ଚନ୍ଦନପୁର ବଜାରରେ ଘନଘନ ବୋମାମାଡ଼

ପୁରୀ: ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇଉଠିଛି ଚନ୍ଦନପୁର। ଆଜି ଦିନ ଦ୍ବିପ୍ରହରରେ ଚନ୍ଦନପୁର ବଜାରରେ ବୋମା ମାଡ଼ ହୋଇଛି। କିଛି ଦିନ ହେବ ଚନ୍ଦନପୁର ଓ ଏହାର ଆଖପାଖ ଅଞ୍ଚଳରେ ଆତଙ୍କ ରଚିଥିବା ନିଲୁ ଗୋଷ୍ଠୀ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ରାଜନୈତିକ ଆକ୍ରୋଶକୁ କେନ୍ଦ୍ର କରି ସେମାନେ ଆଜି ୩ଟି ବୋମାମାଡ଼ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବ୍ୟବସାୟୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଥେଣ୍ଟପୁରର ନିଲୁ ବରାଳ ଓ ତା’ର ସାଥୀ ଏକ ବାଇକ୍‌ରେ ଆସି ଚନ୍ଦନପୁର ବଜାରରେ ପହଞ୍ଚିଥିଲେ। ସେମାନେ ଲାଗଲାଗ ତିନୋଟି ବୋମାମାଡ଼ କରି ସେଠାରେ ଆତଙ୍କ ସୃଷ୍ଟି କରିଥିଲେ। ବୋମା ମାଡ଼ ଯୋଗୁ ପ୍ରଚଣ୍ଡ ଶଦ୍ଦରେ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା। ବ୍ୟବସାୟୀମାନେ ଭୟଭୀତ ହୋଇ ସଙ୍ଗେ ସଙ୍ଗେ ଦୋକାନ ବନ୍ଦ କରି ଦେଇଥିଲେ। ଖବର ପାଇ ଚନ୍ଦନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅଭିଯୁକ୍ତ ନିଲୁ ବିରୋଧରେ କେହି ଥାନାରେ ଲିଖିତ ଅଭିଯୋଗ କରି ନଥିଲେ। ଫଳରେ ଏସ୍‌ଡ଼ିପିଓଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦନପୁର ଥାନା ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର