ମାଓ ଦମନ ପାଇଁ ମିଳିତ ଅପରେସନ ଶୀଘ୍ର

ଓଡ଼ିଶା ସମେତ ୫ ରାଜ୍ୟର ସମନ୍ଵୟ ବୈଠକ

ରାଉରକେଲା : ଓଡ଼ିଶା, ଝାଡ଼ଖଣ୍ଡ ସମେତ ୫ଟି ରାଜ୍ୟରେ ମାଓବାଦୀ ଦମନ ପାଇଁ ଆରମ୍ଭ ହୋଇଛି ବ୍ଲୁପ୍ରିଣ୍ଟ। ଏଥିପାଇଁ ଝାଡ଼ଖଣ୍ଡ ରାଞ୍ଚି ପୁଲିସ ମୁଖ୍ୟାଳୟରେ ସେଠାର ପୁଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୫ ରାଜ୍ୟ ପୁଲିସର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାଓବାଦୀ ଦମନ ଉପରେ ବିସ୍ତତ ଆଲୋଚନା ହୋଇଛି। ସୀମାନ୍ତରେ ମାଓବାଦୀ ମୂଳୋତ୍ପାଟନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡର ସିଆରପିଏଫ୍‌, ଏସ୍‌ଏସ୍‌ବି, ଆଇବି ଏବଂ ଇଡିର ପକ୍ଷରୁ ମିଳିତ ଅପରେସନ୍‌ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟର ସମସ୍ତ ସୀମାବର୍ତ୍ତୀ ପୁଲିସ, ସିଆର୍‌ପିଏଫ୍‌ ଯବାନମାନେ ଉପଯୁକ୍ତ ସମନ୍ଵୟ ରକ୍ଷା କରି କମ୍ବିଂ ଅପରେସନ୍‌କୁ ଜୋରଦାର କରିବା ସହ ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଗୁଇନ୍ଦା ସୂଚନା ଆଦାନ ପ୍ରଦାନ, ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ସୂଚନା ଆଦାନ ପ୍ରଦାନ ବିଷୟରେ ମଧ୍ୟ ସେଠାରେ ବିସ୍ତତ ଆଲୋଚନା ହୋଇଥିଲା। ଝାଡ଼ଖଣ୍ଡ ପୁଲିସ ମହାନିର୍ଦ୍ଦୋକ ଡି.କେ. ପାଣ୍ଡେ ସମନ୍ଵୟ ବୈଠକରେ ଅଧ୍ୟକ୍ଷତା କରି ମିଳିତ ରଣନୀତି ପ୍ରସ୍ତୁତି କରି ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଭାବେ ଦମନ କରିବାକୁ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସେ ସୀମାବର୍ତ୍ତୀ ଛତିଶଗଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ବିହାର ରାଜ୍ୟ ପୁଲିସ ସହ ସହଯୋଗରେ ସୀମାନ୍ତରେ ମିଳିତ ଅପରେସନ୍‌କୁ ଜୋରଦାର କରିବାକୁ ପ୍ରସ୍ତାବ ଦେଇଥିଲେ। ଆସନ୍ତା ଡିସେମ୍ବର ମାସରେ ପରବର୍ତ୍ତୀ ବୈଠକ କଲିକତାରେ କରିବାକୁ ପ୍ରସ୍ତାବ ରଖିଥିଲେ। କଲିକତା ମଧ୍ୟ ଜୋନ୍‌ର ବିଶେଷ ପୁଲିସ ମହାନିର୍ଦ୍ଦେଶକ କୁଲଦୀପ ସିଂହ ମାଓବାଦୀ ଦମନ ପାଇଁ ସ୍ଥାନୀୟ ସ୍ତରରେ ଗୁଇନ୍ଦା ସୂଚନାକୁ ଦୃଢ଼ କରାଯିବା ଉଚିତ ବୋଲି କହିଥିଲେ। ଛତିିଶଗଡ ସରଗୁଜା ପୁଲିସ ମହାନିରୀକ୍ଷକ ହିମାଂଶୁ ଗୁପ୍ତା, ପଶ୍ଚିମବଙ୍ଗ ପଶ୍ଚିମ କ୍ଷେତ୍ରର ପୁଲିସ ମହାନିରୀକ୍ଷକ ରାଜୀବ ମିଶ୍ରା, ଓଡ଼ିଶା ସହକାରୀ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ରାୟ, ସିଆଇଏସ୍‌ଏଫ୍‌ ମହାନିରୀକ୍ଷକ ଅନୀଲ କୁମାର ଓ ବିହାର ସହକାରୀ ପୁଲିସ ମହାନିର୍ଦ୍ଦେଶକ ଆଲୋକ ରାଜ ପ୍ରମୁଖ ବୈଠକରେ ଉପସ୍ଥିତ ରହି ପାଞ୍ଚ ରାଜ୍ୟରେ ମାଓବାଦୀ ଦମନ ପାଇଁ ନିଜ ନିଜ ପ୍ରସ୍ତାବମାନ ରଖିଥିଲେ।

ସମ୍ବନ୍ଧିତ ଖବର