ବଲାଙ୍ଗୀର: ଅଜଣା ଟ୍ରକ୍‌ ଚାପାରେ କନେଷ୍ଟବଳଙ୍କ ମୃତ୍ୟୁ

ବଲାଙ୍ଗୀର: ରବିବାର ପାହାନ୍ତାରେ ଏକ ଅଜ୍ଞାତ ଟ୍ରକ୍‌ ଚଢ଼ିଯିବାରୁ ବେଲଗାଁ ଫାଣ୍ଡିର କନେଷ୍ଟବଳ ମୃତ୍ୟୁଞ୍ଜୟ କୁଅଁରଙ୍କର ମୃତ୍ୟୁ ହୋଇଯାଇଛି। ଭୋର୍‌ ପ୍ରାୟ ସାଢ଼େ ଚାରିଟାବେଳେ ସମ୍ବଲପୁର-ବଲାଙ୍ଗୀର ମଧ୍ୟ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ଗାନ୍ଧୀନଗର ପଡ଼ା ନିକଟରେ ୪୫ ବର୍ଷିୟ କୁଅଁର ଯାଉଥିବାବେଳେ ଦୁର୍ଘଟଣା ଘଟିଛି। ଅଜଣା ଟ୍ରକ୍‌ଟି ବଲାଙ୍ଗୀରୁ-ସମ୍ବଲପୁର ଆଡ଼କୁ ଯାଉଥିବା କଥା କୁହାଯାଉଛି।

କୁଅଁରଙ୍କର ଘର ବଲାଙ୍ଗୀର ଜିଲ୍ଲାର ସତ୍ୟନାରାୟଣ ପଡ଼ା। ପୂର୍ବରୁ ସେ ବଲାଙ୍ଗୀର ଟ୍ରାଫିକ୍‌ ପୁଲିସରେ କାମ କରୁଥିଲେ। ପରେ ଜଣେ କନେଷ୍ଟବଳ ହିସାବରେ ତାଙ୍କର ବେଲଗାଁ ଫାଣ୍ଡିକୁ ବଦଳି ହୋଇଥିଲା। କିନ୍ତୁ, କୌଣସି କାରଣରୁ ସେ ଗତ ଦୁଇ ବର୍ଷ ହେବ ଡିୟୁଟିକୁ ଯାଉ ନ ଥିଲେ।

ଖବର ପାଇ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମର୍ଜ ହାଉସ୍‌ରେ ରଖାଇଛି। ପୁଲିସ ଠାରୁ ଖବର ପାଇ ତାଙ୍କ ପରିବାର ଲୋକେ ପହଞ୍ଚିଛନ୍ତି। ଏହା ପରେ କୁଅଁରଙ୍କର ଶବ ବ୍ୟବଚ୍ଛେଦ କରାଯିବ।

ସମ୍ବନ୍ଧିତ ଖବର