ମଦ ଦୋକାନକୁ ନେଇ ବୋମା ମାଡ଼, ୪ ଆହତ

ଟଙ୍କା ଗାଡ଼ି ଉପରକୁ ବୋମା ମାଡ଼, ୯୪ ହଜାର ଟଙ୍କା ଲୁଟ୍‌, ୨ ଗୁରୁତର

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଜୟପୁରଶାସନ ଠାରେ ଥିବା ଏକ ସରକାରୀ ମଦ ଦୋକାନକୁ କେନ୍ଦ୍ରକରି ଆଜି ଦିନ ପ୍ରାୟ ୧୧ଟା ବେଳେ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିବା ସହ ବୋମାମାଡ଼ ହୋଇଛି। ଏଥିରେ ୪ ଜଣ ଗ୍ରାମବାସୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନେ ହେଲେ ଗୟାଧର ସାହୁ(୫୦), ରଘୁନାଥ ପ୍ରଧାନ(୨୮), ରାକେଶ କୁମାର ସାହୁ(୩୦) ଓ ତପନ ପ୍ରଧାନ(୨୫)। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପିପିଲି ସରକାରୀ ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଜୟପୁରଶାସନ ନିକଟରେ ଥିବା ଏକ ଦେଶୀ ମଦ ଦୋକାନକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗତ କିଛି ଦିନ ହେବ ଉତ୍ତେଜନା ଲାଗି ରହିଥିଲା। ଆଜି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରକୁ ବୋମାମାଡ଼ କରିଥିଲା। ଫଳରେ ସେହି ସମୟରେ ଗାଁ ରାସ୍ତାରେ ଯାଉଥିବା ଗୟାଧର, ରଘୁନାଥ, ରାକେଶ ଓ ତପନ ବୋମାମାଡ଼ରେ ଆହତ ହୋଇଥିଲେ। ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଘଟଣା ଉପରେ କଡ଼ା ନଜର ରଖାଯାଇଛି ବୋଲି ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି।

ଟଙ୍କା ଗାଡ଼ି ଉପରକୁ ବୋମା ମାଡ଼, ୯୪ ହଜାର ଟଙ୍କା ଲୁଟ୍‌, ୨ ଗୁରୁତର

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ବାଘମାରୀ-କଣ୍ଟିଲୋ ରାସ୍ତାରେ ଏକ ଫାଇନାନ୍‌ସ କଂପାନିର ଟଙ୍କା ନେଇ ଯାଉଥିବା ଗାଡ଼ି ଉପରକୁ ବୋମା ମାଡ଼ କରି ଦୁର୍ବୃତ୍ତମାନେ ୯୪ ହଜାର ଟଙ୍କା ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଫାଇନାନ୍‌ସ କଂପାନିର ୨ଜଣ କର୍ମଚାରୀ ଗାଡ଼ିରେ କଂପାନିର ସଂଗୃହୀତ ଟଙ୍କା ନେଇ ଯାଉଥିଲେ। ଅପରାହ୍ନ ପ୍ରାୟ ୪ଟାରେ ଡାଳଢିପ ନିକଟରେ ନିଛାଟିଆ ରାସ୍ତା ଦେଖି ପୂର୍ବରୁ ବାଇକ୍‌ରେ ପିଛା କରୁଥିବା କିଛି ଯୁବକ ଗାଡ଼ି ଉପରକୁ ବୋମା ମାଡ଼ କରିଥିଲେ। ଦୁଇଟି ନମ୍ବର ବିହୀନ ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ବୋମା ମାଡ଼ ଯୋଗୁଁ ଗାଡ଼ି ଚାଳକ ଗାଡ଼ିକୁ ଅଟକାଇଦେବା ସଙ୍ଗେ ସଙ୍ଗେ ଦୁର୍ବୃତ୍ତମାନେ ସେଥିରେ ଥିବା ୯୪ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ବୋମାମାଡ଼ରେ ଗାଡ଼ିର କାଚ ଭାଙ୍ଗିଯିବା ସହିତ ଚାଳକ ସନ୍ତୋଷ କୁମାର ପରିଡା ଏବଂ ସେଥିରେ ଯାଉଥିବା ଗନ୍‌ମ୍ୟାନ୍‌ ପ୍ରଭୁଦତ ପଣ୍ତା ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତ ଦ୍ବୟଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଗାଡ଼ି ଚାଳକ ସନ୍ତୋଷଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବେଗୁନିଆ ଥାନା ଅଧିକାରୀ ରଶ୍ମୀ ରଞନ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର