ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ଘଟଣା : ପକ୍ଷ ରଖିବାକୁ ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ସରକାରଙ୍କ ନୋଟିସ୍‌କୁ ପଣ୍ଡା ଇନଫ୍ରାର ଚାଲେଞ୍ଜ

କଟକ : ବମିଖାଲ ରେଳ ଓଭରବ୍ରିଜ ଭୁଶୁଡିବା ପରେ ସରକାରଙ୍କ ପକ୍ଷରୁ ଜାରି ନୋଟିସକୁ ଚାଲେଞ୍ଜ କରି ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ୍‌ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ମାମଲାର ଶୁଣାଣି ହୋଇକୋର୍ଟରେ ହୋଇଛି। ୨୦୧୮, ମେ’ ୩ ତାରିଖ ସଂଧ୍ୟାରେ ବମିଖାଲ ଫ୍ଲାଏ ଓଭର ବ୍ରିଜ ଦ୍ୱିତୀୟ ଥର ପାଇଁ ଭୁଶୁଡିବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ଦାୟିତ୍ୱରେ ଥିବା ପଣ୍ଡା ଇନଫ୍ରା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। କାହିଁକି ଏହି ପ୍ରସଂଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ଓ କାହିଁକି ଏହି ବ୍ରିଜ ନିର୍ମାଣ ସଂପର୍କିତ ଚୁକ୍ତି ବାତିଲ କରା ନଯିବ ସେ ସଂପର୍କରେ କାରଣ ଦର୍ଶାଇବାକୁ ପଣ୍ଡା ଇନଫ୍ରା ସଂସ୍ଥାକୁ ନୋଟିସ୍‌ ଜାରି କରାଯାଇଥିଲା। ଏପରି ନୋଟିସକୁ ଚାଲେଞ୍ଜ କରି ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଜି ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀ ଓ ଜଷ୍ଟିସ କେ.ଆର୍‌.ମହାପାତ୍ରଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ପଣ୍ଡା ଇନଫ୍ରା ସଂସ୍ଥା ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏହି ପ୍ରସଂଗରେ ସରକାରଙ୍କ ନିକଟରେ ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ତ୍ତ ବିଭାଗ ଏହି ପ୍ରସଂଗରେ ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଶୁଣାଣି ସମୟରେ ପଣ୍ଡା ଇନଫ୍ରାକୁ ପକ୍ଷ ରଖିବାକୁ ସୁଯୋଗ ଦେବ। ଏପରି ନିର୍ଦ୍ଦେଶ ଦେବା ସହିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଅନ୍ତ ଘଟାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ମେ’ ୩ ସଂଧ୍ୟାରେ ବମିଖାଲ ଫ୍ଲାଏ ଓଭର ବ୍ରିଜ ଦ୍ୱିତୀୟ ଥର ପାଇଁ ଭୁଶୁଡିଥିଲା। ଏହି ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ଲକ୍ଷ୍ମୀସାଗର ଥାନାରେ ନିର୍ମାଣକାରୀ ସଂସ୍ଥାର ମୁଖ୍ୟ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏଥି ସହିତ ସରକାର ମଧ୍ୟ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର