ବନ୍ୟାଞ୍ଚଳର ବିକଳ ସ୍ଥିତି: ତେଲ ନଥିବାରୁ ବୋଟ୍‌ ଅଚଳ, ଫେରିଲେ ସ୍ୱାସ୍ଥ୍ୟ ବିଭାଗ ଦଳ, ବନ୍ୟାପୀଡ଼ିତ ହତାଶ

ନିରାକାରପୁର: ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ କିଭଳି ଆଦୌ ପ୍ରସ୍ତୁତ ନୁହେଁ, ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ଖୋର୍ଧା ବ୍ଲକ୍‌ ଅନ୍ତର୍ଗତ ଓରବରସିଂହ ପଞ୍ଚାୟତର ହିରିମୂଳ ଗ୍ରାମରେ। ବନ୍ୟାଘେରରେ ରହିଥିବା ହିରିମୂଳ ଗ୍ରାମବାସୀଙ୍କ ଗମନାଗମନ ପାଇଁ ପ୍ରଶାସନ ଯୋଗାଇଥିବା ପୁରୁଣା ମୋଟର ଡଙ୍ଗାଟିର ଚତୁଃପାର୍ଶ୍ୱ ନଷ୍ଟ ହୋଇ ପାଣି ପଶିଯାଉଥିବା ବେଳେ ଆଜି ପେଟ୍ରୋଲ୍‌ ଅଭାବରୁ ଡଙ୍ଗାଟି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିବା ଘଟଣା ଅଞ୍ଚଳବାସୀଙ୍କୁ ହତାଶ କରିଛି। ସେହିପରି ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଯାଇଥିବା ସ୍ୱାସ୍ଥ୍ୟକର୍ମୀ ଦଳ ଗାଁରେ ପହଞ୍ଚି ନପାରି ଅଧାବାଟରୁ ଫେରିବା ଘଟଣା ପ୍ରଶାସନର ବନ୍ୟା ପ୍ରସ୍ତୁତିକୁ ପଦାରେ ପକାଇଛି।

ସୂଚନାନୁଯାୟୀ, ରାଜୁଆ ଓ ଦୟା ନଦୀରେ ବନ୍ୟା ଆସିବା ଫଳରେ ବିଗତ ୪ ଦିନ ଧରି ହିରିମୂଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ଗ୍ରାମରେ ସମ୍ପ୍ରତି ଜଳବନ୍ଦୀ ଜୀବନ କାଟୁଥିବା ୩୧ଟି ପରିବାରର ୧୫୦ରୁ ଅଧିକ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ। ଏଥି ସାଙ୍ଗକୁ ଦାନା ଗଣ୍ଡେ ପାଇଁ ଗୋରୁଗାଈଗୁଡ଼ିକ ଡହଳବିକଳ ହେଉଛନ୍ତି। ଏପରି ସ୍ଥଳେ ତିନି ଦିନ ତଳେ ଖୋର୍ଧା ଉପଜିଲ୍ଲାପାଳ ଏବଂ ବିଡିଓଙ୍କ ସମେତ ଉଭୟ ବ୍ଲକ୍‌ ଓ ଜିଲ୍ଲା ପ୍ରଶାସନର ଅଧିକାରୀଗଣ ପରିସ୍ଥିତି ଅନୁଧ୍ୟାନ କରି ଗ୍ରାମବାସୀଙ୍କୁ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଅନ୍ୟ କିଛି ସାହାଯ୍ୟ ସହଯୋଗ ତ ନାହିଁ, ପାଣିଘେରରେ ଥିବା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଆଜି ସକାଳ ସାଢ଼େ ୧୦ଟା ବେଳେ ଏକ ସ୍ୱାସ୍ଥ୍ୟକର୍ମୀ ଦଳ ହିରିମୂଳ ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ। ସେମାନଙ୍କ ଭିତରେ ନରଣଗଡ଼ ସେଣ୍ଟର ସୁପରଭାଇଜର କାହ୍ନଚରଣ ନାୟକ, ବଳପୁର ସବ୍‌ସେଣ୍ଟର ମହିଳା ସ୍ୱାସ୍ଥ୍ୟ କର୍ମୀ ସତ୍ୟବତୀ ସୁନ୍ଦରାୟ, ନରଣଗଡ଼ ସବ୍‌ସେଣ୍ଟର ସ୍ୱାସ୍ଥ୍ୟକର୍ମୀ ସ୍ୱପ୍ନରଞ୍ଜନ ନାୟକ ଏବଂ ବ୍ରଜମୋହନ ସବ୍‌ସେଣ୍ଟରର ଅସିତ କୁମାର ରଥ ପ୍ରମୁଖ ସାମିଲ ଥିଲେ।

ଜଳବନ୍ଦୀ ଗ୍ରାମକୁ ଯିବା ଲାଗି ସରକାରୀ ଡଙ୍ଗା ନପାଇବାରୁ ସେମାନେ ସଂପୃକ୍ତ ଚାଳକଙ୍କୁ ଫୋନ୍‌ କରିଥିଲେ। ମାତ୍ର ତେଲ ନଥିବାରୁ ଡଙ୍ଗା ଚାଲିବନି ବୋଲି ଉତ୍ତର ମିଳିଥିଲା। ଏ ସମ୍ପର୍କରେ ସ୍ୱାସ୍ଥ୍ୟକର୍ମୀମାନେ ନିଜ ନିଜ ଉଚ୍ଚ ଅଧିକାରୀଙ୍କୁ ଫୋନ୍‌ରେ ଜଣାଇଥିଲେ ହେଁ କିଛି ପ୍ରତିକାର ହୋଇନଥିଲା। ଶେଷରେ ସେମାନେ ଅପେକ୍ଷା କରି କରି ଅପରାହ୍ଣ ସାଢ଼େ ୨ଟାରେ ଫେରିଥିଲେ। ଅପରପକ୍ଷେ, ଔଷଧ ଆଣିବାକୁ ଆସିଥିବା ଗ୍ରାମର ବୟୋଜ୍ୟେଷ୍ଠ ନାରାୟଣ ସ୍ୱାଇଁ ବାଧ୍ୟ ହୋଇ ଅଣ୍ଟାଏ ପାଣିରେ ପଶି ଗାଁକୁ ଫେରିଥିଲେ। ସେହିପରି ଅନ୍ୟାନ୍ୟ ଜିନିଷପତ୍ର ପାଇଁ ବାହାରକୁ ଆସିଥିବା ଆଉ କିଛି ଗ୍ରାମବାସୀ ମଧ୍ୟ ଅନୁରୂପ ଭାବେ ପାଣିରେ ପଶି ଗାଁକୁ ଯାଇଥିଲେ। ବନ୍ୟାବିପନ୍ନଙ୍କ ସହାୟତା ପାଇଁ ପ୍ରଶାସନ କେତେ ତତ୍ପର ଏଥିରୁ ଅନୁମେୟ।

ବନ୍ୟା ଜଳ ଧୀରେ ଧୀରେ କମିଆସୁଥିଲେ ହେଁ ପାଣିଘେରରେ ରହିବା ଏବଂ ଦୂଷିତ ପାଣି ପିଇବା ଯୋଗୁଁ ଜଳବନ୍ଦୀ ଗ୍ରାମବାସୀ ଆଗକୁ ଝାଡ଼ାବାନ୍ତି ପରି ରୋଗରେ ଆକ୍ରାନ୍ତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର