ଶାସନପଲ୍ଳୀରେ ଗୁଣିଗାରେଡ଼ି ଘଟଣା : ଗାଁରେ ଉତ୍ତେଜନା, ଆଉ ୪ ଗୁଣିଆ ଗିରଫ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଶାସନପଲ୍ଲୀ ଗ୍ରାମରେ ଗତ ୨୦ ଦିନ ହେଲା ଗୁଣି ଗାରେଡିକୁ ନେଇ ଉତ୍ତେଜନା ଲାଗି ରହିଛି। ସାଧାରଣ ଜୀବନଯାତ୍ରା ଅଚଳ। ଏହା ମଧ୍ୟରେ ପୁଲିସ ହସ୍ତକ୍ଷେପ କରି ଗାଁ କମିଟି ଗଠନ କରି ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ ଚଳାଇଛି।

ସେପଟେ ଗାଁକୁ ପୁଣି ନୟାଗଡ଼ରୁ ଗୁଣିଆ ଦଳ ଆସି ଅର୍ଧ ରାତ୍ରିରେ ପୂଜାର୍ଚ୍ଚନା କରିବା, ଗାଁକୁ ବନ୍ଧନ ମୁକ୍ତ କରିବା ନାଁରେ ଓ ଠାକୁରାଣୀଙ୍କୁ ସନ୍ତୁଷ୍ଟ କରିବାକୁ ଛେଳି ବୋଦା ପକାଇବା ଖବର ପାଇ ପୁଲିସ କାଲି ରାତିରେ ପହଞ୍ଚିଲା ବେଳକୁ ମାରୁତି ଭ୍ୟାନ୍‌ରେ ଆସିଥିବା ୪ ଜଣିଆ ଗୁଣିଆ ଦଳ ନୟାଗଡ଼ ଜିଲ୍ଲାର ରବିନ୍ଦ୍ର ମଲ୍ଲିକ (୪୦), ଜିତେନ୍ଦ୍ର ମଲ୍ଲିକ (୨୦), ବାସୁଦେବ ବେହେରା (୩୨) ଏବଂ ବାନାମ୍ବର ମଲ୍ଲିକ (କଇଥଗାଡ଼ିଆ, ୩୦) ଚମ୍ପଟ ମାରି ସାରିଥିଲେ। ପୁଲିସ ପିଛା କରି ନୟାଗଡ଼ ଚମ୍ପଟ ମରୁଥିବା ଚାରି ଗୁଣିଆ ଓ ଭ୍ୟାନ୍‌ ଡ୍ରାଇଭର ରମ୍ଭା ଅଞ୍ଚଳର ଏମ.ତାରିଣୀ ରେଡ୍ଡୀଙ୍କୁ ମାଡ଼ି ବସିଥିଲା। ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ନଗଦ ୬୪ହଜାର ୭ଶହ ଟଙ୍କା ସମେତ ଗୁଣିବିଦ୍ୟା ପାଇଁ ବ୍ୟବହୃତ ହରିଣ ହାଡ଼, ଶାଗୁଣା ହାଡ଼, କିଛି ନଥିପତ୍ର, ଜଡିବୁଟି ଏବଂ ମାରୁତି ଓମ୍‌ନି ଭ୍ୟାନ୍‌ ଜବତ କରାଯାଇଛି। ଏନେଇ ପୁରୁଷୋତ୍ତମପୁର ଥାନାରେ କେସ୍‌,ନଂ ୧୯୨ ଏକ ମାମଲା ରୁଜୁ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ଦିଲ୍ଲୀପ କୁମାର ଦାଶ ଏବଂ ଥାନା ଅଧିକାରୀ ବିଜୟ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

ଦୁଇ ଦିନ ଧରି ଗାଁରେ ଏମାନେ ଗୁଣିବିଦ୍ୟା କରି କାର୍‌ ଯୋଗେ ଫେରୁଥିବା ବେଳେ ପୁଲିସ ସମସ୍ତଙ୍କୁ କାବୁ କରି ନେଇଥିଲା। ଏହାପରେ ଅନ୍ୟ ଥାନାରେ ଏମାନଙ୍କୁ ପଚରାଉଚରା କରିବା ପରେ ସମସ୍ତ ତଥ୍ୟ ହାସଲ କରିଥିଲା। କେଉଁ ମାନେ ଗୁଣିଆଙ୍କୁ ଗାଁକୁ ଡ଼ାକିଥିଲେ ଏସଂକ୍ରାନ୍ତ ସମସ୍ତ ସୂରାକ୍‌ ପୁଲିସ ହାତକୁ ଲାଗିଥିବା ଜଣାପଡ଼ିଛି।  ଶାସନପଲ୍ଲୀ ଗ୍ରାମରେ ଗତ ଦୁଇ ବର୍ଷ ହେଲା ୧୫ରୁ ୨୦ଜଣଙ୍କ ସନ୍ଦେହଜନକ ଭାବେ ଅକାଳ ମୃତ୍ୟୁ ଘଟଣାକୁ ଗୁଣିଗାରେଡି ବୋଲି ଗ୍ରାମବାସୀ ସନ୍ଦେହ କରି ଗତ ୯ ତାରିଖରୁ ନୟାଗଡ଼ରୁ ଗୁଣିଆ ଡ଼ାକି ଖଟବିଦ୍ୟା ପ୍ରୟୋଗ ଆରମ୍ଭ କରିଥିଲେ।  ଗୁଣିଆ ଯାଞ୍ଚ କମିଟି ଓ ଗ୍ରାମ୍ୟ କମିଟି ଗଠନ କରାଯାଇଥିଲା। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗାଁରେ ଖଟ ବିଦ୍ୟା ବୁଲିଥିଲା। ଏଥିରେ ୮ଜଣ ପରିବାର ବି.ଗୁରୁମୂର୍ତି ପାତ୍ର ଓ ପ୍ରକାଶ ସାହୁ, ଭାସ୍କର ସାହୁ, ବି.ପିତାମ୍ବର ପାତ୍ର, ଏ.ମାଗୁଣି ପାତ୍ର, ଖଲି ସାହୁ, କେ.ଆଦିକନ୍ଧ ପାତ୍ର, ବି.ଆଡ଼ିଆଡ଼ା  ସନ୍ଦେହ ଘେରକୁ ଆସିଥିଲେ।

