ସିଡିଏରେ ବୋମାମାଡ଼, ପେଟ୍ରୋଲ ପମ୍ପ୍‌ରୁ ୧୫ ଲକ୍ଷ ଲୁଟ୍‌ ଉଦ୍ୟମ

0

କଟକ-ସିଡିଏ: ସିଡିଏ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଗୋଡେ଼ଇ ଗୋଡେ଼ଇ ବୋମା ମାଡ଼ କରିଛନ୍ତି। ବ୍ୟାଙ୍କରେ ୧୫ ଲକ୍ଷ ଟଙ୍କା ଜମା କରିବାକୁ ଯାଉଥିବା କର୍ମଚାରୀ ଆଜି ଏଭଳି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଟଙ୍କା ବ୍ୟାଗ୍‌ ଛଡ଼ାଇଲା ବେଳେ ଦୁର୍ବୃତ୍ତମାନେ ଲଙ୍କା ଗୁଣ୍ତ ମଧ୍ୟ ଫିଙ୍ଗିଥିଲେ। କିନ୍ତୁ ଟଙ୍କା ବ୍ୟାଗ୍‌ ଲୁଟିବାରେ ସଫଳ ହୋଇନଥିଲେ। ଏଭଳି ଘଟଣା ଆଜି ସିଡିଏରେ ଆତଙ୍କ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ଖବର ପାଇ ବିଡାନାସୀ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅପରାଧ ଘଟାଇଥିବା ଦୁଇ ଦୁର୍ବୃତ୍ତଙ୍କ ପତ୍ତା ମିଳିପାରି ନାହିଁ। ସିଡିଏ ସେକ୍ଟର ୬ସ୍ଥିତ ପେଟ୍ରୋଲ ପମ୍ପର ଦୁଇ ମ୍ୟାନେଜର ଜାହେଦ୍‌ ଆଲାମ୍‌, ମହେନ୍ଦ୍ର ପ୍ରଧାନ ଏବ˚ ଦୁଇ କର୍ମଚାରୀ ଲୋକନାଥ ପରିଡ଼ା, ବିଜୟ ବେହେରା ଦୁଇଟି ବାଇକ୍‌ରେ ଆଜି ଦିନ ପ୍ରାୟ ୧ଟା ୩୦ ବେଳେ ସିଡିଏ ସେକ୍ଟର ୬ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରେ ଟଙ୍କା ଜମା କରିବାକୁ ଯାଉଥିଲେ। ପେଟାନାଳ ରାସ୍ତାରେ କୃଷକ ବଜାର ପୂର୍ବରୁ ଦୁଇ ଦୁର୍ବୃତ୍ତ ଏକ ହୋଣ୍ତା ବାଇକ୍‌ରେ ପହଞ୍ଚି ପ୍ରଥମେ ଲଙ୍କାଗୁଣ୍ତ ମାଡ଼ କରିଥିଲେ। ଲୋକନାଥଙ୍କ ଆଖିରେ ଗୁଣ୍ତ ପଡ଼ିଯାଇଥିଲା। ମହେନ୍ଦ୍ରଙ୍କ ନିକଟରୁ ୧୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇବାକୁ ଉଦ୍ୟମ କଲା ବେଳେ ସେ ବ୍ୟାଗ୍‌ ଛାଡ଼ି ନଥିଲେ। ପରେ ଦୁର୍ବୃତ୍ତ ସେମାନଙ୍କୁ ପେଟାନାଳ ରାସ୍ତାରେ ଗୋଡ଼ା ଗୋଡ଼ାଇ ଦୁଇଟି ବୋମା ଫିଙ୍ଗିଥିଲେ। ପେଟ୍ରୋଲ ପମ୍ପ କର୍ମଚାରୀମାନେ ବାଇକ୍‌ରୁ ତଳେ ପଡ଼ିଯାଇଥିଲେ। ସେମାନଙ୍କ ଆଖି ଓ ଦେହରେ କ୍ଷତ ସୃଷ୍ଟି ହୋଇଥିଲା। କିନ୍ତୁ ଦୁର୍ବୃତ୍ତମାନେ ଟଙ୍କା ଲୁଟିବାରେ ବିଫଳ ହୋଇଥିଲେ। ସେମାନେ ସିଡିଏ ସେକ୍ଟର ୧୧ ଆଡ଼କୁ ଦ୍ରୁତ ଗତିରେ ଖସିଯାଇଥିଲେ। ବାଇକ ଚଲାଉଥିବା ଦୁର୍ବୃତ୍ତ ହେଲ୍‌ମେଟ୍‌ ପିନ୍ଧିଥିବା ବେଳେ ପଛରେ ବସିଥିବା ଦୁର୍ବୃତ୍ତ ମୁହଁରେ ରୁମାଲ ବାନ୍ଧିଥିଲା। ଏବେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ପେଟ୍ରୋଲ ପମ୍ପର ସିସି କ୍ୟାମେରା ଯାଞ୍ଚ କରାଯାଉଥିବା ଥାନା ଆଇଆଇସି ଲକ୍ଷ୍ମୀନାରାୟଣ ତିଵାରି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.