ଫୌଜଦାରୀ ମାମଲା ରୁଜୁ ନିର୍ଦେଶ

ବୋଟ୍‌ ଡ୍ରାଇଭର୍‌ ଓ ଖଲାସୀ ନିଯୁକ୍ତି କେଳେଙ୍କାରୀ

ଯାଜପୁରରୋଡ୍‌: ସରକାରୀ ଚାକିରିଆଙ୍କୁ ପୁଣି ଅସ୍ଥାୟୀ ନିଯୁକ୍ତି। ଦୁଇଟି ବିଭାଗରୁ ପାଉଥିଲେ ଦରମା। ହେଲେ ଏଭଳି ନିଯୁକ୍ତି କେଳେଙ୍କାରୀ ଉପରୁ ପରଦା ଉଠିଛି। ‘ସମ୍ବାଦ’ର ଅନୁସନ୍ଧାନମୂଳକ ରିପୋର୍ଟକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଅସ୍ଥାୟୀ ବୋଟ୍‌ ଡ୍ରାଇଭର୍‌ ଓ ଖଲାସୀ ନିଯୁକ୍ତି କେଳେଙ୍କାରୀର ପର୍ଦ୍ଦାଫାସ ପରେ ଜିଲ୍ଲାପାଳ ରଂଜନ କୁମାର ଦାସ ଏହି କର୍ମଚାରୀଙ୍କ ଠାରୁ ଦରମା ଅର୍ଥ ଭରଣା ସହ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି। ଲଞ୍ଚ ଡ୍ରାଇଭର ଭାବେ ନିଯୁକ୍ତ ହୋମଗାର୍ଡ଼ ଅରୁଣ କୁମାର ଓଝା, ଲଞ୍ଚ ଖଲାସୀ ଭାବେ ନିଯୁକ୍ତି ପାଇଥିବା ଆରଟିଓ ଅଫିସ୍‌ ପିଅନ୍‌ ରାଜକିଶୋର ଦେବତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆରକ୍ଷୀ ଅଧୀକ୍ଷକ ଓ ଆରଟିଓଙ୍କୁ ଜିଲ୍ଲାପାଳ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ ବନ୍ୟା ଓ ବାତ୍ୟା ସମୟରେ ବିପନ୍ନମାନଙ୍କୁ ଉଦ୍ଧାର ପାଇଁ ପ୍ରତିବର୍ଷ ବିଭିନ୍ନ ଜିଲ୍ଲାରେ ଶତାଧିକ ଅସ୍ଥାୟୀ ନାବିକ ଓ ଖଲାସୀ ନିଯୁକ୍ତି କରାଯାଉଛି। କଟକସ୍ଥ ଷ୍ଟେଟ୍‌ ପୋର୍ଟ୍‌ ଇଜିନିୟରିଂ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଏମଇ)ଙ୍କ କାର୍ଯ୍ୟାଳୟ ବୋଟ୍‌ ଡ୍ରାଇଭର ଓ ଖଲାସୀ ନିଯୁକ୍ତି ପ୍ରକ୍ରିୟାକୁ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ଦ୍ୱାରା ପରିଚାଳନା କରିଆସୁଛି। ଏହି ନିଯୁକ୍ତିରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ବାରମ୍ବାର ତଥ୍ୟ ଭିତ୍ତିକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଶ୍ରୀ ଦାସ ନିର୍ଦେଶ ଦେଇଛନ୍ତି। ଜେନାପୁର ଥାନାରେ ହୋମଗାର୍ଡ଼ ଭାବେ ଦୀର୍ଘ ଦିନ ହେଲା କାମ କରିଥିବା ଅରୁଣ କୁମର ଓଝା ବଡ଼ଚଣା ବ୍ଲକ୍‌ରେ ପ୍ରତି ବର୍ଷ ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଭାବେ ନିଯୁକ୍ତି ପାଉଛନ୍ତି। ସେହିପରି ଯାଜପୁର ଆରଟିଓ ଅଫିସରେ ପିଅନ ଭାବେ କାର୍ଯ୍ୟରତ ରାଜକିଶୋର ଦେବତା ରସୁଲପୁର ବ୍ଲକ୍‌ରେ ବୋଟ୍‌ ଖଲାସୀ ଭାବେ ମଧ୍ୟ ପ୍ରତି ବର୍ଷ ଅସ୍ଥାୟୀ ନିଯୁକ୍ତି ପାଇଆସୁଛନ୍ତି। ଜଣେ ଜଣେ ଲୋକ ଏକ ସମୟରେ ଦୁଇ ଦୁଇଟି ସ୍ଥାନରେ କାମ କରୁଥିବା ଏବଂ ଦରମା ନେଇଥିବା ତଦନ୍ତ ବେଳେ ଧରାପଡିଛି। ଏ ନେଇ ବଡ଼ଚଣା ଏବଂ ରସୁଲ ବିଡ଼ିଓଙ୍କ ସମେତ ଅତିରିକ୍ତ ରିଲିଫ କମିସନରଙ୍କୁ ଜିଲ୍ଲା ପ୍ରଶାସନ ଅବଗତ କରିଛି। ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପରେ ଏହି ନିଯୁକ୍ତି କେଳେଙ୍କାରୀରେ ସଂପୃକ୍ତ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଛି।

ସମ୍ବନ୍ଧିତ ଖବର