‘ବ୍ଲୁ-ହେ୍ଵଲ୍‌’ ଜାଲରେ ଆନନ୍ଦପୁରର ଯୁବକ : ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଆନନ୍ଦପୁର : ଆନନ୍ଦପୁର ବ୍ଲକ୍‌ ଟଭାକୁଦ ଗ୍ରାମର ଜଣେ ଯୁବକ ବ୍ଲୁ-ହେ୍ଵଲ ଗେମ୍‌ ସଂସ୍ପର୍ଶରେ ଆସି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାଣଘାତୀ ବ୍ଲୁ-ହେ୍ଵଲର ସଦ୍ୟତମ ଶିକାର ହୋଇଥିବା ଏହି ଯୁବକଙ୍କ ନାମ ଅଜୟ କୁମାର ପାତ୍ର (୨୨) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ତାମିଲନାଡୁର ଏକ ସୂତାକଳରେ ଶ୍ରମିକ ଭାବେ କାମ କରୁଥିବା ଟଭାକୁଦ ଗାଁ’ର ଅଜୟ ନିକଟରେ ଘରକୁ ଆସିଥିଲେ। ଗତ ପ୍ରାୟ ୧୫ ଦିନ ହେଲା ସେ ତାଙ୍କ ସ୍ମାଟ୍‌ ଫୋନ୍‌ରେ ‘ବ୍ଲୁ-ହେ୍ଵଲ୍‌’ ଗେମ୍‌ ଡାଉନଲୋଡ୍‌ କରି ଏହି ପ୍ରାଣାନ୍ତକ ଖେଳର ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଅତିକ୍ରାନ୍ତ କରି ଯାଇଥିଲେ। ତାଙ୍କ ହାତରେ କଟାଚିହ୍ନ ଦେଖିବାକୁ ମିଳିବା ପରେ ସେ କାମ କରୁଥିବା କମ୍ପାନି କର୍ତୃପକ୍ଷ ଅଜୟଙ୍କ ମୋବାଇଲ୍‌ ସେଟ୍‌କୁ ଜବତ କରିବା ସହିତ ତାଙ୍କୁ ନିଜ ଗାଁ’କୁ ପଠାଇ ଦେଇଥିଲେ।

ଏହା ସତ୍ତେ୍ଵ ଅଜୟଙ୍କର ବ୍ଲୁ-ହେ୍ଵଲ୍‌ ଖେଳିବା ନିଶା ଛାଡି ନଥିଲା। ଗାଁ’କୁ ଫେରିବା ପରେ ସେ ସବୁ ସମୟରେ ଅନ୍ୟମନସ୍କ ରହୁଥିବା ବେଳେ ଦୁଇଦିନ ତଳେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଦୁଇ ଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଅଜୟ ବ୍ଲୁ-ହେ୍ଵଲ ଗେମ୍‌ ଖେଳୁଥିବା ସଂପର୍କରେ ଡାକ୍ତରଙ୍କୁ କହିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ପୁଲିସ୍‌ ଆଜି ଡାକ୍ତରଖାନାରେ ପହଞ୍ଚି ଅଜୟଙ୍କ ବୟାନ୍‌ ରେକର୍ଡ କରିଛି।

ସମ୍ବନ୍ଧିତ ଖବର