ଗ୍ରାମବାସୀଙ୍କ ଏଭଳି ଅତ୍ୟାଚାରରେ ଅତିଷ୍ଠ ହୋଇ ବି.ଗୁରୁମୂର୍ତି ପାତ୍ର ଓ ପ୍ରକାଶ ସାହୁ ପ୍ରାଣ ଭୟରେ ଗାଁ ଛାଡ଼ି ପଳାଇଥିଲେ। ପରେ ବାକି ୬ ପରିବାର ରହି ଯାଇଥିଲେ। ସେମାନଙ୍କୁ ଗ୍ରାମବାସୀ ନିର୍ଯାତନା ଦେବା ସହ ଘର ଓ ଜମି ପଟ୍ଟା ଦେବାକୁ ଚାପ ପକାଉଥିଲେ। ଏହାମଧ୍ୟରେ ଗତ କିଛି ଦିନ ତଳେ ପୁଲିସ ଗ୍ରାମବାସୀ ଓ ଉକ୍ତ ୬ ପରିବାରଙ୍କୁ ସମାଧାନ ପାଇଁ ଆଲୋଚନା କରିଥିଲା। ଏହା ସତ୍ତ୍ୱେ ପୁଣି ସେମାନଙ୍କ ଉପରେ ନିର୍ଯାତନା ହେବାରୁ କେ.ଆଦିକନ୍ଧ ପାତ୍ର ଏବଂ କେ.ଆଡିଅଡ଼ା ପାତ୍ର ଗତ ୨୬ ତାରିଖରେ ୨୫ଜଣ ଗ୍ରାମବାସୀଙ୍କ ନାମରେ ଏତଲା ଦେଇଥିଲେ। ଫଳରେ ପୁଲିସ ଉକ୍ତଦିନ ପୁଣି ଗ୍ରାମବାସୀଙ୍କୁ ଡ଼ାକି ତାଗିଦ୍‌ କରିବା ସହ ନିର୍ଯାତିତ ପରିବାର ଏବଂ ଗ୍ରାମବାସୀଙ୍କୁ ନେଇ ଶାନ୍ତିକମିଟି ଗଠିତ ହୋଇଥିଲା। ନିର୍ଯାତିତ ପରିବାର ଗୁଣିଗାରେଡିରେ ସଂପ୍ତକ୍ତ ନଥିବା ପ୍ରମାଣ କରିଥିଲେ।

ତେବେ ଗ୍ରାମବାସୀ ଓ ଗ୍ରାମ୍ୟ କମିଟି କର୍ମକର୍ତା ଏଥିରେ ସନ୍ତୁଷ୍ଟ ହୋଇ ନଥିଲେ। ପୁଣି ଗତ ୨୭ ତାରିଖରେ ନୟାଗଡ଼ର ଚାରି ଗୁଣିଆ  ରବିନ୍ଦ୍ର, ଜିତେନ୍ଦ୍ର, ବାସୁଦେବ ଏବଂ ବାନାମ୍ବର ମଲ୍ଲିକଙ୍କୁ ଡ଼କାଇ ତାନ୍ତ୍ରିକ ମୁକ୍ତ କରିବାକୁ କହିଥିଲେ। ସେଦିନ ପୂଜାର୍ଚ୍ଚନା ସହ ଗ୍ରାମର ସମସ୍ତ ୧୬୦ ଘର ଦାଣ୍ଡ ଓ ବାରିରେ ନଡ଼ିଆ ପୋତାଯାଇଥିଲା। ଏହାସହ ଗ୍ରାମଦେବତୀଙ୍କ ମନ୍ଦିରରେ ଛାଗବଳି ବି ପଡ଼ିବା ସହ ଗାଁ ଆରମ୍ଭ ଏବଂ ଶେଷରେ କଳସ ପୋତା ଯାଇଥିଲା। ଗାଁ ବନ୍ଧନମୁକ୍ତ ହେଲା ବୋଲି କହି ଚାରି ଗୁଣିଆ ଗତକାଲି ରାତିରେ ମାରୁତି ଓମ୍‌ନି ଭ୍ୟାନ୍‌ରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ରାସ୍ତାରୁ ଗିରଫ କରି ନେଇଥିଲା।

ସମ୍ବନ୍ଧିତ ଖବର