ଶବାଗାରରେ ୨୪ ଘଣ୍ଟା ପଡ଼ି ରହିଲା ଶବ : ମୃତ ନାବାଳକଙ୍କୁ ବଞ୍ଚାଇବାକୁ ଗୁଣିଆଙ୍କ ଫୁଙ୍କାଝଡ଼ା

ବଲାଙ୍ଗୀର : ସାପ କାମୁଡ଼ାରେ ମରି ସାରିଥିଲା ନାବାଳକ ପୁଅ। କିନ୍ତୁ ଆଶା! ପୁଅକୁ ବଞ୍ଚାଇବା ପାଇଁ ଗୁଣିଆର ଦ୍ବାରସ୍ଥ ହେଲେ ମୃତକଙ୍କ ପରିବାର। ବଲାଙ୍ଗୀର ସନ୍ଥ କବି ଭୀମ ଭୋଇ ମେଡିକାଲ କଲେଜ ହସପିଟାଲର ଶବ ବ୍ୟବଚ୍ଛେଦ ଗୃହରେ ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି।

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଦିଗଶିରା ଗାଁର ହଳଧର ପାୟାସିଂଙ୍କ ୧୬ ବର୍ଷର ପୁଅ ମଧୁ। ଗତ ୨ ତାରିଖ ରାତିରେ ଘରେ ମଧୁ ଶୋଇଥିବା ବେଳେ ଏକ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ୩ ତାରିଖ ସକାଳେ ଗୁରୁତର ଅବସ୍ଥାରେ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଟିଟିଲାଗଡ ଡାକ୍ତରଖାନାରୁ ବଲାଙ୍ଗୀର ସନ୍ଥ କବି ଭୀମ ଭୋଇ ହସ୍‌ପିଟାଲକୁ ଆଣିଥିଲେ। ବଲାଙ୍ଗୀରରେ ସକାଳ ସାଢେ ୧୦ଟା ବେଳେ ଡାକ୍ତର ନାବାଳକ ମଧୁକୁ ମୃତ ଘୋଷଣା କରିଥିଲେ। ମଧୁଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ ପରିବାର ଲୋକେ। ସେ ମରିନାହାନ୍ତି, ଗୁଣିଆ ଝଡାଫୁଙ୍କା କଲେ ଠିକ୍‌ ହୋଇଯିବ ବୋଲି ପରିବାର ଲୋକେ ଜିଦ୍ କରିଥିଲେ। ବ୍ୟବଚ୍ଛେଦ ପାଇଁ ଶବକୁ ଶବାଗାରକୁ ଅଣାଯାଇଥିଲେ ବି ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା। ୩ ତାରିଖ ସଂଧ୍ୟାରେ କଳାହାଣ୍ଡି ଜିଲ୍ଲାର ଜଣେ ଗୁଣିଆଙ୍କୁ ଧରି ପରିବାର ଲୋକେ ଡାକ୍ତରଖାନା ଶବାଗାରରେ ପହଞ୍ଚିଥିଲେ। ଗୁଣିଆ ଜଣଙ୍କ ଝଡ଼ାଫୁଙ୍କା ଆରମ୍ଭ କରିଥିଲେ। ମଧୁଙ୍କ ଶବର ବିଭିନ୍ନ ସ୍ଥାନରେ ଏକ ଥାଳିକୁ ଲଗାଇ ପରୀକ୍ଷାନିରୀକ୍ଷା କରିବା ପରେ ଶରୀରରେ ପ୍ରାଣ ନଥିବା କହିବା ସହ ମୃତକଙ୍କୁ ବଞ୍ଚାଇ ପାରିବେ ନାହିଁ ବୋଲି ଗୁଣିଆ କହିଥିଲେ। ଏହାପରେ ଶବକୁ ଫ୍ରିଜରରେ ରଖାଯାଇଥିଲା। ପୁଲିସ ବି ଏ ସଂପର୍କରେ ଖବର ପାଇ ବୁଧବାର ସଂଧ୍ୟାରେ ପହଞ୍ଚିବା ବେଳକୁ ଫେରାର ମାରି ସାରିଥିଲେ ଗୁଣିଆ। ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମଧୁଙ୍କ ଶବ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର