ଚୋର ଧରିବାକୁ ଗାଁରେ ଖଟ ବୁଲିଲା : ଗୋଟିଏ ପରିବାର ଉପରେ ପ୍ରାଣାନ୍ତକ ଆକ୍ରମଣ, ମହିଳା ଗୁରୁତର, ୫ ଆହତ, ଜିଲ୍ଲାପାଳଙ୍କୁ ‌ଫେରାଦ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କଙ୍ଗାରୁ କୋର୍ଟ, ଗୁଣିଗାରେଡ଼ି ଭଳି ଘଟଣା ବୃଦ୍ଧି ପାଇଚାଲିଛି। ଗତ ଦୁଇ ମାସ ଭିତରେ ରଣପୁର ଥାନା ଅଞ୍ଚଳରେ ଦୁଇଟି କଙ୍ଗାରୁ କୋର୍ଟ ଭଳି ଘଟଣା ଘଟିଥିବା ବେଳେ, ଗତ ୧୧ ତାରିଖରେ ପୁଣି ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚୋର ଧରିବାକୁ କୋଟଗଡ଼ ଗାଁରେ ଖଟ ବୁଲା ଯିବା ପରେ ଚୋରି ଅଭିଯୋଗ ଆଣି ଗୋଟିଏ ପରିବାରକୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ଗ୍ରାମର ଏକ ପରିବାର ଓ ତାଙ୍କ ବନ୍ଧୁବାନ୍ଧବଙ୍କ ସମେତ ୫ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ଘର ମଧ୍ୟ ଭା‌ଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଏହି ପରିବାର ନୟାଗଡ଼ ଏସ୍‌ପିଙ୍କୁ ଭେଟି ଫେରାଦ୍‌ ହେବାକୁ ଆସିଥିଲେ। ମାତ୍ର କୌଣସି କାରଣରୁ ଏସ୍‌ପିଙ୍କୁ ଭେଟି ନପାରିବାରୁ ଜିଲ୍ଲାପାଳଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଛନ୍ତି।

ଗୀତାଞ୍ଜଳିଙ୍କ କହିବାନୁଯାୟୀ, ଭାସ୍କର ଦୋରାଙ୍କ ଘରୁ ଚୋରି ‌ହୋଇଯିବା ପରେ ଗ୍ରାମରେ ଏକ ବୈଠକ‌ କରି ୧୦ ତାରିଖ ଦିନ ସମସ୍ତ ଗ୍ରାମବାସୀଙ୍କୁ ନିଜ ଘରେ ରହିବାକୁ ନିର୍ଦେଶ ଦେଇଥିଲେ। ସେହି ଦିନ ସେ ହରଷ ନାମକ ଏକ ଗୁଣିଆକୁ ଡାକି ଗ୍ରାମରେ ଖଟ ବୁଲାଇଥିଲେ। ସକାଳେ ଗୁଣିଆ ପ୍ରଥମେ ପୂଜାପାଠ କରିଥିଲା ଏବଂ ଦିନ ୨ଟାରେ ଖଟ ବୁଲାଇଥିଲା। ୪ ଜଣ ବ୍ୟକ୍ତି ଖଟକୁ କାନ୍ଧେଇ ବୁଲାଇଥିଲେ ଏବଂ ରାତି ପ୍ରାୟ ୮ଟା ସମୟରେ ଗୁଣିଆ ସହ ଉପସ୍ଥିତ ଥିବା ଭାସ୍କରର ସାନଭାଇ କୁଶନ ଦୋରା ଉଦ୍ଦେଶ୍ୟମୂଳକ ଭାବେ ଗୀତାଞ୍ଜଳିଙ୍କ ଘର ନିକଟରେ ଖଟ ରଖିବାକୁ କହିଥିଲା। ଆଉ ଗୁଣିଆ ସେଠାରେ ଖଟ ରଖି ଗୀତାଞ୍ଜଳିଙ୍କୁ ଚୋର ବୋଲି ଦର୍ଶାଇଥିଲା। ସେତେବେଳେ ଗୀତାଞ୍ଜଳିଙ୍କ ସ୍ବାମୀ ଅରକ୍ଷିତ ଦୋରା ଘରେ ନ ଥିଲେ। ତେବେ ଗୀତାଞ୍ଜଳି ସୁନା ଗହଣା ବିଷୟରେ କିଛି ଜାଣି ନାହାନ୍ତି ବୋଲି ଯେତେ କହିଲେ ବି କେହି ଶୁଣି ନଥିଲେ। ଏହାକୁ ନେଇ ଗ୍ରାମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପରେ ଗ୍ରା‌ମର ୱାର୍ଡମେମ୍ବରଙ୍କ ନିକଟକୁ କଥା ଯାଇଥିଲା ଏବଂ ୱାର୍ଡମେମ୍ବରଙ୍କ ନିଷ୍ପତ୍ତି କ୍ରମେ ୧୧ ତାରିଖ ସକାଳେ ଗ୍ରାମରେ ବୈଠକ ବସିଥିଲା। ଖୋର୍ଦ୍ଧାରେ କାମ କରୁଥିବା ଗୀତାଞ୍ଜଳିଙ୍କ ସ୍ବାମୀ ଅରକ୍ଷିତଙ୍କୁ ବୈଠକକୁ ମଧ୍ୟ ଡକାଯାଇଥିଲା। କିନ୍ତୁ ଦିନ ୧୨ଟା ପର୍ଯ୍ୟନ୍ତ ବୈଠକରେ କିଛି ନିଷ୍ପତ୍ତି ହୋଇପାରିନଥିଲା। ଫଳରେ ମୁରବୀସ୍ଥାନୀୟ ଲୋକମାନେ ବୈଠକ ବନ୍ଦ କରି ଚାଲିଯାଇଥିଲା। ଏହା ପରେ ଦିନ ପ୍ରାୟ ସାଢେ ଦୁଇଟା ବେଳେ ଭାସ୍କର ଓ ତାଙ୍କ ପତ୍ନୀ ଦମୟନ୍ତୀ, ସାନଭାଇ କୁଶନ ଓ ତାର ସ୍ତ୍ରୀ ଗୋଲାପ, ଝିଅ ପିଙ୍କି ଦୋରା ପ୍ରମୁଖ ପହଞ୍ଚି ଅରକ୍ଷିତଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ।ଏଥିରେ ଗୀତାଞ୍ଜଳିଙ୍କ ସମେତ ତାଙ୍କ ଶାଶୂ ଆଦି ଦୋରା, ନଣନ୍ଦ ତୁଳସୀ, ଭଉଣୀ ଟୁକୁନି ଓ ମା’ ସୁକାନ୍ତି ଦୋରା ଆହତ ହୋଇଥିଲେ। ଏଭଳି ଆକ୍ରମଣ ପରେ ବହୁ କଷ୍ଟରେ କୌଶଳ କ୍ରମେ ଆହତମାନେ ରାଜସୁନାଖଳା ମେଡିକାଲ୍‌ ଆସି ଚିକିତ୍ସିତ ହୋଇଥିଲେ। ଗୀତାଞ୍ଜଳିଙ୍କ ଶାଶୂ ଆଦି କୋଟଗଡ଼ ଗ୍ରାମରେ ରହିଯାଇଥିବାରୁ ତାଙ୍କୁ ଉଦ୍ଧାର ପାଇଁ ପରିବାରବର୍ଗ ନିବେଦନ କରିଛନ୍ତି। ଏହି ଘଟଣା ନେଇ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିବା ରଣପୁର ଆଇଆଇସି ବୈଦ୍ୟଭୂଷଣ ଭୋଇ ସୂଚନା ଦେଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି।

ସମ୍ବନ୍ଧିତ ଖବର