କୁହୁଡ଼ି ଯୋଗୁଁ ସମୁଦ୍ରକୁ ଚାଲିଗଲା ଲଞ୍ଚ୍‌, ୫ ଘଣ୍ଟା ଫସି ରହିଲେ ୩୦ ଯାତ୍ରୀ

ରାଜନଗର/ଧାମରା : ବୈତରଣୀ ନଈ ଭିତରେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଲଞ୍ଚ୍ ଘନ କୁହୁଡି ଯୋଗୁଁ ବାଟବଣା ହୋଇ ସମୁଦ୍ରକୁ ଚାଲି ଯିବାଭଳି ଏକ ଅଭାବନୀୟ ଘଟଣା ଘଟିଛି। ସମୁଦ୍ର ମଧ୍ୟରେ ଏକ ବାଲିପଠାରେ ମୋଟର ଲଞ୍ଚ୍‌ଟି ଲାଗି ଯିବାରୁ ଯାତ୍ରୀମାନେ ଅଳ୍ପକେ ବର୍ତି ଯାଇଛନ୍ତି। ଲଞ୍ଚ୍‌ରେ ଥିବା ସମସ୍ତ ଯାତ୍ରୀ ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଧରି ଅଥଳ ଜଳରେ ଫସି ରହିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆରୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଯାଏଁ ସରକାରୀ ଯାତ୍ରୀବାହୀ ମୋଟର ଲଞ୍ଚ୍‌ ଯା’ଆସ କରୁଛି। ସବୁଦିନ ପରି ଆଜି ସକାଳ ୬ଟା ୧୫ରେ ଏମଏଲ ଗଙ୍ଗା ନାମକ ସରକାରୀ ଲଞ୍ଚ୍‌ ୩୦ଜଣ ଯାତ୍ରୀଙ୍କୁ ନେଇ ବାହାରିଥିଲା। ଏହି ଯାତ୍ରୀବାହୀ ମୋଟର ଲଞ୍ଚ ତାଳଚୁଆରୁ ବାହାରି କାରନାଳି, ଧାମରା, ଚରଦିଆ, ନଳିତାପାଟିଆ, ଉକୁଳେଇ, ବରଜପୁର ଦେଇ ଚାନ୍ଦବାଲିରେ ପହଁଚିଥାଏ। ଜଳପଥରେ ପ୍ରାୟ ୩୦ କିଲୋମିଟର ଏହି ଯାତ୍ରୀବାହୀ ମୋଟର ଲଞ୍ଚ୍‌ ଯାଇଥାଏ। ଆଜି ଘନ କୁହୁଡି ଯୋଗୁଁ ନଦୀ ଭିତରେ କିଛି ଦେଖା ଯାଇ ନଥିଲା। ଯାତ୍ରୀବାହୀ ମୋଟର ଲଞ୍ଚ୍‌ କାରନାଳି ଯିବାପାଇଁ ବୈତରଣୀ ନଦୀରେ ବୁଲାଣି ସମୟରେ ଭୁଲ୍‌ରେ ସମୁଦ୍ର ଆଡକୁ ଚାଲି ଯାଇଥିଲା। ଧାମରା ମୁହାଣର ଅଥଳ ଜଳରାଶି ମଧ୍ୟରେ ଥିବା ଏକ ବାଲିଚଢାରେ ଯାତ୍ରୀବାହୀ ମୋଟର ଲଞ୍ଚ୍‌ ଲାଗିଯାଇଥିଲା। ସେତେବେଳକୁ ଲଞ୍ଚ୍‌ଟି ସମୁଦ୍ର ଭିତରକୁ ପ୍ରାୟ ୪/୫ କିମି ଭିତରକୁ ଯାଇ ସାରିଥିଲା। ସରକାରୀ ଯାତ୍ରୀବାହୀ ଲଞ୍ଚ୍‌ରେ ଜିପିଏସ ନଥିବା ବେଳେ କମ୍ପାସ କାମ କରୁନଥିବାରୁ କେଉଁ ସ୍ଥାନରେ ଅଟକିଛି ତାହା କେହି ଜାଣି ପାରିନଥିଲେ। ଏହି ଲଞ୍ଚ୍‌ରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଇଫ ଜ୍ୟାକେଟ କିମ୍ବା ଲାଇଫ ବୟ ନଥିଲେ। ଫଳରେ ଯାତ୍ରୀମାନେ ଅଧିକ ଭୟଭୀତ ହୋଇ ପଡିଥିଲେ। ମୋଟର ଲଞ୍ଚ୍‌ରେ ଶିଶୁ, ମହିଳାଙ୍କ ସମେତ ୩୦ଜଣ ଯାତ୍ରୀ ଥିଲେ। ଯାତ୍ରୀମାନେ ସେମାନଙ୍କ ମୋବାଇଲରୁ ବିଭିନ୍ନ ସ୍ଥାନକୁ ଫୋନ୍‌ କରି ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ। ଦୀର୍ଘ ୫ ଘଣ୍ଟା ଧରି ସେଠାରେ ଫସି ରହିବା ପରେ ଧାମରା ସାମୁଦ୍ରିକ ଥାନା ପୁଲିସ୍‌ ସେଠାରେ ପହଞ୍ଚି ଥିଲା। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଧାମରାରେ ଛାଡିଥିଲା। ଲଞ୍ଚ୍‌ରେ ଥିବା ଯାତ୍ରୀ ଗୋବର୍ଦ୍ଧନ ପ୍ରଧାନଙ୍କ ସୂଚନା ମୁତାବକ ଭଗବାନଙ୍କ ଦୟାରୁ ଆମେ ନୂଆ ଜୀବନ ପାଇଲୁ। ଚଢାରେ ଲଞ୍ଚ୍‌ ଲାଗିଯିବାରୁ ଜୀବନ ବଞ୍ଚିଗଲା।

ସମ୍ବନ୍ଧିତ ଖବର