ଆରଡ଼ି/ଚାନ୍ଦବାଲି : ଆଜି ଶ୍ରାବଣ ଶେଷ ସୋମବାରରେ ବୈତରଣୀ ନଦୀରେ ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳି ଯାଇଛି। ଅାଖଣ୍ଡଳମଣିଙ୍କ ନିକଟରେ ପାଣି ଢାଳିବାକୁ କାଉଡ଼ିଆ ଭକ୍ତମାନେ ଏକ ମୋଟରଚାଳିତ ଡଙ୍ଗାରେ ଯାଉଥିବାବେଳେ ମଝି ନଈରେ ମୋଟର ଅଚଳ ହୋଇଯିବାରୁ ଡଙ୍ଗାଟି ପ୍ରଖର ସ୍ରୋତରେ ବେଶ୍ କିଛିବାଟ ଭାସି ଯାଇଥିଲା। ତେବେ ନଦୀଘାଟରେ ନିୟୋଜିତ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ କର୍ମଚାରୀ ଅନ୍ୟ ଏକ ଡଙ୍ଗାରେ ୫୦ରୁ ଅଧିକ କାଉଡ଼ିଆଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
ଶ୍ରାବଣ ସୋମବାରରେ ଭଦ୍ରକ ଜିଲ୍ଲାର ଆରଡ଼ିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ କେନ୍ଦ୍ରାପଡା, ଜଗତସି˚ହପୁର, ଯାଜପୁର ଓ କଟକ ଆଦି ଅଞ୍ଚଳରୁ ହଜାର-ହଜାର କାଉଡିଆ ଭକ୍ତ ଯାଇଥାନ୍ତି। ଆଜି ଶେଷ ସୋମବାର ହୋଇଥିବାରୁ କାଉଡ଼ିଆଙ୍କ ଭିଡ଼ ଅଧିକ ଥିଲା। ବହୁ ସଂଖ୍ୟକ କାଉଡ଼ିଆ ଚାନ୍ଦବାଲି ବ୍ଲକର ବୈତରଣୀ ନଦୀର ମୁଆଁଘାଟରେ ଏକ ମୋଟରଚାଳିତ ଡଙ୍ଗାରେ ପାରି ହୋଇ ପୀଠକୁ ଆସୁଥିଲେ। ତେବେ ଡଙ୍ଗାେର ଲାଗିଥିବା ମୋଟର ମଝି ନଈରେ ଅଚଳ ହୋଇ ପଡ଼ିବାରୁ ବୈତରଣୀର ପ୍ରଖର ସ୍ରୋତରେ ଡଙ୍ଗାଟି ପ୍ରାୟ ୧କିମି ଭାସି ଯାଇଥିଲା। ଡଙ୍ଗାରେ ଥିବା ୫୦ରୁ ଊର୍ଦ୍ଧ୍ବ କାଉଡ଼ିଆ ଭୟଭୀତ ହୋଇ ହରିବୋଲ ହୁଳହୁଳି ପକାଇଥିଲେ। ହୁଳହୁଳି ଶୁଣି ଘାଟରେ ନିୟୋଜିତ ଥିବା ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗ ଡଙ୍ଗାକୁ ଉଦ୍ଧାର କରିବାକୁ ତତ୍ପର ହୋଇ ଉଠିଥିଲା। ସେମାନେ ଅନ୍ୟ ଏକ ମୋଟର ଚାଳିତ ଡଙ୍ଗାରେ ନଦୀ ଭିତରକୁ ଯାଇ ଭାସି ଯାଉଥିବା ଡଙ୍ଗାରୁ କାଉଡ଼ିଆମାନଙ୍କୁ ଉଦ୍ଧାର କରିଥିଲେ।
ଆରଡ଼ିଧାମକୁ ଜଳପଥରେ ଯାତାୟତ କରୁଥିବା ଭକ୍ତମାନଙ୍କ କହିବା ଅନୁଯାୟୀ ନଦୀ ପାରି କରୁଥିବା ଡଙ୍ଗା ଅତି ନିମ୍ନମାନର ହୋଇଥିବା ବେଳେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକ ଲାଇଫ ଜ୍ୟାକେଟ ମଧ୍ୟ ନାହିଁ। ଯଦି କେତେବେଳେ ଦୁର୍ଘଟଣା ଘଟେ ତା ହେଲେ ଜୀବନ ରକ୍ଷା କରିବା କଷ୍ଟକର। ଏହାଛଡ଼ା ଭିତରକନିକା ନିକଟବର୍ତ୍ତୀ ବୈତରଣୀ ନଦୀରେ ପ୍ରତିଦିନ କୁମ୍ଭୀର ସନ୍ତରଣ କରୁଥିବାରୁ ଯାତ୍ରୀ ଓ ଭକ୍ତମାନଙ୍କ ପାଇଁ ପ୍ରତି ପାଦରେ ବିପଦ ରହିଛି। ମାତ୍ର ନଦୀଘାଟରେ ଏ ନେଇ କୌଣସି ସୂଚନା ଫଳକ ନ ଥିବାରୁ ଭକ୍ତମାନେ ଅତି ଅସୁରକ୍ଷିତ ଭାବେ ଗାଧୋଇବା ସହ ଶ୍ରାବଣୀ ଜଳଭାର ଉଠାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/aradi9-2.png)