ପୁଣି ବ୍ଲୁ-ହେ୍ଵଲ!

ନୟାଗଡ଼ରେ ହାତ କାଟିଲେ ନାବାଳକ, ଆନନ୍ଦପୁରରେ ବିଷ ପିଇଲେ ଯୁବକ

ନୟାଗଡ଼/ ଆନନ୍ଦପୁର : ପୁଣି ବ୍ଲୁ ହେ୍ଵଲ ଗେମ୍‌ ଖେଳି ଆତ୍ମହତ୍ୟା ଉଦ୍ୟମ। ଏଭଳି ୨ଟି ଅଭିଯୋଗ ଆଜି ଆସିଛି ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାରୁ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ବେଗୁନିଆ ଗାଁର ଜଣେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନାବାଳକ ଜଣକ ବ୍ଲେଡ୍‌ରେ ନିଜ ଡାହାଣ ହାତକୁ କାଟି ପକାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାପଡ଼ିଛି। ସେ ବ୍ଲୁ ହେ୍ଵଲ ଗେମ୍‌ ଖେଳି ହାତ କାଟିଥିବା ଚର୍ଚ୍ଚା ହେଉଛି।

ବଢ଼େଇ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଏକମାତ୍ର ପୁଅ ଏହି ନାବାଳକ ଅପରାହ୍ଣ ପ୍ରାୟ ୩ଟାରେ ଏକୁଟିଆ ଘରେ ଥିଲେ। ସେତେବେଳେ ବାପା ମା’ ଘରେ ନଥିଲେ। କିଛି ସମୟ ପରେ ସେମାନେ ଘରକୁ ଫେରିବାବେଳକୁ ନାବାଳକ ଶୋଇବା ଘରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଆଖପାଖ ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲା। ପାଖରେ ଏକ ବ୍ଲେଡ୍‌ ପଡ଼ିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଭୁବନେଶ୍ୱର ରେଫର୍‌ କରି ଦେଇଥିଲେ। ତାଙ୍କ ଡାହାଣ ହାତରେ ୩୦ରୁ ଅଧିକ କଟା ଦାଗ ରହିଥିବା ଦେଖିବାକୁ ମିଳିଛି। କହୁଣି ଓ ପାପୁଲିରେ ବି କଟା ଦାଗ ରହିଛି। ତାଙ୍କ ନିକଟରୁ ମୋବାଇଲ ବି ଉଦ୍ଧାର କରାଯାଇଛି। ପରିବାର ଲୋକେ ଏହି ଘଟଣା ପାଇଁ ବ୍ଲୁ ହେ୍ଵଲ ଗେମ୍‌କୁ ଦାୟୀ କରିଛନ୍ତି। ତେବେ ଏ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ପ୍ରେମ କିମ୍ବା ଅନ୍ୟ କାରଣ ପାଇଁ ଏହି ଘଟଣା ଘଟିଥାଇ ପାରେ ବୋଲି କୁହାଯାଉଛି।

ସେହିପରି କେନ୍ଦୁଝର ଆନନ୍ଦପୁର ବ୍ଲକ୍‌ ଟଭାକୁଦ ଗ୍ରାମର ଜଣେ ଯୁବକ ବ୍ଲୁ-ହେ୍ଵଲ ଗେମ୍‌ ଖେଳି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଯୁବକଙ୍କ ନାମ ଅଜୟ କୁମାର ପାତ୍ର (୨୨)। ସେ ତାମିଲନାଡୁର ଏକ ସୂତାକଳରେ ଶ୍ରମିକ ଭାବେ କାମ କରନ୍ତି। କିଛି ଦିନ ତଳୁ ତାଙ୍କ ସ୍ମାଟ୍‌ ଫୋନ୍‌ରେ ‘ବ୍ଲୁ-ହେ୍ଵଲ୍‌’ ଗେମ୍‌ ଡାଉନଲୋଡ୍‌ କରି ଖେଳୁଥିଲେ। ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଅତିକ୍ରମ କରି ଯାଇଥିଲେ। ତାଙ୍କ ହାତରେ କଟାଚିହ୍ନ ଦେଖିବାକୁ ମିଳିବା ପରେ ସେ କାମ କରୁଥିବା କମ୍ପାନି କର୍ତୃପକ୍ଷ ଅଜୟଙ୍କ ମୋବାଇଲ୍‌ ସେଟ୍‌କୁ ଜବତ କରିବା ସହିତ ତାଙ୍କୁ ନିଜ ଗାଁ’କୁ ପଠାଇ ଦେଇଥିଲେ।

ଏହା ସତ୍ତେ୍ଵ ଅଜୟଙ୍କର ବ୍ଲୁ-ହେ୍ଵଲ୍‌ ଖେଳିବା ନିଶା ଛାଡି ନଥିଲା। ଗାଁ’କୁ ଫେରିବା ପରେ ସେ ସବୁ ସମୟରେ ଅନ୍ୟମନସ୍କ ରହୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ଅଣାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଅଜୟ ବ୍ଲୁ-ହେ୍ଵଲ ଗେମ୍‌ ଖେଳୁଥିବା ସଂପର୍କରେ ଡାକ୍ତରଙ୍କୁ କହିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ପୁଲିସ୍‌ ଆଜି ଡାକ୍ତରଖାନାରେ ପହଞ୍ଚି ଅଜୟଙ୍କ ବୟାନ୍‌ ରେକର୍ଡ କରିଛି।

ସମ୍ବନ୍ଧିତ ଖବର