ଅଧା ରହିଲା ଯାତ୍ରା ଦେଖା : ଗୋହିରା ଡ୍ୟାମ୍‌ରେ ବୁଡ଼ିଗଲା ଡଙ୍ଗା, ଜଣେ ନିଖୋଜ, ୫ ଉଦ୍ଧାର

ଦେବଗଡ଼ : ଦେବଗଡ଼ ଜିଲ୍ଲା ଗୋହିରା ଡ୍ୟାମ୍‌ର ବୌଦାରପାଲି ଘାଟରେ ଶୁକ୍ରବାର ରାତିରେ ଏକ ହୁଲି ଡଙ୍ଗା ବୁଡ଼ିଯିବାରୁ ତିଲେଇବଣି ବ୍ଲକ୍‌ ବରଘାଟର ଜଗନ୍ନାଥ ସିଂ(୪୫) ନାମକ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ତାଙ୍କ ସହ ଥିବା ଅନ୍ୟ ୫ ଜଣ କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ହେଲେ ତିଲେଇବଣି ବ୍ଲକ୍‌ ବରଘାଟ ଗ୍ରାମର ଜଗନ୍ନାଥ, ହରେନ ଜମକଆଲ(୨୩), ବିଜୟ ସାହୁ(୨୧), ମିଲୁ ସାହୁ(୨୬), ନାରାୟଣ ଜମକିଆଲ(୩୦) ଓ ମହୁଲପାଲି ଥାନା ଅରଡ଼ାବାହାଳ ଗ୍ରାମର ଯଦୁନନ୍ଦନ ଜୟପୁରିଆ।

ସୂଚନା ଅନୁଯାୟୀ ଏହି ୬ ଜଣ ଯୁବକ ନିକଟସ୍ଥ ଠେଲକଗୁଡ଼ି ଗ୍ରାମକୁ ଯାତ୍ରା ଦେଖିବାକୁ ଯାଉଥିଲେ। ଅସାବଧାନତା ଯୋଗୁଁ ଡ୍ୟାମ୍‌ ମଝିରେ ଡଙ୍ଗାଟି ବୁଡ଼ି ଯାଇଥିଲା। ୬ ଜଣଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୂଳକୁ ଆସି ଜୀବନ ବଞ୍ଚାଇଥିବା ବେଳେ ଆଉ ୨ଜଣ ପାଣି ଭିତରେ ଥିବା ଗୋଟିଏ ଗଛରେ ଲାଗି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ଖବର ପାଇ ଦେବଗଡ଼ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ଶନିବାର ସକାଳ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ଓ ଓଡ୍ରାମ୍‌ ଟିମ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଥିଲା। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳି ପାରି ନାହିଁ। ଘଟଣାସ୍ଥଳରେ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ ଓ ଜିଲ୍ଲା ଜରୁରିକାଳୀନ ଅଧିକାରୀ ସୁଶାନ୍ତ ନାୟକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର