କୋଦଳା/ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲାରେ ପୁଣି ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଛି। କୋଦଳା ଥାନା ନାଇକାଣୀପଲ୍ଲୀ ଗ୍ରାମର ଭାସ୍କର ସ୍ୱାଇଁ (୭୦) ନାମକ ଏହି ବୃଦ୍ଧଙ୍କୁ କିଛି ଯୁବକ ମାଡ଼ ମାରି ଦାନ୍ତ ଭାଙ୍ଗି ଦେବା ସହ ମଣିଷ ମଳ ଖୁଆଇବା ଘଟଣା ସାମ୍ନାକୁ ଆସିଛି। ଏନେଇ ଭାସ୍କର କୋଦଳା ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଭାସ୍କରଙ୍କ ଦୁଇଟି ଦାନ୍ତ ଭାଙ୍ଗି ଯାଇଥିବା ସହ ତାଙ୍କ ମୁଣ୍ଡ ମଧ୍ୟ ଫାଟିଛି। ଏଭଳି କାଣ୍ଡ ଘଟାଇଥିବା ଯୁବକମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ କରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କିଛି ଦିନ ହେଲା ଏହି ଗ୍ରାମର କିଛି ଯୁବତୀ ଅସ୍ୱାଭାବିକ ବ୍ୟବହାର କରୁଥିଲେ। ଭାସ୍କର ସେମାନଙ୍କୁ ଗୁଣି କରୁଥିବା ଗ୍ରାମବାସୀଙ୍କ ମନରେ ସନ୍ଦେହ ହୋଇଥିଲା। ଆଜି ସକାଳେ କିଛି ଗ୍ରାମବାସୀ ଏକ ଝିଅକୁ ନେଇ ଗାଁ ଦାଣ୍ଡରେ ଯାଉଥିବା ବେଳେ ଭାସ୍କର ତାଙ୍କୁ ଅନାଇବାରୁ ସେମାନେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ଭାସ୍କରଙ୍କୁ ଘର ବାରଣ୍ଡାରୁ ଘୋଷାଡ଼ି ଆଣି ଗ୍ରାମ ମଝିରେ ମାଡ଼ ମାରିବା ସହ ମଳ ଖୁଆଇଥିଲେ। ଆହତ ଭାସ୍କରଙ୍କୁ ତୁରନ୍ତ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାମଲା ରୁଜୁ ପରେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଅନିଲ ମହାନ୍ତି ସୂଚନା ଦେଇଛନ୍ତି। ସୂଚନା ଥାଉକି, କିଛି ବର୍ଷ ପୂର୍ବେ ବିଲିପଡ଼ା ଗ୍ରାମରେ ଗୁଣି ସନ୍ଦେହକୁ କେନ୍ଦ୍ର କରି ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ପୁଣି ନାଇକାଣୀପଲ୍ଲୀ ଗ୍ରାମରେ ଏଭଳି ଘଟଣାର ପୁନରାବୃତ୍ତି ହେବାର ଆଶଙ୍କା ପ୍ରକାଶ ପାଇଛି।