଭକ୍ତ ହୋଇଥିବା ଯୋଗୁଁ ତାଙ୍କ ଶିଷ୍ୟଙ୍କ ନିର୍ଦ୍ଦେଶରେ ନିଜ ୭ ବର୍ଷର ପୁଅକୁ ପୁଣିଥରେ ବଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ପୂଜାପାଠ। ମୃତ ଶିଶୁର ମୁଣ୍ଡ ଉପରେ ଦୀପ ଓ ମୋବାଇଲରେ ଗୀତ ବଜାଇ ଦୀର୍ଘ ପାଞ୍ଚ ଘଣ୍ଟା କାଳ ପୂଜା ଚାଲିଲା। ଆଶା ଥିଲା ପୁଣିଥରେ ଫେରି ଆସିବ ପୁଅ। କିନ୍ତୁ ରାମପାଲଙ୍କ ବାବାଙ୍କ ଶିଷ୍ୟଙ୍କର ଅସଲ ଚେହେରା ପଦାରେ ପଡିଥିଲା। ଆଖି ଖୋଲିନଥିଲା ମୃତ ଶିଶୁ। ଅନ୍ୟପଟେ ଗ୍ରାମରେ ଶବ ପଡି ରହି ଥିବାରୁ ସାଇପଡିଶାରେ ରୋଷେଇ ବନ୍ଦ ହୋଇ ଯାଇଥିଲା। ପରେ ଗ୍ରାମବାସୀ ମୃତ ଶିଶୁର ଶବ ସତ୍କାର କରିବାକୁ ଜିଦ ଧରିବାରୁ ପରିବାର ଲୋକ ଓ ରାମପାଲ ବାବାଙ୍କ ଶିଷ୍ୟଙ୍କ ସହ ଯୁକ୍ତିତର୍କ ହୋଇଥିଲା। ତେବେ ଉତ୍ତ୍ୟକ୍ତ ଲୋକ ଭୁଆଁ ବୁଲାଉଥିବା ରାମପାଳ ଶିଷ୍ୟଙ୍କୁ ମାଡ ମାରିବା ସହ ଶ୍ରୀଧରଙ୍କ ଘରେ ଥିବା ବାବା ରାମପାଲଙ୍କ ଫଟୋଚିତ୍ରକୁ ବାହାରେ ଫିଙ୍ଗି ସେଥିରେ ନିଅାଁ ଲଗାଇ ଦେଇଥିଲେ। ଏଭଳି ଏକ ଘଟଣା ଏବେ ମହାକାଳପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର