ବଲାଙ୍ଗୀର: ରେଳ ଷ୍ଟେସନ୍‌ ଶୌଚାଳୟରୁ ଦୁଇ ପରିତ୍ୟକ୍ତ ଶିଶୁକନ୍ୟା ଉଦ୍ଧାର

ବଲାଙ୍ଗୀର: ରବିବାର ସକାଳେ ବଲାଙ୍ଗୀର ରେଳ ଷ୍ଟେସନ୍‌ ପରିଧି ମଧ୍ୟସ୍ଥ ଶୌଚାଳୟରୁ ଦୁଇଜଣ ପରିତ୍ୟକ୍ତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି।
ଦୁଇଟି ପଲିଥିନ୍‌ କ୍ୟାରି ବ୍ୟାଗ୍‌ରେ ପୂରାଇ କୌଣସି ବ୍ୟକ୍ତି ପ୍ରାୟ ମାସକର ଏ ଦୁଇ କଅଁଳା ପିଲାଙ୍କୁ ଶୌଚାଳୟ ଭିତରେ ରଖି ପଳାଇଥିବା ଅନୁମାନ କରାଯାଉଛି।

ସକାଳ ପ୍ରାୟ ଛଅଟା ବେଳେ ଶୌଚାଳୟ କର୍ମଚାରୀମାନେ ଭିତରୁ କଅଁଳା ପିଲାଙ୍କ କାନ୍ଦ ଶୁଣି ଆଖପାଖରେ ଥିବା ମହିଳାମାନଙ୍କୁ କହିବାରୁ ସେମାନେ ଶୌଚାଳୟ ଭିତରକୁ ଯାଇ ଦୁହିଁଙ୍କୁ ବାହାରକୁ ଆଣିଥିଲେ।

ତୁରନ୍ତ ସେ ଦୁଇ ପିଲାଙ୍କୁ ବଲାଙ୍ଗୀର ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍‌ପିଟାଲ୍‌ର ‘ଏମ୍‌ସିଏଚ୍‌’ ବିଲ୍‌ଡିଙ୍ଗ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ‘ଏସ୍‌ଏନ୍‌ସିୟୁ’ରେ ରଖିଛନ୍ତି। ସେ ଦୁଇ ଜଣଙ୍କ ଓଜନ ଯଥାକ୍ରମେ ୨ କିଲୋ ୨୦୦ ଗ୍ରାମ୍‌ ଏବଂ ୧ କିଲୋ ୬୦୦ ଗ୍ରାମ୍‌ ବୋଲି ଡାକ୍ତରଖାନାରୁ ପ୍ରକାଶ।

ଖବର ପାଇ ରେଳବାଇ ପୁଲିସ ଏବଂ ଚାଇଲ୍‌ଡ୍‌ ଲାଇନ୍‌ କର୍ମଚାରୀମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି।
ଦୁହିଁଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଅଛି।

ଏବେ ଉଦ୍ଧାକାରୀ ସ୍ଥାନୀୟ ମହିଳାମାନେ ସେ ଦୁହିଁଙ୍କୁ ନେଇଯିବାକୁ ଅଡ଼ି ବସିଥିବାରୁ ଡାକ୍ତରଖାନା ପରିସରରେ ଝମ୍ବିଲା ଚାଲିଛି।

ସମ୍ବନ୍ଧିତ ଖବର