ଶ୍ୱଶୁରଙ୍କୁ ଜଳନ୍ତା ଚୁଲାରେ ବସାଇ ଦେଲା ବୋହୂ !

ଚାନ୍ଦବାଲି : ଘର କଳିକୁ ନେଇ ବୋହୂ ଶ୍ୱଶୁର ରମେଶ ନାଥ (୭୦)ଙ୍କୁ ହତ୍ୟା ଉଦ୍ୟମ କରିଛି। ଏମିତି କି ତାଙ୍କୁ ଭିଡ଼ି ଭିଡ଼ି ନେଇ ଜଳନ୍ତା ଗ୍ୟାସ୍‌ ଚୁଲାରେ ବସାଇ ଦେଇଛି। ଏହି ଘଟଣାରେ ଶ୍ୱଶୁର ଗୁରୁତର ଆହତ ହୋଇଛନ୍ତି। ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ତିହିଡ଼ି ଡାକ୍ତରଖାନାରେ ଭର୍ତି କରିଛନ୍ତି। ଏ ସଂପର୍କରେ ଘଣ୍ଟେଶ୍ୱର ଫାଣ୍ଡିରେ ଅଭିଯୋଗ ହୋଇଛି। ଘଟଣା ନେଇ ପୁଲିସର ତଦନ୍ତ ଜାରି ରହିଥିବା ବେଳେ ବୋହୂ ରଞ୍ଜୁ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଶ୍ୱଶୁର ରମେଶ ତାଙ୍କୁ ମାଡ଼ ମାରିଥିବା ରଞ୍ଜୁ ଏତଲାରେ ଦର୍ଶାଇଛନ୍ତି। ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅନ୍ତର୍ଗତ ଗୋପୀନାଥପୁର ପଂଚାୟତ ବାଲିପଦା ଗାଁରେ ଏହି ଅଭାବନୀୟ ଘଟଣା ଗତ ୨ ତାରିଖ ଦିନ ଘଟିଛି।

ଅଭିଯୋଗ ଅନୁଯାୟୀ ବାଲିପଦା ଗାଁର ରମେଶ ନାଥ (୭୦) ଗତ ୨ତାରିଖ ଦିନ ହୋଲି ଖେଳ ସାରି ଫେରିବା ପରେ ବଡ଼ବୋହୂ ରଞ୍ଜୁଙ୍କୁ ଖାଇବାକୁ ମାଗିଥିଲେ। ରଞ୍ଜୁ ଖାଇବାକୁ ନଦେଇ ଜମିବାଡ଼ି ନେଇ ଯୁକ୍ତିତର୍କ କରିଥିଲେ। ‘ମୋ ଜମି ସବୁ ଖାଇବ, ହେଲେ ମୋତେ କେହି ଖାଇବାକୁ ଦେବ ନାହିଁ’ ବୋଲି ଶ୍ୱଶୁର କହିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବୋହୂ ଓ ଅନ୍ୟମାନେ ରମେଶଙ୍କୁ ଭିଡ଼ିଭିଡ଼ି ନେଇ ଜଳନ୍ତା ଗ୍ୟାସ୍‌ ଚୁଲାରେ ବସାଇ ଦେଇଥିଲେ ବୋଲି ରମେଶ ଏତଲାରେ ଦର୍ଶାଇଛନ୍ତି। ରମେଶଙ୍କ କହିବା କଥା; ତାଙ୍କ ନାମରେ ଥିବା ଜମିକୁ ଦୁଇ ପୁଅ ଗୋପବନ୍ଧୁ ଓ ମନୋଜ ଭାଗକରି ନେଇ ୯ବର୍ଷ ହେବ ଅଲଗା ରହୁଛନ୍ତି।

ରମେଶ ଓ ତାଙ୍କ ପତ୍ନୀ କମଳା ଦୁଇ ପୁଅଙ୍କ ନିକଟରେ ମାସେ ଲେଖାଏଁ ଖାଉଥିଲେ। ବର୍ଷେ ହେବ ପାରିବାରିକ କଳହ ବଢ଼ିବାରୁ ଉଭୟ ପତିପତ୍ନୀ ବଡ଼ ଭାଇ ଉମେଶଙ୍କ ଘରେ ରହୁଥିଲେ। ୨ତାରିଖ ଦିନ ରମେଶ ହୋଲିରୁ ଫେରିବା ବେଳକୁ ବଡ଼ଭାଇଙ୍କ ଘରେ ରୋଷେଇ ହୋଇନଥିଲା। ସେ ବଡ଼ବୋହୂ ରଞ୍ଜୁୁଙ୍କୁ ଖାଇବାକୁ ମାଗିବାରୁ ଏ ଦଶା ଭୋଗିଥିବା କହିଛନ୍ତି। ପ୍ରାଥମିକ ତଦନ୍ତ ଚାଲିଛି, କେସ୍‌ ରୁଜୁ ହେବାପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର