ଅନ୍ଧବିଶ୍ୱାସର ଅନ୍ଧଗଳିରେ ଏବେ ବି ମଣିଷ! : ହସ୍ପିଟାଲରେ ବଞ୍ଚାଇବା ପାଇଁ ଝଡ଼ାଫୁଙ୍କା

ଜଳେଶ୍ୱର : ଅବିଶ୍ୱାସର ଅନ୍ଧଗଳିରେ ଏବେ ବି ମଣିଷ! ସଚେତନତା ସତ୍ତ୍ୱେ ଡାକ୍ତରୀ ଚିକିତ୍ସାକୁ ଚ୍ୟାଲେଞ୍ଜ କରି ମଣିଷ କିପରି ଗୁଣିଗାରେଡ଼ି ଉପରେ ଅଧିକ ବିଶ୍ୱାସ ରଖୁଛ, ତାହାର ଉଦାହରଣ ଆଜି ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ସର୍ପାଘାତରେ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କଲା ପରେ ବି ମୃତକଙ୍କୁ ବଞ୍ଚାଇବାକୁ ପରିବାର ଲୋକେ ଗୁଣିଗାରେଡ଼ିର ସାହାଯ୍ୟ ନେଇଛନ୍ତ। ଏହି ଘଟଣା ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ଜଳେଶ୍ୱର ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତର ମହିଷାମୁଣ୍ଡା ଗ୍ରାମର ସିଦ୍ଧେଶ୍ୱର ଜେନା(୪୭) ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ବିଲରେ ପାଣି ଅଛି କି ନାହିଁ ଦେଖିବାକୁ ଯାଇଥିଲେ। ଜମି ଦେଖି ଫେରୁଥିବା ବେଳେ ହିଡ଼ରେ ତାଙ୍କୁ କୌଣସି ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କେଇ ମିନିଟ୍‌ ମଧ୍ୟରେ ପରିବାର ଲୋକେ ଓ ସମ୍ପର୍କୀୟ ସିଦ୍ଧେଶ୍ୱରକୁ ବଞ୍ଚାଇବା ପାଇଁ ଗୁଣିଗାରେଡ଼ିର ସହାୟତା ନେଇଥିଲେ। ସେମାନେ ବାରିପଦା ଅଞ୍ଚଳର ଜଣେ ଗୁଣିଆଙ୍କୁ ଫୋନ୍‌ ଲଗାଇଥିଲେ। ସେହି ଗୁଣିଆଙ୍କ କହିବା ମୁତାବକ ସିଦ୍ଧେଶ୍ୱରଙ୍କ କାନ ପାଖରେ ମୋବାଇଲ ଫୋନ୍‌ ରଖି ତାଙ୍କର ଜଣେ ସମ୍ପର୍କୀୟ ମହିଳା ସିଦ୍ଧେଶ୍ୱରଙ୍କ ମୁଣ୍ଡରୁ ଗୋଡ଼ଯାଏ ବାରମ୍ବାର ନିମ୍ବ ଡାଳ ବୁଲାଇଥିଲେ। ହସ୍‌ପିଟାଲ ମଧ୍ୟରେ ଏହି ଦୃଶ୍ୟକୁ ଦେଖିବା ପାଇଁ ବେଶ୍‌ କିଛି ସମୟ ଧରି ଲୋକଙ୍କ ଗହଳି ଲାଗିରହିଥିଲା। ଡା. ଦିଲ୍ଲୀପ କୁମାର ପାତ୍ର ଏପରି ଅନ୍ଧବିଶ୍ୱାସରୁ ନିବୃତ୍ତ ରହିବାକୁ ସମ୍ପର୍କୀୟମାନଙ୍କୁ କହିଥିଲେ ବି ସେମାନେ ଶୁଣି ନ ଥିଲେ। ପୁଣି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ବାରିପଦାର ସେହି ଗୁଣିଆଙ୍କ ନିକଟକୁ ସିଦ୍ଧେଶ୍ୱରଙ୍କୁ ନେଇଯାଇଥିଲେ। ତେବେ ସିଦ୍ଧେଶ୍ୱରଙ୍କ ନିଶ୍ଚିତ ମୃତ୍ୟୁ ହୋଇଯାଇଥିବା ଜାଣିବା ପରେ ବିଳମ୍ବିତ ରାତିରେ ତାଙ୍କ ମୃତଶରୀରକୁ ଜଳେଶ୍ୱର ହସ୍ପିଟାଲକୁ ଫେରାଇ ଆଣିଥିଲେ। ଏହାପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ନେଇ ଥାନାରେ ୨୧ ନମ୍ବରର ଏକ ମାମଲା ରୁଜୁ ହୋଇଛି। ଜଳେଶ୍ୱର ପରି ଶିକ୍ଷା ସଚେତନ ଅଞ୍ଚଳରେ ରୋଗୀଙ୍କ ମୃତ୍ୟୁ ପରେ ଏପରି ଗୁଣିଗାରେଡ଼ି କରି ବଞ୍ଚାଇବାକୁ ଉଦ୍ୟମ କରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର