ଵ୍ରହ୍ମପୁର : ମାନବିକତା ଦେଖାଇ ପୁଣି ଚର୍ଚ୍ଚାରେ ରହିଲେ ଵ୍ରହ୍ମପୁର ମହାନଗର ନିଗମ କମିସନର୍ ଚକ୍ରବର୍ତ୍ତୀ ସିଂହ ରାଠୋର । ସେ ନିଜ ଗାଡ଼ିରେ ବସାଇ ମେଡିକାଲ ନେଲେ ଆହତ ସ୍କୁଲ ଛାତ୍ରଙ୍କୁ । ଆଜି ସକାଳ ସାଢେ ନଅଟା ସମୟରେ ଜଣେ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ନିଜ ସାଇକେଲରେ ଗାନ୍ଧୀନଗର ଦେଇ ବିଦ୍ୟାଳୟକୁ ଯାଉଥିଲେ।  ହଠାତ୍ ତାଙ୍କର ଫିଡ୍ସ୍ ରୋଗ ବାହାରିବାରୁ ସାଇକେଲରୁ ତଳେ ପଡ଼ି ଅଚେତ ହେବା ସହ ଆହତ ହୋଇଥିଲେ ।

Advertisment

ଏହି ସମୟରେ ସେହି ରାସ୍ତା ଦେଇ ଵ୍ରହ୍ମପୁର ମହାନଗର ନିଗମ କମିସନର୍ ଚକ୍ରବର୍ତ୍ତୀ ସିଂହ ରାଠୋର ନିଜ ଗାଡ଼ିରେ କାର୍ଯ୍ୟାଳୟକୁ ଯାଉଥିଲେ । ସେହି ସମୟରେ ଏ ଘଟଣା ଦେଖି ନିଜ ଗାଡ଼ି ରଖି ଆହତ ଛାତ୍ରଙ୍କୁ ନିଜେ ଗାଡ଼ିରେ ବସାଇ ସିଟି ହସ୍ପିଟାଲକୁ ନେଇଥିଲେ । ଏଥିରେ ଆଇନଜୀବୀ ନଳିନୀକାନ୍ତ ଦେବଦର୍ଶୀ ଏବଂ ଅନ୍ୟ କିଛି ଲୋକ କମିସନରଙ୍କୁ ସହଯୋଗ ମଧ୍ୟ କରିଥିଲେ । ତେବେ ଘଟଣାର ଫଟୋ ଉଠାଇବାକୁ କମିସନର ସିଧାସଳଖ ମନା କରିଥିଲେ। କିନ୍ତୁ ବାରଣ ସତ୍ତ୍ବେ ତାହା ଭାଇରାଲ୍ ହୋଇଯାଇଛି ।

କମିସନର ତିତଲି ବାତ୍ୟା ସମୟରେ ନିଜେ ଚୁଡ଼ା ବ୍ୟାଗ୍ ଉଠାଇ ଗରିବ ଲୋକଙ୍କ ପାଇଁ କାମ କରୁଥିବା ଫଟୋ ସେହି ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଆଜି ପୁଣି ଆହତ ଛାତ୍ରଙ୍କୁ ନିଜ ଗାଡ଼ିରେ ବସାଇ ଡାକ୍ତରଖାନାକୁ ନେଇ କମିସନର୍ ନିଜର ମାନବିକତାର ପରିଚୟ ଦେଇଛନ୍ତି ।