ବଲାଙ୍ଗୀର: ବିଷ ପିଇ ପ୍ରେମିକ-ପ୍ରେମିକାଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର: ରବିବାର ସକାଳେ ବଲାଙ୍ଗୀର ଥାନା ଲୁଇଶିଙ୍ଗା ବ୍ଲକ୍‌ ଅନ୍ତର୍ଗତ ପତରା ଜଙ୍ଗଲରୁ ମୃତପ୍ରାୟ ଅବସ୍ଥାରେ ହଳେ ପ୍ରେମିକ-ପ୍ରେମିକାଙ୍କୁ ଉଦ୍ଧାର କରାଯାଇଛି।

ଖବର ନେବାରୁ ଜଣାପଡ଼ିଛି ଯେ, କୁମିଆପାଲି ଗାଁ’ର ଜଣେ ୨୨ ବର୍ଷୀୟ ଝିଅର ଆଜି ତା’ର ୨୫ ବର୍ଷିୟ ପିଉସୀ ପୁଅ ସହିତ ବାହାଘର ହେବାର ଥିଲା। କିନ୍ତୁ, ସେ ଝିଅର ପାଖ ଗାଁ ଅନ୍ତପାଲିର ଜଣେ ଯୁବକଙ୍କ ସହ ସ୍ନେହ ସମ୍ପର୍କ ଥିଲା। ତେଣୁ ଉଭୟ ପୁଅଝିଅ ଗତରାତିରେ କୌଣସି ଏକ ସମୟରେ ଏକାଠି ଲୁଚି ପାଖ ଜଙ୍ଗଲକୁ ପଳାଇ ଯାଇଥିଲେ। ସେଠାରେ ସେମାନେ ଜୀବନ ହାରିବାକୁ ସ୍ଥିର କରି ସାଥିରେ ନେଇଥିବା ବିଷ ପିଇ ଦେଇଥିଲେ।

ସକାଳୁ ଗାଁ’ର କିଛି ଲୋକେ ଉଭୟଙ୍କୁ ମୁମୂର୍ଷୁ ଅବସ୍ଥାରେ ଦେଖିଥିଲେ। ଖବର ପ୍ରଘଟ ହୋଇଯିବା ପରେ ଉଭୟଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା।

ସେଠାରେ ଝିଅର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି କିନ୍ତୁ, ଯୁବକଜଣଙ୍କର ଅବସ୍ଥା ଉଦ୍‌ବେଗଜନକ ବୋଲି ଡାକ୍ତରମାନେ କହିଛନ୍ତି।
ଏ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆ ଯାଇଛି।

ସମ୍ବନ୍ଧିତ ଖବର