ସୁବର୍ଣ୍ଣରେଖାରେ ଡଙ୍ଗା ବୁଡ଼ି : ୨ ମୃତ, ୩ ନିଖୋଜ

ଭୋଗରାଇ : ସୁବର୍ଣ୍ଣରେଖା ମୁହାଣରେ ଆଜି ମତ୍ସ୍ୟଜୀବୀଙ୍କ ୩ଟି ଡଙ୍ଗା ବୁଡ଼ି ଯାଇଛି। ଡଙ୍ଗାରେ ଥିବା ୨ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣଙ୍କର ଏଯାବତ୍‌ ସନ୍ଧାନ ମିଳିନାହିଁ। ଗତକାଲି ରାତିରେ ସେମାନେ ମାଛମାରି ଘରକୁ ଫେରୁଥିବାବେଳେ ଏହିଭଳି ଦୁର୍ଘଟଣାର ଶିକାର ହୋଇଥିଲେ। ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ଏହି ଡଙ୍ଗାସବୁ ବୁଡ଼ି ଯାଇଥିଲା। ତେବେ, ସମୁଦାୟ ୨୨ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୦ ଜଣ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ୭ ଜଣ ଏକ ଟାପୁରେ ଆଶ୍ରୟ ନେଇଥିବା ଜଣାପଡ଼ିଛି।

ଗତ ୨୧ ତାରିଖ ଦିନ ୩ଟି ଡଙ୍ଗାରେ ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳର ଏହି ମତ୍ସ୍ୟଜୀବୀ ମାଛ ମାରିବାକୁ କୀର୍ତନିଆ ମୁହାଣ ଦେଇ ସମୁଦ୍ର ମଧ୍ୟକୁ ଯାଇଥିଲେ। ମାଛ ମାରିସାରିବା ପରେ ସମସ୍ତେ ଘରକୁ ଫେରୁଥିଲେ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଅଶାନ୍ତ ସମୁଦ୍ରରେ ଭୋର୍‌ ପ୍ରାୟ ୩ଟା ସମୟରେ କୀର୍ତନିଆ ମୁହାଣଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଗୋଟିଏ ପରେ ଗୋଟିଏ, ୩ଟି ଯାକ ଡଙ୍ଗା ସମୁଦ୍ର ମଧ୍ୟରେ ବୁଡ଼ିଯାଇଥିଲା। ଡଙ୍ଗାରେ ଥିବା ସୋଲର ମାଛ ରଖା ଡବା ସାହାଯ୍ୟରେ ବିପିନ ଦଳପତି, ରବୀନ୍ଦ୍ର ଜେନା, ଯୋଗେଶ୍ୱର ଜେନା, ଜଗନ୍ନାଥ ବର୍ମନ, ନବକାନ୍ତ ବଢ଼େଇ, ଗଣେଶ ବଢ଼େଇ, ରଜନୀ ବେହେରା, ବିଜୟ ବେହେରା, ଅଶୋକ ମୀର୍ଧା, ଅଶୋକ ଦଳାଇ, ଅଜୟ ଦଳାଇ କୂଳକୁ ପହଁରି ପହଁରି ପଳାଇଆସିଥିଲେ।

ତେବେ ନିଖୋଜ ୫ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ କୀର୍ତନିଆ ଗ୍ରାମର ଅଜୟ ବେହେରା ଏବଂ ଜଳେଶ୍ୱର ଥାନା ଅଞ୍ଚଳର ସଂଜୟ ବେହେରା ଓ କୁଶକାନ୍ତ ବେହେରା ସ୍ଥାନୀୟ ମତ୍ସଜୀବୀଙ୍କ ଦ୍ୱାରା ଉଦ୍ଧାର ହୋଇଛନ୍ତି। ଅନ୍ୟପଟେ ଭୋଗରାଇ ଥାନା ଅଧୀନ କୀର୍ତନିଆ ଗ୍ରାମର ଝାଡ଼େଶ୍ୱର ପାଳଙ୍କ ମୃତଦେହ ଦୀଘା ବେଳାଭୂମିରୁ ମିଳିଥିବା ବେଳେ ବାଉଁଶଖଣା ଗ୍ରାମର ରାଜେନ୍ଦ୍ର ମାଝୀଙ୍କ ମୃତଦେହ ବାଲିଆପାଳ ଥାନା ଅନ୍ତର୍ଗତ କଙ୍କଡ଼ାପାଳ ବେଳାଭୂମିରେ ଠାବ କରାଯାଇଥିଲା, ହେଲେ ଉଦ୍ଧାର ସମ୍ଭବ ହୋଇପାରିନାହିଁ। ଝାଡ଼େଶ୍ୱର ଓ ରାଜେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାରରେ କାନ୍ଦବୋବାଳି ପଡ଼ିଥିବା ପଡ଼ିଛି। ଶହଶହ ମତ୍ସ୍ୟଜୀବୀଙ୍କ ଚୁଲି ଜଳିନି। ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ସ୍ଥଗିତ ରହିଛି। ସେହିପରି ଦୁର୍ଘଟଣାର ଶିକାର ଅନ୍ୟ ୭ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ଥିବା ଏକ ଟାପୁରେ ଆଶ୍ରୟ ନେଇଥିବା ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର