ଆଠଗଡ଼ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉବେଳେ ବୋମା ମାଡ଼ : କର୍ମଚାରୀ ଆତଙ୍କିତ, ସୁରକ୍ଷା ଲୋଡ଼ିଲେ ବିଡିଓ

ଆଠଗଡ଼ : ସରକାରୀ ଆବାସ ଯୋଜନାରେ ଦୁର୍ନୀତିର ତଦନ୍ତ ସମେତ ୧୦ ଦଫା ଦାବି ନେଇ ଆଜି ଆଠଗଡ଼ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ ସମୟରେ ବୋମା ମାଡ଼ କରାଯାଇଛି। ଦୁଇଟି ବାଇକ୍‌ରେ ୪ଜଣ ଯୁବକ ଆନ୍ଦୋଳନସ୍ଥଳରେ ପହଞ୍ଚି ଗାଳିଗୁଲଜ କରିବା ସହ ୩ଟି ବୋମା ଫିଙ୍ଗି ଫେରାର ହୋଇଛନ୍ତି। ତେବେ ବୋମା ଜନଗହଳିରେ ନ ପଡ଼ି ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଫୁଟିବାରୁ କୌଣସି କ୍ଷୟକ୍ଷତି ହୋଇ ନାହିଁ। ଏହି ଘଟଣା ପରେ ବ୍ଲକ୍‌ ପରିସରରେ ଆତଙ୍କ ଖେଳି ଯାଇଥିଲା। ଏ ନେଇ ବ୍ଲକ୍‌ ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ପକ୍ଷରୁ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧୀ ଗୋଷ୍ଠୀର ନେତୃତ୍ୱ ନେଉଥିବା ଯୁବ ସଂଗଠକ ଅଭୟ ବାରିକଙ୍କ ତତ୍ତ୍ୱାବଧାନରେ ଧାଇପୁର ଓ ରାଧାଗୋବିନ୍ଦପୁର ପଞ୍ଚାୟତବାସୀ ଆଜି ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ପାଇ ବିଡିଓଙ୍କ ଅନୁପସ୍ଥିତିରେ ସ୍ଥାନୀୟ ତହସିଲଦାର ବିକ୍ଷୋଭସ୍ଥଳରେ ପହଞ୍ଚିବା ସହିତ ବ୍ଲକ୍‌ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ୪ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ବ୍ଲକ୍‌ ପରିସରରେ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ବୋମା ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ପ୍ରଚଣ୍ଡ ଶବ୍ଦ ଯୋଗୁ ବ୍ଲକ୍‌ କର୍ମଚାରୀ ଓ ବିକ୍ଷୋଭକାରୀ ଆତଙ୍କିତ ହୋଇପଡ଼ିଥିଲେ। ଏ ସମ୍ପର୍କରେ ବିଡିଓ ହେମନ୍ତ କୁମାର ସ୍ୱାଇଁ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ବୋମାମାଡ଼ କରିଥିବା ବ୍ୟକ୍ତି କିମ୍ବା ଗୋଷ୍ଠୀ ସମ୍ପର୍କରେ ଏତଲାରେ ଉଲ୍ଲେଖ କରାଯାଇ ନ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର