ବୋମା ଫୁଟି ବାଳକ ଗୁରୁତର

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ଦିଗି ଗ୍ରାମ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ବୋମା ଫୁଟି ସେଠାରେ ଖେଳୁଥିବା ଜଣେ ୬ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ଗୁରୁତର ବାଳକ ଜଣକ ଉକ୍ତ ଗ୍ରାମର ଦିବାକର ସେଠୀଙ୍କ ପୁଅ ନାରାୟଣ ସେଠୀ ଓରଫ ବାଉରୀ। ପ୍ରକାଶ ଯେ, ଅପରାହ୍ଣରେ ନାରାୟଣ ବାହାରେ ଖେଳୁଥିବା ବେଳେ ହଠାତ୍‌ ନିକଟରେ ଥିବା ଅଳିଆଗଦାରେ ପଡ଼ିଥିବା ଟାଣ ଜିନିଷକୁ ଦେଖିଥିଲା। ଉକ୍ତ ଟାଣ ଜିନିଷକୁ ଧରିବା ସଙ୍ଗେ ସଙ୍ଗେ ତାହା ଫୁଟି ଯାଇଥିଲା। ବିସ୍ଫୋରଣ ଏତେ ଜୋର୍‌ଦାର୍‌ ଥିଲା ଯେ ନାରାୟଣ କିଛି ଦୂରକୁ ଛିଟିକି ପଡ଼ିଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ଗ୍ରାମ ଲୋକେ ଦଉଡି ଆସି ନାରାୟଣକୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ରହିଥିବା ଦେଖି ତାକୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ କିଏ ଏହି ବିସ୍ପୋରକ ଜିନିଷକୁ ଏଠାରେ ଲୁଚେଇ ରଖିଥିଲା? ପୋଲିସ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର