ଅନ୍ଧବିଶ୍ୱାସ କରୁଣ ପରିଣତି : ବ୍ୟବଚ୍ଛେଦ ଯୋଗୁଁ ଅଛୁଆଁ ହେଲା ଶବ!

ଆସିଲେନି ଜାତି ଭାଇ, ନାବାଳକଙ୍କ ସହ ତିନି ଭାଇ ବୋହିଲେ

ଗୁଡ଼ଭେଲା : ଗ୍ରାମାଞ୍ଚଳରେ ଏବେ ବଞ୍ଚିଛି ଅନ୍ଧବିଶ୍ୱାସ। ବ୍ୟବଚ୍ଛେଦ ହୋଇଥିବାରୁ ଶବ ଅଛୁଆଁ ହୋଇଛି। ଯେଉଁଥିପାଇଁ ଜାତି ଭାଇ କାନ୍ଧ ଦେବାକୁ ଆସିଲେନି। ଶେଷରେ ତିନି ଭାଇ ମିଶି ଦୋଳାରେ ଶବ ବୋହି ନେଲେ ମଶାଣିକୁ। ଗତ ୧୧ ତାରିଖ ଦିନ ଗୁଡ଼ଭେଲା ବ୍ଲକ ମାଢ଼େକେଲା ପଞ୍ଚାୟତ ଅନ୍ତର୍ଗତ କୋଟଗାଁ ସିଲେଟପଡ଼ାରେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି।

ସିଲେଟପଡ଼ାର ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ର ଥବିର ଭୋଇ ତାଙ୍କ ଦୁଇ ଜଣ ସାଙ୍ଗଙ୍କ ସହ ବାଇକରେ ଗୁଡ଼ଭେଲା ଆସୁଥିଲେ। ଗୁଡ଼ଭେଲା ନିକଟ ବୁଲାଣିରେ ବାଇକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ନିମ୍ବ ଗଛରେ ପିଟି ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ଥବିରଙ୍କ ମୃତ୍ୟୁ ହୋଇଥିଲା। ବୁର୍ଲାରେ ଶବ ବ୍ୟବଚ୍ଛେଦ ପରେ ଶବ ଗାଁକୁ ଆସିଥିଲା। ହେଲେ ଗାଁକୁ ଶବ ପ୍ରବେଶ କରାଇ ନଦେବାକୁ ଜାତି ଭାଇ ତାଗିଦ କରିଥିଲେ। ଶେଷରେ କିଛି ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ଶବ ଗାଁକୁ ଆସିଥିଲା। ହେଲେ କେହି କାନ୍ଧେଇବାକୁ ବାହାରି ନ ଥିଲେ। ଶବକୁ ଯିଏ ଛୁଇଁବ ତାକୁ ଜାତି ହେବାକୁ ପଡ଼ିବ। ତେଣୁ କାନ୍ଧ ଦେବା ପାଇଁ ଜାତି ଭାଇ ରୋକଠୋକ ମନା କରି ଦେଇଥିଲେ। ଶେଷରେ ମୃତକଙ୍କ ବଡ଼ ଦୁଇ ଭାଇ କୀର୍ତ୍ତିଚନ୍ଦ୍ର, ଗୁଣବନ୍ତଙ୍କ ସହ ନବମ ଶ୍ରେଣୀରେ ପଢ଼ୁଥିବା ନାବାଳକ ସାନ ଭାଇ ବୋହି ମଶାଣିକୁ ନେଇଥିଲେ। ପରେ ତିନି ଭାଇ ଜାତି ହୋଇଥିବା ମଧ୍ୟ ଜଣାଯାଇଛି। କୁହାଯାଏ, ଶବର କୌଣସି ଜାତି ନାହିଁ। ଶିକ୍ଷିତ ସମାଜରେ ଅନେକ ଲୋକ ଶବ କାନ୍ଧେଇ ନିଜକୁ ଧନ୍ୟ ମଣୁଥିବା ବେଳେ ଜାତିଗତ କୁପ୍ରଥା ଯୋଗୁଁ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଏହି ଘଟଣା ବିଷୟରେ ଗଉଡ଼ ସମାଜ ବ୍ଲକ ସଭାପତି ଛବିଳ ମନହୀରାଙ୍କୁ ପଚାରିବାରୁ, ‘ଉକ୍ତ ଦିନ ମୁଁ ଅଞ୍ଚଳରେ ଅନୁପସ୍ଥତ ଥିଲି; ଘଟଣାଟି ଦୁର୍ଭାଗ୍ୟଜନକ; ଗଉଡ଼ ସମାଜରେ ଏଭଳି କିଛି ନିୟମ ନାହିଁ; ଏହାର ତଦନ୍ତ କରି ବଲାଙ୍ଗୀର ଜିଲ୍ଲା ସମାଜକୁ ଜଣାଇବି; ଜିଲ୍ଲା ସମାଜ ଏହାର ନିଷ୍ପତ୍ତି ନେବେ’ ବୋଲି ସେ କହିଛନ୍ତି।

ମହିଳାଙ୍କ ଜୀବନ ଗଲା : ଅନ୍ୟ ଜଣେ ଗୁରୁତର, ଗୁଣିଆ ସମେତ ୪ ଗିରଫ

କୁଳିଅଣା : ପରିବାର ଲୋକଙ୍କ ଅନ୍ଧବିଶ୍ୱାସ ଯୋଗୁ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍‌ ଅନ୍ତର୍ଗତ ପେଡ଼ାଗଡ଼ା ଗ୍ରାମର ଜଣେ ମହିଳା ସୋମବାରୀ ମୁର୍ମୁ ପ୍ରାଣ ହରାଇଛନ୍ତି।

ଦୀର୍ଘଦିନ ଧରି ଅସୁସ୍ଥ ମା’ ଭାଗ ମୁର୍ମୁଙ୍କୁ ଭଲ କରିବା ପାଇଁ ଝିଅ ସୋମବାରୀ ତାଙ୍କୁ ସେହି ଗାଁରେ ରହୁଥିବା ମାମୁ ରାମେ ମୁର୍ମୁଙ୍କ ଘରକୁ ଗତକାଲି ଯାଇଥିଲେ। ସେଠାରେ ମାମୁ ପୂଜାପାଠ କରୁଥିବାବେଳେ ସୋମବାରୀକୁ ହଠାତ୍‌ କାଳସୀ ଲାଗିଥିଲା। ସୋମବାରୀ ପାଟି କରି ଚିତ୍କାର କରିବାରୁ ଗୁଣିଆ ରାମେ, ତାଙ୍କ ପୁଅ ସୁକୁଲ ଓ ବୋହୂ ସୀତା, ଗୁଣିଆର ସ୍ତ୍ରୀ ମାହି ଓ ସାନପୁଅ ନରସିଂହ ମିଶି ସୋମବାରୀଙ୍କ ଗୋଡ଼-ହାତ ବାନ୍ଧି ପକାଇଥିଲେ। ଏହାପରେ ସୋମବାରୀ ଦେହରୁ କାଳିସୀ ଛଡ଼ାଇବା ନାଁରେ ତ୍ରିଶୂଳ, ଶାବଳ ଓ ଗଇଁତିରେ ଖେଞ୍ଚି ପକାଇଥିଲେ। ଫଳରେ ସୋମବାରୀଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ହେବାସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏ ସମ୍ପର୍କରେ ଖବର ପାଇ ଭାଇ ରାମ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ଭଉଣୀକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ। ସେଠାରେ କିଛି ବନ୍ଧୁଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସୋମବାରୀକୁ ବାରିପଦା ଡାକ୍ତରଖାନାକୁ ନେଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅନୁରୂପ ଭାବେ ଘଟଣା ଦିନ ଗାଁର ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ସମ୍ପୃକ୍ତ ଗୁଣିଆ ରୋଗ ଭଲ କରିବାକୁ କହି ମୁହଁ ଓ ହାତରେ ନିଆଁ ଚେଙ୍କ ଦେଇଥିଲେ। ଉକ୍ତ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଏବେ ବାରିପଦା ପିଆରଏମ ସିଏଚଏସସିରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ପୁଲିସ୍‌ ଗୁଣିଆଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର