ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପିଏଚ୍‌ଡି ପାଇଲେ ଦୃଷ୍ଟିଶକ୍ତିହୀନ ଅଧ୍ୟାପିକା

ସମ୍ବଲପୁର : ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରୀକ୍ଷା ସମୟରେ ଯେତେବେଳେ ଅନ୍ୟ ଛାତ୍ରଛାତ୍ରୀ ପାଠ ପଢ଼ାରେ ବ୍ୟସ୍ତ ଥିଲେ, ସେତେବେଳେ ତାଙ୍କୁ ଦୃଷ୍ଟିହୀନ ପରୀକ୍ଷାର୍ଥୀଙ୍କ ପରୀକ୍ଷା ନିୟମ ଜାଣିବା ପାଇଁ ଘୂରିବୁଲିବାକୁ ପଡ଼ୁଥିଲା। ପାଠ ପଢ଼ା ପାଇଁ ଯେଉଁ ଭଳି ସହଯୋଗର ବାତାବରଣ କଲେଜ, ଅଧ୍ୟାପକ, ସାଙ୍ଗ କିମ୍ବା ସାମାଜିକ ବ୍ୟବସ୍ଥାରୁ ମିଳିଥାଏ, ତାହା ବି ତାଙ୍କୁ ମିଳିନଥିଲା। ଏହା ସତ୍ତ୍ୱେ ପାଠପଢ଼ି ଆତ୍ମନିର୍ଭରଶୀଳ ହେବାର ସ୍ୱପ୍ନ ଦେଖି ଆସିଥିବା ମଞ୍ଜୁଲତା ରାଜ୍ୟର ପ୍ରଥମ ମହିଳା ଦୃଷ୍ଟିହୀନ ପିଏଚ୍‌ଡିଧାରୀ ହୋଇ ପାରିଛନ୍ତି।

ମଞ୍ଜୁଲତା ଏବେ ହୀରାକୁଦ କଲେଜ ରାଜନୀତି ବିଜ୍ଞାନ ଅଧ୍ୟାପିକା ଅଛନ୍ତି। ପୂରା ନାମ ମଞ୍ଜୁଲତା ପଣ୍ଡା(୩୮)। ତାଙ୍କ ପ୍ରତିଭା ଏବଂ ଅଧ୍ୟବସାୟ ଅନେକଙ୍କ ଉଦାହରଣ ଅଟେ। ଭିନ୍ନକ୍ଷମଙ୍କ ପାଇଁ ଅନେକ ସୁବିଧା ରହିଥିବା ତଥା ସେମାନଙ୍କ ପାଇଁ ସମାଜ ସମ୍ବେଦନଶୀଳ ଥିବା ସାଧାରଣରେ ପ୍ରଚାର କରାଯାଉଥିଲେ ମଧ୍ୟ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ବୋଲି କହିଛନ୍ତି ମଞ୍ଜୁଲତା। ହୀରାକୁଦ ରିରୋଲିଂ ଆସିଷ୍ଟାଣ୍ଡ ମ୍ୟାନେଜର ସନତ ପଣ୍ଡା ଏବଂ ପତ୍ନୀ କମଳା ପଣ୍ଡାଙ୍କ କନ୍ୟା ମଞ୍ଜୁଲତା ଜନ୍ମରୁ ଆଖିରୁ ଜ୍ୟୋତି ହରାଇଥିଲେ। ଏହା ସତ୍ତ୍ୱେ ମା-ବାପା ସାଧାରଣ ଶିଶୁ ଭଳି ତାଙ୍କୁ ବଢ଼ାଇବାରେ ଓ ପାଠ ପଢ଼ାଇବାରେ ସବୁ ପ୍ରକାର ସୁବିଧା ଦେବା ପାଇଁ ଜୋର ଲଗାଇ ଦେଇଥିଲେ। କିନ୍ତୁ ଯେଉଁ ସୁବିଧା ତାଙ୍କୁ ଶିକ୍ଷା ବ୍ୟବସ୍ଥାରୁ ମିଳିବା କଥା ମିଳି ପାରି ନ ଥିଲା। ମଂଜୁଲତା ବୁର୍ଲାସ୍ଥିତ ଦୃଷ୍ଟିହୀନ ସ୍କୁଲରେ ପଢୁଥିଲେ।

ସେ କହନ୍ତି, ସପ୍ତମ ଶ୍ରେଣୀ ପଢ଼ିବା ବେଳକୁ ବ୍ରେଲି କିମ୍ବା ବହିର ରେକର୍ଡିଂ ନ ଥିଲା। ସ୍କୁଲରେ ଅନ୍ୟ ମାନଙ୍କ ଠାରୁ କିମ୍ବା ଘରେ ମା’ ଠାରୁ ଶୁଣି ନିଜେ ବ୍ରେଲିରେ ଲେଖି ପଢ଼ୁଥିଲେ। ଏହିଭଳି ସ୍ଥିତିରେ କୌଣସି ପ୍ରକାରେ ମାଟ୍ରିକ ପରୀକ୍ଷା ସମାପ୍ତ ହେଲା। ଭିନ୍ନକ୍ଷମ ପ୍ରତି ସମାଜର ସମ୍ବେଦନହୀନତା ଉପଲବ୍ଧି କରିଥିଲେ ମଞ୍ଜୁଲତା। ସେ କହନ୍ତି, ଜିଏମ କଲେଜରେ ଯୁକ୍ତ ଦୁଇ ପଢ଼ିବା ବେଳେ ହଷ୍ଟେଲରେ ତାଙ୍କୁ ରୁମ ମିଳିଥିଲା। ମାତ୍ର କେହି ତାଙ୍କ ସହିତ ରହିବାକୁ ପସନ୍ଦ କଲେ ନାହିଁ। ହଷ୍ଟେଲରୁ କ୍ଲାସକୁ ନେଇ ଯିବା ପାଇଁ କେହି ଆଗ୍ରହ ଦେଖାଉ ନଥିଲେ। ୪-୫ଜଣଙ୍କୁ ଅନୁରୋଧ କଲେ, ଜଣେ ସହାୟତା କରନ୍ତି। କ୍ଲାସରେ ମଧ୍ୟ ଅଧ୍ୟାପକ-ଅଧ୍ୟାପିକାଙ୍କ ବିଶେଷ ଦୃଷ୍ଟି ପଡ଼ୁନଥିଲା। ପ୍ରଶ୍ନୋତ୍ତର ବେଳେ ନିଜକୁ ସବୁବେଳେ ଧସେଇ ହୋଇ ପଶିବାକୁ ପଡ଼ୁଥିଲା। ଏହା ସତ୍ତ୍ୱେ ପରିବାର ଏବଂ କିଛି ସାଙ୍ଗଙ୍କ ସହଯୋଗ ଯୋଗୁଁ ପାଠପଢା ସମ୍ଭବ ହେଲା। ଜିଏମ କଲେଜରେ ଯେଉଁ ସମସ୍ୟା ହେଉଥିଲା, ସ୍ନାତକୋତ୍ତର ବେଳକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ପିଏଚ୍‌ଡି କରିବା ବେଳକୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ସମସ୍ୟା ସେତିକି ରହିଲା ନାହିଁ।

୨୦୧୬ ମସିହାରେ ‘ସରକାରୀ ଏବଂ ଘରୋଇ ସଂସ୍ଥାରେ ଦୃଷ୍ଟିହୀନ’ ଶୀର୍ଷକକୁ ନେଇ ଆଶା ହଂସ ଏବଂ ସ୍ମିତା ନାଏକଙ୍କ ଅଧୀନରେ ପିଏଚ୍‌ଡି ସମ୍ପୂର୍ଣ୍ଣ କରିଥିଲେ। ପାଠପଢ଼ା ଭଳି ଚାକିରି ମଧ୍ୟ ସହଜ ନଥିଲା। ୨୦୧୩ ମସିହାରେ ଓପିଏସସି ପରୀକ୍ଷା ଦେବାବେଳକୁ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାର ଗୋଟିଏ ଆସନ ଭିନ୍ନକ୍ଷମ ପାଇଁ ସଂରକ୍ଷିତ ଥିଲା। ସେ ଏକମାତ୍ର ଭିନ୍ନକ୍ଷମ ପରୀକ୍ଷାର୍ଥୀ ଥିଲେ। ଆଶା କରିଥିଲେ, ନିଶ୍ଚିତ ଭାବରେ ଚାକିରି ପାଇବେ। ମାତ୍ର ଓପିଏସସିର ସେହି ଗୋଟିଏ ଆସନକୁ ଅଣସଂରକ୍ଷିତ କରାଯାଇ ତାଙ୍କ ଠାରୁ ଚାକିରି ଛଡ଼ାଇ ନିଆଯାଇ ଥିଲା। ସ୍ୟାଟ୍‌ରେ ଏ ନେଇ ମାମଲା ଦାୟର କରିଛନ୍ତି। ପରିଣାମ ବର୍ତ୍ତମାନ ସୁଦ୍ଧା ଆସି ନାହିଁ। ଏହା ସତ୍ତ୍ୱେ ଆତ୍ମନିର୍ଭରଶୀଳ ହେବାରେ ତାଙ୍କୁ କେହି ରୋକି ପାରି ନାହିଁ।

ସମ୍ବନ୍ଧିତ ଖବର